ଅଜିତ ପାୱାରଙ୍କୁ ଶକ୍ତ ଝଟ୍‌କା: ୨୫ ନେତା ଦଳ ଛାଡ଼ିଲେ

Advertisment
ଅଜିତ ପାୱାରଙ୍କୁ ଶକ୍ତ ଝଟ୍‌କା: ୨୫ ନେତା ଦଳ ଛାଡ଼ିଲେ

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କୁ ଆଜି ବଡ଼ ଝଟ୍‌କା ଲାଗିଛି। ୪ ଜଣ ଶୀର୍ଷ ନେତାଙ୍କ ସମେତ ୨୫ ଜଣ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ସେମାନେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ଯୋଗଦେବା ସମ୍ଭାବନା ରହିଛି। ଦଳ ଛାଡ଼ିଥିବା ନେତାମାନଙ୍କ ମଧ୍ୟରେ ପିମ୍ପରି-ଚିଞ୍ଚୱାଡ଼ା ୟୁନିଟ୍ ମୁଖ୍ୟ ଅଜିତ ଗଭାହାନେ, ପିମ୍ପରି ଛାତ୍ର ଶାଖା ମୁଖ୍ୟ ୟଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋସଲେ ଓ ପଙ୍କଜ ଭାଲେକର ପ୍ରମୁଖ ରହିଛନ୍ତି। ଲୋକସଭା ନିର୍ବାଚନରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ଖରାପ ପ୍ରଦର୍ଶନ ପରେ ଏଭଳି ଘଟଣା ଦଳର ସାଂଗଠନିକ ସ୍ଥିତିକୁ ଦୁର୍ବଳ କରିଦେବା ଆଶଙ୍କା ପ୍ରକାଶ ପାଇଛି। ଇସ୍ତଫା ଦେଇଥିବା ଅନ୍ୟ ନେତାଙ୍କ ମଧ୍ୟରେ ଏନସିପିର କେତେକ ବରିଷ୍ଠ କର୍ମକର୍ତ୍ତା, ପୂର୍ବତନ କର୍ପୋରେଟର ଏବଂ ଜିଲ୍ଲାସ୍ତରୀୟ ନେତା ରହିଥିବା ଜଣାପଡ଼ିଛି। ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମହାୟୁତିରେ ଆସନ ବଣ୍ଟନର ଏକ ଅଂଶ ଭାବରେ ଭୋସାରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଆଶ୍ବାସନ ପାଇବାରେ ବିଫଳ ହେବାରୁ ଗାଭାହାନେ ଇସ୍ତଫା ଦେଇଛନ୍ତି ବୋଲି ଦଳରେ ଚର୍ଚ୍ଚା ହେଉଛି। କିଛିଦିନ ତଳେ ସେ ଅଜିତ ପାୱାରଙ୍କୁ ଭେଟି ଭୋସାରୀ ଆସନରୁ ତାଙ୍କ ପାଇଁ ଟିକେଟ ସୁନିଶ୍ଚିତ କରିବାକୁ ଦାବି କରିଥିଲେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଏନ୍‌ସିପି ମୁଖପାତ୍ର କହିଛନ୍ତି ଯେ କୌଣସି ନେତା ଦଳ ଛାଡିବା ନିଶ୍ଚିତ ଭାବେ ଝଟକା। ଅଜିତ ଗଭାହାନେ ଆମ ସହିତ ରହିବେ ଏବଂ କୌଣସି ତରବରିଆ ନିଷ୍ପତ୍ତି ନେବେ ନାହିଁ ବୋଲି ମୁଖପାତ୍ର କହିଛନ୍ତି। ଗତ ମାସରେ ଶରଦ ପାୱାର କହିଥିଲେ ଯେ ଯେଉଁମାନେ ତାଙ୍କ ଦଳକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସେ ଗ୍ରହଣ କରିବେ ନାହିଁ, ବରଂ ଯେଉଁ ନେତାମାନେ ଦଳର ଭାବମୂର୍ତ୍ତିକୁ ସୁରକ୍ଷିତ ରଖିପାରିବେ ସେମାନଙ୍କୁ ହିଁ ଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe