Image Courtsy: The Economics Times
ଲକ୍ଷ୍ନୌ: ଲଖିମପୁର- ଖେରୀ ହିଂସା ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି କରୁଥିବା ଆହ୍ଲାବାଦ ହାଇକୋର୍ଟର ଏକ ଖଣ୍ଡପୀଠରୁ ଜଣେ ବିଚାରପତି ବୁଧବାର ଦିନ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି।
ପୂର୍ବରୁ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିବା ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚର ବିଚାରପତି ଜଷ୍ଟିସ ରାଜୀବ ସିଂହ ଗତ ସପ୍ତାହରେ ଏପ୍ରିଲ ୧୮ରେ ସୁପ୍ରିମ କୋର୍ଟ ତାଙ୍କ ଦ୍ୱାରା ପ୍ରଦତ୍ତ ଜାମିନ ଆଦେଶକୁ ବାତିଲ କରିବା ପରେ ପୁନର୍ବାର ଏହାର ଶୁଣାଣି କରିବାରୁ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି ଜଷ୍ଟିସ ସିଂହ।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବା ସମୟରେ ସୁପ୍ରିମ କୋର୍ଟ ମଧ୍ୟ ହାଇକୋର୍ଟଙ୍କୁ ତାଙ୍କ ଜାମିନ ଆବେଦନର ନୂତନ ନିଷ୍ପତ୍ତି ନେବାକୁ କହିଥିଲେ। ଏହାପରେ ଜଷ୍ଟିସ ସିଂହଙ୍କ ଏକକ ବିଚାରପତି ବେଞ୍ଚ ନିକଟକୁ ଏହି ନୂତନ ଜାମିନ ଆବେଦନ ଶୁଣାଣି ପାଇଁ ଆସିଥିଲା। କିନ୍ତୁ ସେ ଏହାକୁ ନୂତନ ଭାବରେ ଶୁଣିବାରୁ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଜଷ୍ଟିସ ସିଂହ ଜାମିନ ଆବେଦନର ଶୁଣାଣି ନକରି ଏକକ ବିଚାରପତି ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିବାର କୌଣସି କାରଣ ଦର୍ଶାଇ ନାହାନ୍ତି।
ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ମଧ୍ୟ ନିର୍ଦ୍ଧାରିତ ହୋଇ ପାରି ନାହିଁ। ଏହି ଜାମିନ ଆବେଦନର ଶୁଣାଣି ପାଇଁ ଏକ ନୂତନ ବେଞ୍ଚ ଗଠନ ହେବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିର କରାଯିବ ବୋଲି ହାଇକୋର୍ଟଙ୍କ ଜଣେ ଅଧିକାରୀ କହିଛନ୍ତି।
ଗତ ଅକ୍ଟୋବର ୩ ତାରିଖରେ ଲଖିମପୁର- ଖେରୀ ହିଂସା ମାମଲାରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା। ଯେଉଁଥିରେ ଅଜୟ ମିଶ୍ରଙ୍କ ମାଲିକାନାରେ ଥିବା ଏକ ଏସୟୁଭିରେ ଅଭିଯୁକ୍ତ ଆଶିଷ ଲଖିମପୁର- ଖେରୀରେ ବିକ୍ଷୋଭକାରୀ କୃଷକଙ୍କ ଏକ ଗୋଷ୍ଠୀ ଉପରେ ଚଢ଼ିଯିବାରୁ ଚାରି ଜଣ କୃଷକ ଏବଂ ଜଣେ ସାମ୍ବାଦିକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକେ ଆହତ ହୋଇଥିଲେ।
Follow Us