ନୂଆଦିଲ୍ଲୀ: ଏପଟେ କାନ୍ଦୁଛି କାଶ୍ମୀର… ସେପଟେ ଭଗବାନଙ୍କ ଭରସାରେ ହାତ ଟେକି ଦେଲାଣି ହିମାଚଳ ପ୍ରଦେଶ । କେଉଁଠି ବି ତ୍ରାହି ମିଳୁନି… ଯେଉଁ ସ୍ଥାନ ଦିନେ ପ୍ରାକୃତିକ ସୌଭାର ଗନ୍ତାଘର ଏବଂ ପର୍ଯ୍ୟଟନର ପ୍ରିୟ ସ୍ଥାନ ପାଲଟିଥିଲା… ଯେଉଁ ଜାଗାକୁ ଯିବାକୁ ଲୋକେ ସ୍ବପ୍ନ ଦେଖୁଥିଲେ ଏବଂ ପ୍ରକୃତି କୋଳରେ କିଛି ସମୟ ବିତାଇବାକୁ ଚାହୁଁଥିଲେ ଏବେ ସେ ସ୍ଥାନରେ ଭୟ ଓ ଆତଙ୍କର ବାତାବରଣ… ମୃତ୍ୟୁର ମହାତାଣ୍ଡବ, ଜୀବନର ଆର୍ତ୍ତ ଚିତ୍କାର । ଶାନ୍ତି ଖୋଜି ଖୋଜି ଯେଉଁଠିକୁ ମଣିଷ ଦିନେ ଧାଇଁ ଯାଉଥିଲେ ଏବେ ଶାନ୍ତି ନୁହେଁ ସମସ୍ତଙ୍କୁ ଘାରିଛି ଶବ ହେଇ ଫେରିବାର ଭୟ । କାରଣ ଲଗାତାର ଦୁଇ ମାସ ହେବ ହିମାଚଳ ପ୍ରଦେଶ ଠାରୁ ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀର ଯାଏଁ ପ୍ରକୃତି କୋପ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ପ୍ରଳୟର ସେହି ଆଁ ଭିତରେ ଜନ, ଜୀବନ, ଜୀବିକା, ଘର ଦ୍ବାର ସବୁ ପଶିଯାଉଛି…
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ବନ୍ୟା ବିପତ୍ତି ନେଇ ଆସିଛି । ଚାମ୍ବାରେ ସାଧାରଣ ଲୋକଙ୍କ ତ୍ରାହି ତ୍ରାହି ଚିତ୍କାର ଶୁଭିଛି । ଉଦୟପୁରରେ ପାହାଡରୁ ବନ୍ୟା ଜଳ ମାଡି ଆସି ଗାଁରେ ପଶିଯାଇଛି । ବଡ ବଡ ପଥର ଏବଂ କାଦୁଅ ପାଣି ଘରେ ପଶିଛି । ବନ୍ୟା ପାଇଁ ବେଘର ହୋଇଛନ୍ତି ଲୋକେ । ଧୋଇ ଯାଇଛି ରାସ୍ତା, ପୋତି ଯାଇଛି ଘର । କାଲି ଯେଉଁଠି ରାସ୍ତା ଥିଲା ଆଜି ସେଇଠି ବହିଯାଇଛି ନଈ । ଗାଡ଼ି କାଦୁଅ ପାଣିର ପେଟ ଭିତରେ ଫସି ଯାଇଛି । ଲୋକେ ଘର ଦ୍ବାର ହରାଇ ମୁଥାରେ ହାତ ଦେଇ ବସିଛନ୍ତି । କ୍ଷତିଗ୍ରସ୍ତ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ରହିଛି । ମୋବାଇଲ୍ ସେବା ବନ୍ଦ ରହିଛି । ପ୍ରବଳ ବର୍ଷା ଫଳରେ କୁଲ୍ଲୁ-ମନାଲି ଜାତୀୟ ରାଜପଥ ୨୧ ଧସି ଯାଇଛି ।
ହିମାଚଳ ପ୍ରଦେଶ କୁଲ୍ଲୁରେ ଏବେବି ପ୍ରବଳ ବର୍ଷା ଜାରି ରହିଛି । ବିୟାସ୍ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଲଗାତାର ୨- ୩ ଦିନ ବର୍ଷା ଫଳରେ ଭାଙ୍ଗିଯାଇଛି ବହୁ ଘର । ଏନ୍ଏଚ୍-୩ର କେତେକ ଅଂଶ ଧୋଇ ଯାଇଛି । ସେହିପରି ଉତ୍ତରଭାରତରେ ବିପଦ ସଙ୍କେତ ଉପରେ ଯମୁନା ନଦୀ । ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଫଳରେ ଯମୁନା ନଦୀ ବିପଦ ସଙ୍କେତ ଟପିଛି । ତଳିଆ ଅଞ୍ଚଳରେ ଦେଖାଦେଇଛି ବନ୍ୟା ଆଶଙ୍କା । ଏଥିପାଇଁ ସିଡବ୍ଲୁସି ଓ ଦିଲ୍ଲୀ ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳରେ ପ୍ରଭାବିତ ହୋଇଛି ଲୋକଙ୍କ ଜୀବନଯାତ୍ରା । ଜିଲ୍ଲା ପ୍ରଶାସନ ସହ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଉଦ୍ଧାରକାମ ଜାରି ରଖିଛନ୍ତି ।
ସେପଟେ କାଶ୍ମୀର ଆଖିରୁ ଶୁଖୁନି ଲୁହ । ଉଧମପୁର ଜିଲ୍ଲାର ଏନଏଚ କଡରେ ରାସ୍ତା ଧୋଇ ଯିବା ଫଳରେ ବଡ ବଡ ଟ୍ରକ ଏବଂ କାର୍ ରାସ୍ତା ତଳକୁ ଖସି ଯାଇଛି । ପ୍ରବଳ ପାଣି ଘେରରେ ଥିବା ଟ୍ରେନ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମରାମତି ଚାଲିଛି । ଜାମ୍ମୁ କାଶ୍ମୀରରେ ପ୍ରକୃତିର କରାଳ ରୂପା ରଚି ଚାଲିଛି ତାଣ୍ଡବ । କେଉଁଠି ପାହଡ ଧସୁଛି ତ କେଉଁଠି ଆକସ୍ମିକ ବନ୍ୟାରେ ମାଡି ଆସୁଛି ଜଳ ପ୍ରଳୟ । ଦୁଇ ସପ୍ତାହ ମଧ୍ୟରେ ଘାଟିରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୪୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଭୂସ୍ଖଳନ ଫଳରେ ବୈଷ୍ଣୋଦେବୀ ଯାତ୍ରା ବନ୍ଦ ରହିଛି । ବାଦଲଫଟା ବର୍ଷାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଫଳରେ ପ୍ରାୟ ୨୧ ରୁ ଅଧିକ ଆହତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରୀ ମାତା ବୈଷ୍ଣୋଦେବୀ ବୋର୍ଡ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଉଦ୍ଧାର ଉଦ୍ୟମ ଜାରି ରହିଛି ।
ଜମ୍ମୁକାଶ୍ମୀରର ଉଧମପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଫଳରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି । ଦ୍ବିତୀୟ ଦିନ ପାଇଁ ଏହି ରାଜପଥ ବନ୍ଦ ରହିଛି । ବର୍ଷା କାରଣରୁ ଭୂସ୍ଖଳନ ହୋଇଛି । ଫଳରେ ରାସ୍ତା ଧୋଇଯାଇଥିବା ସୂଚନା । ସେପଟେ ପିର୍ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ଘଟିଛି । ଯାହା ଦ୍ୱାରା ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛନ୍ତି ।
Follow Us