ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ମୃତ୍ୟୁ ସଂଖ୍ୟା ୧୨୩ ଛୁଇଁଲା, ଗୟାରେ ୧୪୪ ଧାରା ଜାରି

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ମୃତ୍ୟୁ ସଂଖ୍ୟା ୧୨୩ ଛୁଇଁଲା, ଗୟାରେ ୧୪୪ ଧାରା ଜାରି

ପାଟନା: ବିହାରରେ ଗ୍ରୀଷ୍ମପ୍ରବାହ ଲୋକଙ୍କ ଜୀବନକୁ କଲବଲ କରିଦେଇଛି। ଗତ ଶନିବାର ଗୋଟିଏ ଦିନରେ ଗ୍ରୀଷ୍ମପ୍ରବାହ ଯୋଗୁଁ ୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଏହି ମୃତ୍ୟୁସଂଖ୍ୟା ୧୨୩ରେ ପହଞ୍ଚିଛି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳକଷ୍ଟ ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ମଗଧ ଡିଭିଜନ୍‌ର ୩ଟି ଜିଲ୍ଲା ତଥା ଗୟା, ଔରଙ୍ଗାବାଦ୍‌ ଏବଂ ନାୱଡ଼ା ଗ୍ରୀଷ୍ମପ୍ରବାହ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଔରଙ୍ଗାବାଦ୍‌ରେ ଗତ ୪୮ ଘଣ୍ଟା ମଧ୍ୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୟାରେ ୩୫ ଏବଂ ନାୱଡ଼ାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କଇମୁର୍‌ରେ ୨, ଆରାରେ ୧, ସମସ୍ତିପୁରରେ ୧, ମୁଙ୍ଗେର୍‌ରେ ୫ ଏବଂ ନାଳନ୍ଦାରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଗ୍ରୀଷ୍ମପ୍ରବାହ ହେତୁ ଗୟା ଜିଲ୍ଲାପାଳ ଅଭିଶେକ ସିଂହ ଗୟାରେ ୧୪୪ ଧାରା ଜାରି କରିଛନ୍ତି। ଲୋକମାନଙ୍କୁ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାହାରକୁ ବାହାରିବାପାଇଁ ମନା କରାଯାଇଛି। ସେହିପରି ୧୧ଟାରୁ ୪ ଟା ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜୁନ୍‌ ୨୨ ପର୍ଯ୍ୟନ୍ତ ବିହାରରେ ସମସ୍ତ ସ୍କୁଲ୍‌ ବନ୍ଦ କରି ଦିଆଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ୧୫୦ରୁ ଅଧିକ ‌ହେବ ବୋଲି କୁହାଯାଉଛି। ୧୦୦ରୁ ଅଧିକ ଏବେ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେ‌ବେ ଗୟାରେ ପରିସ୍ଥିତି ଉଦ୍‌ବେଗଜନକ ହେବାର ଏକମାତ୍ର କାରଣ ହେଉଛି ଏଠାରେ ଉତ୍କଟ ଜଳ ସଙ୍କଟ ସାଙ୍ଗକୁ ଘନ ଘନ ବିଦ୍ୟୁତ୍‌କାଟ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe