ଚିନ୍ତାମଣି: ‘ସ୍କୁଲ୍ ଏସ୍କର୍ସନ୍’ରେ ଯାଇଥିବା ବେଳେ ଜଣେ ଛାତ୍ର ସହିତ ଆପତ୍ତିଜନକ ଆଚରଣ କରିଥିବା ଅଭିଯୋଗରେ କର୍ଣ୍ଣାଟକର ଚିକବଲ୍ଲାପୁର ଜିଲ୍ଲା ଅନ୍ତର୍ଗତ ଚିନ୍ତାମଣି ତାଲୁକ ଅଞ୍ଚଳର ମୁରୁଗାମାଲ୍ଲାରେ ଥିବା ସରକାରୀ ହାଇସ୍କୁଲ୍ର ୪୨ ବର୍ଷୀୟ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।
ପ୍ରଧାନ ଶିକ୍ଷୟିତ୍ରୀ ସେ ଛାତ୍ରକୁ ଚୁମ୍ବନ ଦେଇ ତା’ ଆଡ଼କୁ ଜଡ଼େଇ ହୋଇଯାଇଥିବା ଫଟୋ ବୁଧବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ତାହା ଦେଖି ସେ ବାଳକର ପିତାମାତା ତୁରନ୍ତ ସ୍କୁଲ୍କୁ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ବିରକ୍ତ ହୋଇଥିଲେ।
ଚିକବଲ୍ଲାପୁର ‘ପବ୍ଲିକ୍ ଇନ୍ଷ୍ଟ୍ରକ୍ସନ୍’ର ଉପନିର୍ଦେଶକ କହିଛନ୍ତି, ଘଟଣା ଜାଣିବା ଲାଗି ଚିନ୍ତାମଣି ‘ବିଇଓ’ ଉମାଦେବୀ ସେ ସ୍କୁଲ୍କୁ ଯାଇ ଜାଣିପାରିଛନ୍ତି ଯେ, ‘ଏସ୍କର୍ସନ୍’ ବେଳେ ଉତ୍ତୋଳନ କରାଯାଇଥିବା କେତେକ ଫଟୋ ଓ ଭିଡିଓକୁ ପ୍ରଧାନ ଶିକ୍ଷୟିତ୍ରୀ ‘ଡିଲିଟ୍’ କରି ଦେଇଛନ୍ତି। ସେଗୁଡ଼ିକୁ ପୁଣି ଉଦ୍ଧାର କରାଯିବା ଲାଗି ଚେଷ୍ଟା ଚାଲିଛି।
Image Courtesy of The Guardianଘଟଣାକୁ ଦୁଃଖଦାୟକ ବୋଲି କହି ସେ କହିଛନ୍ତି, ଏହା ଉପରେ ‘ବିଇଓ’ ରିପୋର୍ଟ ଦାଖଲ କରିଛନ୍ତି। ସେ ରିପୋର୍ଟକୁ ଆଧାର କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।
ଉମାଦେବୀ କହିଛନ୍ତି, ଡିସେମ୍ବର ୨୨ରୁ ୨୫ ତାରିଖ ମଧ୍ୟରେ ସ୍କୁଲ୍ର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ହୋରାନାଡୁ, ଧର୍ମସ୍ଥଳ, ୟାନା ଓ ଅନ୍ୟାନ୍ୟ ସ୍ଥାନକୁ ‘ଏଜୁକେସ୍ନାଲ୍ ଟୁର୍’ରେ (ଭ୍ରମଣ) ଯାଇଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା। ଭାଇରାଲ୍ ହୋଇଥିବା ଫଟୋ ସବୁ ଅନ୍ୟ ଜଣେ ଛାତ୍ର ଉତ୍ତୋଳନ କରିଥିଲେ। ୨ଜଣ ଛାତ୍ର ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବ୍ୟତୀତ ଏ ଘଟଣା ବିଷୟରେ ଅନ୍ୟ କୌଣସି ଛାତ୍ରଛାତ୍ରୀ କି, କର୍ମଚାରୀମାନେ ଅବଗତ ନ ଥିଲେ।
Follow Us