ହାସିମପୁରା ଗଣହତ୍ୟା ମାମଲା: ୧୬ ପୁଲିସ କର୍ମୀଙ୍କୁ ଆଜୀବନ କାରାଦଣ୍ଡ

Advertisment
ହାସିମପୁରା ଗଣହତ୍ୟା ମାମଲା: ୧୬ ପୁଲିସ କର୍ମୀଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୧୯୮୭ ମସିହାର ହାସିମପୁରା ଗଣହତ୍ୟା ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ୧୬ ଜଣ ପୂର୍ବତନ ପୁଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉତ୍ତରପ୍ରଦେଶର ମିରଟ୍‌ ସ୍ଥିତ ହାସିମପୁରା ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୪ ଜଣଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ପିଏସି (ପ୍ରୋଭିନସିଆଲ ଆର୍ମଡ୍‌ କନଷ୍ଟାବୁଲାରି)ର ୧୬ ଜଣ ପୁଲିସଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଟ୍ରାଏଲ୍‌ କୋର୍ଟ ୨୦୧୫ ମସିହାରେ ସମସ୍ତ ଅଭିଯୁକ୍ତ ପୁଲିସ କର୍ମୀଙ୍କୁ ଦୋଷମୁକ୍ତ କରିଦେଇଥିଲେ ମଧ୍ୟ ଟ୍ରାଏଲ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଥିଲା। ଦିଲ୍ଲୀ ହାଇକୋର୍ଟ ଆଜି ତଳ କୋର୍ଟ ରାୟକୁ ଖାରଜ କରିଦେଇଛନ୍ତି ଏବଂ ସମସ୍ତ ୧୬ ଅଭିଯୁକ୍ତ ପୁଲିସ କର୍ମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ କହିଛନ୍ତି ସୁରକ୍ଷାବାହିନୀ ଦ୍ବାରା ଏହା ଏକ ଉଦ୍ଦେଶ୍ୟମୂଳକ ହତ୍ୟା ଥିଲା। ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ହତ୍ୟା କରାଗଲା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ନ୍ୟାୟ ପାଇଁ ୩୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ଉଲ୍ଲେଖଯୋଗ୍ୟ ୧୯୮୭ ମସିହାର ଏହି ହତ୍ୟା ମାମଲାରେ ୧୯ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ୧୯୯୬ ମସିହାରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ତେବେ ବିଚାରପ୍ରକ୍ରିୟାରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ୨୦୧୫ ମସିହାରେ ଏକ ଟ୍ରାଏଲ କୋର୍ଟ ୧୬ ଅଭିଯୁକ୍ତ ପୁଲିସ କର୍ମୀଙ୍କୁ ଦୋଷମୁକ୍ତ କରିଥିଲେ । ଟ୍ରାଏଲ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ, ଏନ୍‌ଏଚଆରସି ଏବଂ କିଛି ମୃତକଙ୍କ ପରିବାର ସଦସ୍ୟ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।

ହାସିମପୁରାରେ କ’ଣ ଘଟିଥିଲା
ନୂଆଦିଲ୍ଲୀ: ୧୯୮୭ ମସିହାରେ ଉତ୍ତରପ୍ରଦେଶର ମିରଟ୍‌ରେ ଏକ ଦଙ୍ଗା ସମୟରେ ୪୨ ମୁସଲିମଙ୍କୁ ହତ୍ୟା କରାଯାଇଥିଲା। ସ୍ଥାନୀୟ ହାସିମପୁରାରୁ ପାଖାପାଖି ୫୦ ଜଣ ମୁସଲିମ୍‌ଙ୍କୁ ‌େସମାନଙ୍କ ବାସଭବନରୁ ଉଠାଇ ନେଇଥିଲେ ପିଏସିର ସଦସ୍ୟ। ପରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ମୃତଦେହଗୁଡ଼ିକୁ ଏକ କେନାଲ୍‌ ମଧ୍ୟରେ ଫୋପାଡ଼ି ଦିଆଯାଇଥିଲା‌। ଏଥିରେ ୪୨ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଘୋଷଣା କରାଯାଇଥିଲା।

ଘଟଣାକ୍ରମ
ମେ’ ୨୨,୧୯୮୭: ୪୨ ମୁସଲିମଙ୍କୁ ହାସିମପୁରା ଗ୍ରାମରୁ ଉଠାଇ ନେଇ ହତ୍ୟା।
୧୯୮୮: ମାମଲାରେ ୟୁପି ସରକାର ସିବି-ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଲେ।
ଫେବ୍ରୁଆରି ୧୯୯୪: ସିବି-ସିଆ‌ଇଡି ତଦନ୍ତ ରିପୋର୍ଟ ଦାଖଲ କଲା।
ମେ’ ୨୦, ୧୯୯୬: ୧୯ ଅଭିଯୁକ୍ତଙ୍କ ବିରୋଧରେ ଗାଜିଆବାଦ୍‌ର ସିଜେଏମ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହେଲା।
୨୦୦୨ ସେପ୍ଟେମ୍ବର: ସୁପ୍ରିମକୋର୍ଟଙ୍କ ଦ୍ବାରା ମାମଲା ଦିଲ୍ଲୀକୁ ସ୍ଥାନାନ୍ତର ହେଲା।
ଜୁଲାଇ ୨୦୦୬: ଦିଲ୍ଲୀ କୋର୍ଟ ୧୭ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ଚାର୍ଜ ଫ୍ରେମ୍ କଲେ।
ମେ’ ୧୮, ୨୦୧୫ : ଟ୍ରାଏଲ କୋର୍ଟ ୧୬ ଜଣ ଅଭିଯୁକ୍ତଙ୍କୁ ମାମଲାରୁ ଦୋଷମୁକ୍ତ କଲେ।
ମେ’ ୨୯, ୨୦୧୫: ଟ୍ରାଏଲ କୋର୍ଟଙ୍କ ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରା‌ଗଲା।
ଡିସେମ୍ବର ୨୦୧୫: ମାମଲାରେ ହସ୍ତକ୍ଷେପ କଲେ ଏନ୍‌ଏଚଆରସି ଏବଂ ପୁନର୍ବାର ତଦନ୍ତ ଦାବି କଲେ।
ଅକ୍ଟୋବର ୩୧, ୨୦୧୮: ଦିଲ୍ଲୀ ହାଇକୋର୍ଟ ୧୬ ଅଭିଯୁକ୍ତ ପୂର୍ବତନ ପୁଲିସ କର୍ମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe