Firstpost
ନୂଆଦିଲ୍ଲା : ଉତ୍ତର ପ୍ରଦେଶର ହାଥରସ୍ରେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଶେଷେର ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପରିବାରର ବିରୋଧ ସତ୍ତ୍ବେ ତାଙ୍କ ମୃତଦେହକୁ ପୋଲିସ ଯେପରି ତରବର ହୋଇ ରାତି ଅଧରେ ଅନ୍ତିମ ସଂସ୍କାର କଲା ତାହାକୁ ନେଇ ଦେଶବ୍ୟାପୀ ଉଦ୍ବେଗ ଓ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରାଯାଇଛି। ଗଣଦୁଷ୍କର୍ମ ଓ ମୃତ୍ୟୁ ଠାରୁ ଆରମ୍ଭ କରି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ଯାହାସବୁ ଘଟିଗଲା ତାହାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା କରିବ।
The Leafletଗତ ୨୯ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଶବକୁ ନେଇ ହାଥରସ୍ ଯାଇଥିଲା। ଝିଅର ଅନ୍ତିମ ସଂସ୍କାର ସକାଳେ କରିବା ପାଇଁ ପରିବାରର ଅନୁରୋଧକୁ ପୋଲିସ ଶୁଣି ନ ଥିଲା। ଅନ୍ୟପକ୍ଷରେ ପରିବାରକୁ ମାରପିଟ୍ କରିବା ପରେ ସେମାନଙ୍କ ଅନୁପସ୍ଥିତିରେ ରାତିଅଧରେ ପେଟ୍ରୋଲ ଢାଳି ଶବକୁ ଜଳାଇ ଦିଆଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ସାରାଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୋଲିସର ବର୍ବରତା ଏବଂ ରାଜ୍ୟ ସରକାରଙ୍କ ନିରବତାକୁ ବିଭିନ୍ନ ଦଳ କଟୁ ସମାଲୋଚନା କରିଥିଲେ। ଏପରିକି ବିଜେପିର ଅନେକ ନେତା ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ପୋଲିସ ଓ ଜିଲ୍ଲା ପ୍ରଶାସନର ବର୍ବରତା ଏଇଠି ଶେଷ ହୋଇ ନଥିଲା। ପୀଡ଼ିତାଙ୍କ ପରିବାରକୁ ଚାରିଦିନ ଧରି ଘର ଭିତରେ ବନ୍ଦୀ ରଖାଯିବା ସହିତ ସେମାନଙ୍କ ଗାଁକୁ ସିଲ୍ କରି ଦିଆଯାଇଥିଲା। ଏପରିକି କୌଣସି ନେତା ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସେଠାକୁ ଛଡ଼ାଯାଇ ନ ଥିଲା। ଏହାକୁ ନେଇ ଚାରିଆଡ଼ୁ ସମାଲୋଚନାର ଶିକାର ହେବାପରେ ଗତକାଲି ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଏସ୍ପିଙ୍କ ସମେତ ୫ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଏହାସତ୍ତ୍ବେ ପରିସ୍ଥିତି ଥଣ୍ଡା ନ ପଡ଼ି ନଥିଲା। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମାମଲାର ସିବିଆଇ ତଦନ୍ତ ଲାଗି ଆଜି ମୁଖ୍ୟମନ୍ତ୍ରୀ ସୁପାରିସ କରିଛନ୍ତି।
Follow Us