newstracklive
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜେଲ୍ରେ ଥିବା ‘କନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଆଉ ଏକ ପତ୍ର ଲେଖିଥିଲେ। ପ୍ରଥମ ପତ୍ରରେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତାଙ୍କ ଠାରୁ ୧୦ କୋଟି ଟଙ୍କା ନେଇଥିଲେ ବୋଲି ଦାବି କରିଥିଲେ ସୁକେଶ। ଏବେ ଦ୍ବିତୀୟ ପତ୍ରରେ ରାଜ୍ୟସଭା ଆସନର ଅଫର ଦେଇ ଆପ୍ ତାଙ୍କଠାରୁ ୫୦କୋଟି ଟଙ୍କା ନେଇଥିବା ଦାବି କରିଛନ୍ତି ସୁକେଶ।
ତାଙ୍କର ଏଭଳି ଦାବିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ, "ସବୁ ଅପରାଧୀ, ଚୋର, ଏବଂ ଡକାୟତମାନେ ବିଜେପିରେ ଯୋଗ ଦେଇଥିଲେ। ମୁଁ ବର୍ତ୍ତମାନ ଶୁଣୁଛି ଆସନ୍ତା କିଛି ସପ୍ତାହ ମଧ୍ୟରେ ସୁକେଶ ଚନ୍ଦ୍ରଶେଖର ନାମକ ଜଣେ ଅପରାଧୀ ବିଜେପିରେ ଯୋଗଦେବେ।"
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲେଖିଥିବା ଚିଠିରେ ସୁକେଶ କେଜ୍ରିୱାଲଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ। ସୁକେଶ ଚନ୍ଦ୍ରଶେଖର ତାଙ୍କ ଚିଠିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପ୍ରଶ୍ନ ପଚାରିଥିଲେ ଯେ, ଯଦି ମୁଁ ଦେଶର ସବୁଠୁ ବଡ ଠକ, ତେବେ ଆପଣ ମୋ ଭଳି ଜଣେ ଠକଙ୍କୁ ରାଜ୍ୟସଭା ଆସନ ଅଫର କରି ମୋଠାରୁ ୫୦କୋଟି ଟଙ୍କା କାହିଁକି ନେଇଥିଲେ? ଆପଣ ତ ମୋତେ ଆହୁରି ଅଧିକ ସଂଖ୍ୟକ ବ୍ୟବସାୟୀଙ୍କୁ ଦଳ ସହ ଯୋଡି ୫୦୦କୋଟି ଯୋଗାଡ କରିବାକୁ କହିଥିଲେ। ସେସବୁ କେମିତି ଭୁଲିଗଲେ? ତେବେ ସୁକେଶଙ୍କ ଏଭଳି ଚିଠିକୁ ନେଇ ଏବେ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି।
Follow Us