Image Courtesy of Hindustan Times
ନୂଆଦିଲ୍ଲୀ: ‘ହେପାଟାଇଟିସ୍ ସି ଭୂତାଣୁ’ ଆବିଷ୍କାର କରିଥିବା ଆମେରିକୀୟ ବୈଜ୍ଞାନିକ ହାର୍ଭେରି ଜେ ଆଲ୍ଟର୍ ଏବଂ ଚାର୍ଲସ୍ ଏମ୍ ରାଇସ୍ ଏବଂ ବ୍ରିଟିସ୍ ବୈଜ୍ଞାନିକ ମାଇକେଲ୍ ହଫ୍ଟନ୍ ‘ଭେଷଜ’ ବା ‘ଶରୀର ବିଜ୍ଞାନ’ ନିମନ୍ତେ ନୋବେଲ୍ ପୁରସ୍କାର ବିଜୟୀ ହୋଇଛନ୍ତି।
ଆଜି ନୋବେଲ୍ କମିଟିର ମୁଖ୍ୟ ଟୋମାସ୍ ପର୍ଲମାନ୍ ଷ୍ଟକ୍ହୋମ୍ରେ ବିଜୟୀମାନଙ୍କ ନାମ ଘୋଷଣା କରିଥିଲେ। ଏହି ସମ୍ମାନଜନକ ପୁରସ୍କାର ବାବଦରେ ଏକ ସ୍ବର୍ଣ୍ଣପଦକ ଏବଂ ୧୦ ନିୟୁତ ସ୍ବିଇଡିସ୍ କ୍ରୋନର୍ (୧,୧୧୮,୦୦୦ ଡଲାରରୁ ଅଧିକ) ଅର୍ଥରାଶି ପ୍ରଦାନ କରାଯିବ।
ଆନୁଷ୍ଠାନିକ ବିବୃତିରେ ନୋବେଲ୍ କମିଟି କହିଛି, ବିଶ୍ବବ୍ୟାପୀ ଲୋକମାନଙ୍କ ଶରୀରରେ ‘ସାଇରୋସିସ୍’ ଏବଂ ‘ଯକୃତ କର୍କଟ ରୋଗ’ର କାରଣ ହୋଇ ଏକ ପ୍ରମୁଖ ବୈଶ୍ବିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା ଏହି ରକ୍ତବାହିତ ହେପାଟାଇଟିସ୍ ଭୂତାଣୁ ବିରୋଧରେ ସଂଗ୍ରାମ ନିମନ୍ତେ ନିର୍ଣ୍ଣାୟକ ଅବଦାନ ଲାଗି ତିନିଜଣ ବୈଜ୍ଞାନିକଙ୍କୁ ଏ ବର୍ଷର ନୋବେଲ୍ ପୁରସ୍କାର ପ୍ରଦାନ କରାଯାଉଛି।
Image Courtesy of Free Press Journalବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ, ପ୍ରତିବର୍ଷ ବିଶ୍ବବ୍ୟାପୀ ୭୦ ନିୟୁତରୁ ଅଧକ ଜନତା ହେପାଟାଇଟିସ୍ ଆକ୍ରାନ୍ତ ହେଉଛନ୍ତି ଏବଂ ସେଥିରୁ ୪ ଲକ୍ଷ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି। ଏହି ରୋଗ ଦୀର୍ଘସ୍ଥାୟୀ ଏବଂ ଯକୃତ ପ୍ରଦାହ ଏବଂ କର୍କଟ ରୋଗର ମୁଖ୍ୟ କାରଣ।
କରୋନାଭାଇରସ୍ ମହାମାରୀ ଯୋଗୁଁ ଏ ବର୍ଷର ନୋବେଲ୍ ଭେଷଜ ପୁରସ୍କାରର ନିର୍ଦ୍ଦିଷ୍ଟ ଗୁରୁତ୍ବ ରହିଛି। କାରଣ, ସମଗ୍ର ବିଶ୍ବର ସମାଜ ଏବଂ ଅର୍ଥନୀତି ନିମନ୍ତେ ଥିବା ଡାକ୍ତରୀ ଗବେଷଣାର ଗୁରୁତ୍ବ ଉପରେ ଏହି ପୁରସ୍କାର ଆଲୋକପାତ କରୁଛି।
ଅକ୍ଟୋବର ୧୨ ତାରିଖ ମଧ୍ୟରେ ଘୋଷଣା ହେବାକୁ ଥିବା ଛଅଟି ପୁରସ୍କାର ମଧ୍ୟରୁ ଆଜିର ପୁରସ୍କାର ଘୋଷଣା ପ୍ରଥମ। ପଦାର୍ଥ ବିଜ୍ଞାନ, ରସାୟନଶାସ୍ତ୍ର, ସାହିତ୍ୟ, ଶାନ୍ତି ଓ ଅର୍ଥନୀତିରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଅନ୍ୟ ପୁରସ୍କାର ସବୁ ସମୟ କ୍ରମେ ଘୋଷଣା କରାଯିବ।
Follow Us