ବର୍ଷା ବିତ୍ପାତ : ଆନ୍ଧ୍ର, ତେଲେଙ୍ଗାନାରେ ୩୦ ମୃତ

Advertisment

୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ

୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ

ବର୍ଷା ବିତ୍ପାତ : ଆନ୍ଧ୍ର, ତେଲେଙ୍ଗାନାରେ ୩୦ ମୃତ

News Digital Hai

ନୂଆଦିଲ୍ଲୀ : ଲଘୁଚାପ ବର୍ଷା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ବିପର୍ଯ୍ୟୟ ଆଣିଛି। ଦୁଇଟି ଯାକ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯିବାରୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ତେଲେଙ୍ଗାନାରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୨ ଦିନ ଧରି ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଆଜି ବର୍ଷା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ସାମଗ୍ରୀ ବଣ୍ଟାଯାଇଛି। ଏନ୍‌ଡିଆରଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ତେଲେଙ୍ଗାନା ସରକାର ୨ ଦିନିଆ ଛୁଟି ଘୋଷଣା କରିଛନ୍ତି। ସ୍କୁଲ୍‌, କଲେଜ ସମେତ ସବୁ ଅଫିସ୍‌ ବନ୍ଦ ରହିଛି। ଲୋକମାନଙ୍କୁ ଘରେ ରହିବାପାଇଁ କୁହାଯାଇଛି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ସଚିବ ସୋମେଶ କୁମାର ଆଜି ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ୨ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ସହର ଜଳମଗ୍ନ ‌ହୋଇଯାଇଛି। ହାଇଦ୍ରାବାଦ୍‌ ସହର ଗତକାଲି ୧୯୨ ମିମି ବର୍ଷାଜଳ ଗ୍ରହଣ କରିଛି।‌ ଏହା ୧୦୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଆଇଏମ୍‌ଡି ଅନୁଯାୟୀ ଶେଷ ଥର ପାଇଁ ହାଇଦ୍ରାବାଦ ସହର ଅକ୍ଟୋବର ୬ ତାରିଖରେ ୧୧୭.୧ ମିମି ବର୍ଷାଜଳ ଗ୍ରହଣ କରିଥିଲା। ହାଇଦ୍ରାବାଦର ବନ୍ଦଲଗୁଡ଼ାରେ ଏକ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ସହରର ବିଭିନ୍ନ ପ୍ରମୁଖ କଲୋନିଗୁଡ଼ିକ ଜଳମଗ୍ନ ହୋଇଯାଇଛି ଏବଂ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe