ଚଣ୍ଡିଗଡ଼:  ହରିୟାଣା ରାଜନୀତି ଏବେ ବି ୩ ପୂର୍ବତନ ରାଜନେତାଙ୍କ ପରିବାର ମଧ୍ୟରେ  ରହିଛି।  ରାଜ୍ୟରେ ବଂଶବାଦ ରାଜନୀତି ଜାରି ରହିଥିବା ଚର୍ଚ୍ଚା ହେଉଛି। 

Advertisment

ପୂର୍ବତନ  ଉପପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀ ଲାଲ, ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଏବଂ  ବଂଶୀଲାଲଙ୍କ ପରିବାରର ୧୦ ସଦସ୍ୟ ଚଳିତ ବିଧାନସଭା ନିର୍ବାଚନରେ ମଇଦାନରେ ରହିଛନ୍ତି। 

 ଚୌଧୁରୀ ଦେବୀ ଲାଲଙ୍କ ପରିବାରର ୬ ଜଣ ସଦସ୍ୟ  ସିର୍ସା ତଥା ଜିନ୍ଦ ଜିଲ୍ଲାର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଚଳିତ ନିର୍ବାଚନରେ ଦେଖିବାକୁ ମିଳିବ।

ସିର୍ସା ଜିଲ୍ଲାର ଏଲେନାବାଦ୍  ଆସନରୁ ବିଧାୟକ ଅଭୟ ସିଂ ଚୌତାଲା ପୁଣିଥରେ  ନିର୍ବାଚନ ଲଢୁଛନ୍ତି। ତାଙ୍କ ପୁଅ ଅର୍ଜୁନ ଚୌତାଲ ରାନିଆ ଆସନରୁ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଟିକଟ  ପାଇଛନ୍ତି। ଯେତେବେଳେ କି, ଇଣ୍ଡିଆନ ନ୍ୟାସନାଲ ଲୋକଦଳ ପକ୍ଷରୁ ଅଭୟ ଚୌତାଲଙ୍କ ସମ୍ପର୍କୀୟ ଆଦିତ୍ୟ ଚୌତାଲାଙ୍କୁ ଡବୱାଲୀରୁ ପ୍ରାର୍ଥୀ କରିଛି। ସେ  ଦେବୀ ଲାଲଙ୍କ ସାନ ପୁଅ ଜଗଦୀଶଙ୍କ ପୁଅ।

ଇଣ୍ଡିଆନ ନ୍ୟାସନାଲ ଲୋକଦଳରୁ ସୃଷ୍ଟି ହୋଇଥିବା  ଜନନାୟକ ଜନତା ପାର୍ଟି (ଜେଜେପି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଉଚାନା କାଲାନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ସେ ଜିନ୍ଦ ଜିଲ୍ଲାର ଏହି ଆସନରୁ ବର୍ତ୍ତମାନର ବିଧାୟକ ଅଟନ୍ତି। ଯେତେବେଳେ କି, ଦୁଷ୍ୟନ୍ତଙ୍କ ଭାଇ ଦିଗବିଜୟ ଚୌତାଲା ଡବୱାଲିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ପୂର୍ବତନ ବିଦ୍ୟୁତ୍ ମନ୍ତ୍ରୀ ରଣଜିତ୍ ସିଂ ପୁନର୍ବାର ସ୍ବାଧୀନ ପ୍ରାର୍ଥୀ ଭାବରେ ରାନିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଟିକଟ ନ ପାଇ ସେ ବିଜେପି ଛାଡିଛନ୍ତି। 

ସେହିପରି ଚୌଧୁରୀ ବଂଶୀଲାଲଙ୍କ ପରିବାର ସଦସ୍ୟ ମଧ୍ୟ ବିଭିନ୍ନ ଦଳରୁ ପରସ୍ପରକୁ ଚ୍ୟାଲେଞ୍ଜ କରୁଛନ୍ତି। କଂଗ୍ରେସ ଛାଡିବା ପରେ କିରଣ ଚୌଧୁରୀ ବିଜେପିର ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ତାଙ୍କ ଝିଅ ଶ୍ରୁତି ଚୌଧୁରୀ ତୋଷାମରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଏଥିସହିତ ବଂଶୀ ଲାଲଙ୍କ ନାତି ଅନିରୁଦ୍ଧ ଚୌଧୁରୀଙ୍କୁ ଏଠାରୁ କଂଗ୍ରେସ ଟିକେଟ ମିଳିବ ବୋଲି ନିଶ୍ଚିତ ହୋଇଛି। ଯାହା ପରେ ଏହି ଆସନରେ ଦୁଇ ପରିବାର ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି। ବଂଶୀଲାଲଙ୍କ ଜ୍ବାଇଁ ସୋମବୀର ସିଂ ଲୋହରୁ ଆସନ ପାଇଁ  ଟିକଟ ମାଗୁଛନ୍ତି। ସେ ପୂର୍ବରୁ ମଧ୍ୟ ଏଠାରୁ ଜିତିଛନ୍ତି। 

ସେହିପରି ପୂର୍ବତନ ରାଜନେତା ଭଜନ ଲାଲଙ୍କ ପରିବାର ମଧ୍ୟ ଦୁଇ ଦଳରୁ ମଇଦାନକୁ ଓହ୍ଲାଇବେ। ଆ ଦମପୁରରୁ କୁଲଦୀପ ବିଶ୍ନୋଇଙ୍କ ପୁଅକୁ ବିଜେପି ଟିକେଟ ଦେଇଛି। ଏଥିସହିତ ଭଜନ ଲାଲଙ୍କ ବଡ ପୁଅ ପଞ୍ଚକୁଲାରୁ କଂଗ୍ରେସ ଟିକଟ ମାଗୁଛନ୍ତି।

ଅଧିକ  ପଢ଼ନ୍ତୁ:ମମତାଙ୍କ ଦୂର୍ଗାପୂଜା ମନ୍ତବ୍ୟ ଉପରେ ଏପରି କହିଲେ ପୀଡ଼ିତାଙ୍କ ମାଆ

ବିଜେପି ଫତେହାବାଦ ଆସନରୁ ଭଜନ ଲାଲଙ୍କ ଜ୍ୱାଇଁ ଦୁଡାରାମଙ୍କୁ ଟିକଟ ଦେଇଛି। ଚୌତାଲା ପରିବାରର ବୋହୂ ସୁନୈନା ଚୌତାଲା ମଧ୍ୟ ଏହି ଆସନରୁ ଦାବିଦାର ଅଛନ୍ତି।   ସେ ଇଣ୍ଡିଆନ ନ୍ୟାସନାଲ ଲୋକଦଳରେ ଅଛନ୍ତି ।

ଅଧିକ  ପଢ଼ନ୍ତୁ:ମନ୍ଦିରଗୁଡ଼ିକରେ ମହିଳାଙ୍କ ଅସଦାଚରଣ ହେଉଛି : କଂଗ୍ରେସ ମୁଖପାତ୍ରଙ୍କ ବୟାନ