ଢାକା: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଲୋକଙ୍କୁ ଜବରଦସ୍ତ ନିଖୋଜ କରାଇଥିବା ଅଭିଯୋଗ କରିଛନ୍ତି।
ଅନୁସନ୍ଧାନ କମିସନ ମହମ୍ମଦ ୟୁନୁସ ସରକାରଙ୍କ ନିକଟରେ ଏସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିଛନ୍ତି। କୁହାଯାଉଛି ଯେ, ୩୫୦୦ରୁ ଅଧିକ ଲୋକଙ୍କ ବାଧ୍ୟତାମୂଳକ ନିଖୋଜ ଘଟଣାରେ ଶେଖ ହସିନା ସମ୍ପୃକ୍ତ ଅଛନ୍ତି।
ହସିନାଙ୍କ ସହିତ ତାଙ୍କ ପ୍ରତିରକ୍ଷା ପରାମର୍ଶଦାତା ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ ଅହମ୍ମଦ ସିଦ୍ଦିକି, ଟେଲି ଯୋଗାଯୋଗର ପୂର୍ବତନ ନିର୍ଦ୍ଦେଶକ ଜିଆଉଲ ଅହସାନ ଏବଂ ବହୁ ପୁଲିସ କର୍ମଚାରୀ ମଧ୍ୟ ଏଥିରେ ସାମିଲ ହୋଇଥିବା କୁହାଯାଉଛି।
ଏହି ରିପୋର୍ଟରେ ରାପିଡ୍ ଆକ୍ସନ୍ ବାଟାଲିୟନ (ଆରଏବି) ଭଙ୍ଗ କରିବାକୁ ମଧ୍ୟ ସୁପାରିଶ କରାଯାଇଛି। କାରଣ ଏହି ମାମଲାରେ ଆରଏବିର ଭୂମିକା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟରେ କୁହାଯାଇଛି ଯେ, ହସିନା ଏହି ବାଟାଲିୟନ ସହାୟତାରେ ଲୋକଙ୍କୁ ନିର୍ଯାତନା ଦେଉଥିଲେ। ଅବସରପ୍ରାପ୍ତ ଜଷ୍ଟିସ ମେନୁଲ ଇସଲାମ ଚୌଧୁରୀଙ୍କ ନେତୃତ୍ୱରେ ଏହି କମିସନ ଗଠନ କରାଯାଇଛି। ଏଥିରେ ପାଞ୍ଚଜଣ ସଦସ୍ୟ ଅଛନ୍ତି।
ଏହି ରିପୋର୍ଟରେ କୁହାଯାଇଛି ଯେ ଲୋକଙ୍କୁ ବାଧ୍ୟତାମୂଳକ ନିଖୋଜ ହେବା ନେଇ ଆୟୋଗ ୧୬୭୬ଟି ଅଭିଯୋଗ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୫୮ ଟି ମାମଲା ରୁଜୁ ହୋଇଛି। ବାଂଲାଦେଶରେ ବାଧ୍ୟତାମୂଳକ ନିଖୋଜ ସଂଖ୍ୟା ୩୫୦୦ଅତିକ୍ରମ କରିବ ବୋଲି ଆୟୋଗ ଆକଳନ କରିଛି।
ତଦନ୍ତ କମିସନ ଏହି ରିପୋର୍ଟର ନାମ ‘ଅନଫୋଲ୍ଡିଂ ଦି ଟ୍ରୁଥ୍’ ରଖିଛନ୍ତି। ବାଂଲାଦେଶରେ ହୋଇଥିବା କ୍ଷମତା ଦଖଲ ଆକ୍ରମଣ ପରେ ଶେଖ ହସିନା ଦେଶ ଛାଡି ଅଗଷ୍ଟରେ ଭାରତକୁ ପଳାଇ ଆସିଥିଲେ।
ଏହା ପରେ ବାଂଲାଦେଶରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀ ସରକାର ଗଠନ କରାଯାଇଥିଲା। ୟୁନୁସ ଏବଂ ଅନ୍ୟ ଅଧିକାରୀମାନେ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ ଦାବି ଉପରେ ଆଲୋଚନା କରିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅନୁରୋଧ କରାଯାଇ ନାହିଁ।
ଅଧିକ ପଢ଼ନ୍ତୁ:୩୨ ବର୍ଷ ବୟସ୍କ ଅପରାଧୀଙ୍କୁ ୧୦୦ବର୍ଷ କାରାଦଣ୍ଡ
ମାର୍ଚ୍ଚରେ ତଦନ୍ତ କମିସନ ଆଉ ଏକ ମଧ୍ୟବର୍ତ୍ତୀ ରିପୋର୍ଟ ଦାଖଲ କରିବେ। ୟୁନୁସ୍ ଏହାର ପ୍ରଥମ ମଧ୍ୟବର୍ତ୍ତୀ ରିପୋର୍ଟ ପାଇଁ ଆୟୋଗକୁ ଧନ୍ୟବାଦ ଜଣାଇବା ସହ ଏହାର କାର୍ଯ୍ୟ ସମାପ୍ତ କରିବାରେ ପ୍ୟାନେଲକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସେ କହିଛନ୍ତି ଯେ, ଆୟୋଗ ପ୍ରକୃତରେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ଆୟୋଗକୁ ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଆମେ ପ୍ରସ୍ତୁତ। ପୀଡିତଙ୍କ ଦୁଃଖ ବିଷୟରେ ସୂଚନା ସଂଗ୍ରହ କରିବା ଲାଗି ଆୟୋଗ କେତେକ ସ୍ଥାନ ପରିଦର୍ଶନ କରିବେ ବୋଲି ୟୁନୁସ କହିଛନ୍ତି।
ଅଧିକ ପଢ଼ନ୍ତୁ: ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଚଢ଼ିଗଲା ବସ୍, ଚାଲିଗଲା ବିଜେପି ନେତାଙ୍କ ଜୀବନ