Image Courtesy of India Today
ମୁମ୍ବାଇ: ଶୁକ୍ରବାରରୁ ଶନିବାର ସକାଳ ଯାଏଁ ଅତି ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସହରରେ ସ୍ୱାଭାବିକ ଜବୀନଯାତ୍ରା ବ୍ୟାହତ ହୋଇଛି। ସହର ଅଧିକାଂଶ ସ୍ଥାନ ଜଳମଗ୍ନ ହେବା ସହ ଯାନବାହନ ଚଳାଚଳ ବାଧା ପାଇଛି। ବର୍ଷା ଯୋଗୁଁ ତାପାମାତ୍ରା ୨୫ ଡିଗ୍ରିକୁ ଖସି ଆସିଛି।
ଶୁକ୍ରବାର ରାତିରେ ଏଥିଯୋଗୁଁ ଅନ୍ୟୂନ ୧୭ଟି ବିମାନର ଅବତରଣସ୍ଥଳ ବଦଳା ଯାଇଛି। କେତେକ ବିମାନ ପ୍ରାୟ ୩୦ ମିନିଟ ବିଳମ୍ବରେ ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା।
ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଥାନେ, ରାଇଗଦ ଏବଂ ମୁମ୍ବାଇରେ ଆହୁରି ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ ଗତ ସନ୍ଧ୍ୟାରେ ସୂଚନା ଦେଇଛି।
ଅନେକ ଟ୍ରେନ୍ ବାତିଲ କରାଯାଇଛି ବା ବିଳମ୍ବରେ ଛାଡ଼ିବ ବୋଲି କେନ୍ଦ୍ରୀୟ ରେଳବାଇ ଟୁଇଟ୍ କରିଛି।
ବର୍ଷା ଦୃଷ୍ଟିରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବା ପାଇଁ ପ୍ରଧାନ ଶିକ୍ଷକ ଓ ପ୍ରିନ୍ସିପାଲ୍ମାନଙ୍କୁ କ୍ଷମତା ପ୍ରଦାନ କରାଯାଇଥିବା କଥା ମହାରାଷ୍ଟ୍ର ସ୍କୁଲ୍ ଶିକ୍ଷା ମନ୍ତ୍ରୀ ଆଶିଷ ଶେଲାର୍ କହିଛନ୍ତି।
ଠିକ୍ ଚଉଦ ବର୍ଷ ତଳେ ଆଜି ଦିନରେ ମଧ୍ୟ ମୁମ୍ବାଇ ବର୍ଷା ବିତ୍ପାତ ହୋଇଥିଲା। ଏଥିଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ କେତେକ ବ୍ୟକ୍ତି ପ୍ରାଣ ହରାଇଥିଲେ।
କେତେକ ଟୁଇଟର୍ ବ୍ୟବହାରକାରି ଶୁକ୍ରବାରର ବର୍ଷାକୁ ୨୦୦୫ ମସିହା ଜୁଲାଇ ୨୬ ତାରିଖ ବର୍ଷା ସହ ତୁଳନା କରିଛନ୍ତି। ସେଦିନ ମୁମ୍ବାଇରେ ୯୪୪ ମିଲିମିଟର୍ ବର୍ଷା ହୋଇଥିଲା। ବନ୍ୟା ଯୋଗୁଁ ୧୦୦୦ ଲୋକ ପ୍ରାଣ ହରାଇଥିଲେ ଓ ସମଗ୍ର ସହର ସ୍ଥାଣୁ ପାଲଟି ଯାଇଥିଲା।
ରାତି ତମାମ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ମୁମ୍ବାଇ ପୁଲିସ ଟୁଇଟ୍ କରି ଜନସାଧାରଣଙ୍କୁ ଚେତାବନୀ ଦେଇ କହିଛି, ସମୁଦ୍ର ଠାରୁ ଦୂରେଇ ରୁହନ୍ତୁ, ପାଣି ଜମିଥିବା ସ୍ଥାନକୁ ଯାଆନ୍ତୁ ନାହିଁ।
Follow Us