Image Courtesy of India Today
ନୂଆଦିଲ୍ଲୀ: ରାତି ଅଧରେ ହାଥ୍ରସ୍ ଦୁଷ୍କର୍ମ ପୀଡ଼ିତାଙ୍କ ଶବ ସତ୍କାର କରିଥିବା କାରଣରୁ ଉତ୍ତରପ୍ରଦେଶ ପୁଲିସକୁ ସୋମବାର ଦିନ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଭର୍ସନା କରିଛନ୍ତି।
ପୀଡ଼ିତାଙ୍କ ପରିବାରର ଓକିଲଙ୍କ କହିବା ଅନୁସାରେ, ବିଚାରପତି ପଙ୍କଜ ମିଥଲ ଏବଂ ରଞ୍ଜନ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଆଇନଶୃଙ୍ଖଳା) ପ୍ରଶାନ୍ତ କୁମାରଙ୍କୁ ପଚାରିଲେ ଯେ, ସେ କ’ଣ ତାଙ୍କ ନିଜ ଝିଅର ଏ ଭଳି ସତ୍କାର ପାଇଁ ଅନୁମତି ଦେଇ ଥାଆନ୍ତେ? ଅଦାଲତ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ ଯେ, ପୀଡ଼ିତା ଯଦି ଧନି ପରିବାରର ହୋଇଥାଆନ୍ତେ, ପୁଲିସ କ’ଣ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଆନ୍ତା?
ଏହି ମାମଲାର ଶୁଣାଣି ପରେ ପୀଡ଼ିତାଙ୍କ ଓକିଲ ଗଣମାଧ୍ୟମକୁ ଉପରୋକ୍ତ କଥା କହିଛନ୍ତି। ଆଜିର ଶୁଣାଣିରେ ହାଇକୋର୍ଟଙ୍କ ଖଣ୍ଡପୀଠ ଅତିରିକ୍ତ ପୁଲିସ ମହାନିର୍ଦେଶକଙ୍କ (ଆଇନଶୃଙ୍ଖଳା) ବ୍ୟତୀତ, ଉତ୍ତରପ୍ରଦେଶର ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ ମହାନିର୍ଦେଶକ, ହାଥ୍ରାସ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ଡକାଇଥିଲେ। ବୟାନ ରେକର୍ଡ କରାଇବାକୁ ପୀଡ଼ିତାଙ୍କ ପରିବାରବର୍ଗ ମଧ୍ୟ ଅଦାଲତରେ ହାଜର ହୋଇଥିଲେ।
Image Courtesy of National Heraldସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷଙ୍କ ଉପରେ ବିଶ୍ବାସ ନ ଥିବାରୁ ରାଜ୍ୟ ବାହାରକୁ ମାମଲା ସ୍ଥାନାନ୍ତର ନିମନ୍ତେ ପୀଡ଼ିତାଙ୍କ ପରିବାର ଅଦାଲତଙ୍କୁ ଅନୁରୋଧ କରିଥିଲେ। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ପରିବାରକୁ ନିରାପତ୍ତା ଯୋଗାଇବା ଏବଂ ‘ସିବିଆଇ’ ରିପୋର୍ଟକୁ ଗୋପନ ରଖିବାକୁ ସେମାନେ ଦାବି କରିଥିଲେ।
ହାଥ୍ରସ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରବୀଣ କୁମାର ଲସ୍କର୍ ଅଦାଲତ ଆଗରେ ସ୍ବୀକାର କରିଥିଲେ ଯେ, ରାତିରେ ପୀଡ଼ିତାଙ୍କ ଶବ ସତ୍କାର କରାଯିବା ନିଷ୍ପତ୍ତି ତାଙ୍କର। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଏ ପରି କରାଯାଇଥିବା କଥା ସେ କହିଥିଲେ।
ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ ତାରିଖରେ କରାଯିବ ବୋଲି ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି।
Follow Us