ବେଙ୍ଗାଲୁରୁ: ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅବସରରେ ଭୋଟ୍ ଦେବାକୁ କେନ୍ଦ୍ରରେ ପହଞ୍ଚିଥିଲେ ଆଇଟି ଇଣ୍ଡଷ୍ଟ୍ରିର ବରିଷ୍ଠ ବ୍ୟକ୍ତିତ୍ବ ତଥା ଇନ୍ଫୋସିସ୍ର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ମତଦେବାକୁ ପହଞ୍ଚିଥିଲେ।
ଭୋଟ୍ ଦେବାକୁ ଆସିଥିବା ନାରାୟଣ ମୂର୍ତ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ‘‘ଆମେ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ୍ ଦେବାର ଅଧିକାର ପାଇଥାଉ। ଆମକୁ ଏହି ଅଧିକାରକୁ ଦାୟିତ୍ବବୋଧ ଭାବେ ବ୍ୟବହାର କରିବାକୁ ପଡ଼ିବ। ଏହି ସୁଯୋଗକୁ କେହି ହାତଛଡ଼ା କରନ୍ତୁ ନାହିଁ।"
ସେହିପରି ନାରୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ଗଣମାଧ୍ୟମରେ କହିଛନ୍ତି ଯେ ୭୭ ବର୍ଷୀୟ ଇନ୍ଫୋସିସ୍ ପ୍ରତିଷ୍ଠାତା ତାଙ୍କର ଦେହ ଖରାପ ସତ୍ତ୍ବେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଆସିଛନ୍ତି। ସେ ହସ୍ପିଟାଲ୍ରେ ଭର୍ତ୍ତି ଥିଲେ। ନିକଟରେ ତାଙ୍କ ଡିସ୍ଚାର୍ଜ କରାଯାଇଛି ଓ ସେ ଭୋଟ୍ ଦେବା ପରେ ତାଙ୍କୁ ଘରକୁ ନିଆଯିବ ବୋଲି ସୁଧା ମୂର୍ତ୍ତି କହିଛନ୍ତି।
ସେହିପରି ସୁଧା ମୂର୍ତ୍ତିଙ୍କର ବି କିଛି ଭ୍ରମଣ ଯୋଜନା ରହିଥିବା ସତ୍ତ୍ବେ ମଧ୍ୟ ସେ ଭୋଟ୍ ଦେବାକୁ ପହଞ୍ଚିଥିଲେ। ତାଙ୍କ ମତରେ ‘ମତଦାନ ହେଉଛି ଶ୍ରେଷ୍ଠ ଦାନ’। ସେ କହିଛନ୍ତି କି ଖାଲି ବସିକି ଆଲୋଚନା କରିବାଠାରୁ ଭଲ ଆସିବି ଭୋଟ୍ ଦେବା। ଅଧିକରୁ ଅଧିକ ଲୋକ ସେମାନଙ୍କ ମତଦାନ କରନ୍ତୁ ବୋଲି ସୁଧା ମୂର୍ତ୍ତି କହିଛନ୍ତି।
ନାରାୟଣ ମୂତ୍ତି ଓ ସୁଧା ମୂର୍ତ୍ତିଙ୍କ ବ୍ୟତୀତ ମତଦାନ କେନ୍ଦ୍ରରେ ଜଣାଶୁଣା କ୍ରିକେଟ୍ ତାରକା ରାହୁଲ ଦ୍ରାବିଡ଼ ବି ପହଞ୍ଚିଥିଲେ। ରାହୁଲ ଦ୍ରାବିଡ ଲୋକଙ୍କୁ, ବିଶେଷ କରି ଯୁବକମାନଙ୍କୁ ବାହାରକୁ ଆସି ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ।
Follow Us