ବର୍ଷାରେ ଉବୁଟୁବୁ ଦିଲ୍ଲୀ: ୪୬ ବର୍ଷର ରେକର୍ଡ ଭାଙ୍ଗିଲା

Advertisment

ବିଭିନ୍ନ ଅଂଚଳ ଜଳମଗ୍ନ, ବିମାନ ବନ୍ଦର ସ୍ବିମିଂପୁଲ୍‌ ପାଲଟିଲା

ବିଭିନ୍ନ ଅଂଚଳ ଜଳମଗ୍ନ, ବିମାନ ବନ୍ଦର ସ୍ବିମିଂପୁଲ୍‌ ପାଲଟିଲା

ବର୍ଷାରେ ଉବୁଟୁବୁ ଦିଲ୍ଲୀ: ୪୬ ବର୍ଷର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ଗତରାତିରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷାରେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯାଇଥିବା ବେଳେ ଯାନ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବି ପ୍ରବଳ ପାଣି ଜମି ରହିଥିବା ଦେଖିବାକୁ ମିଳିଛି ଏବଂ ରନ୍‌ୱେ ସ୍ବିମିଂପୁଲ୍‌ ପାଲଟି ଯାଇଛି। ଦିଲ୍ଲୀରେ ଚଳିତ ମୌସୁମୀ ବର୍ଷା ଆଜି ୧,୦୦୦ ମିମି ଅତିକ୍ରମ କରିଥିବା ବେଳେ ଏହା ବିଗତ ୪୬ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଚଳିତ ମୌସୁମୀ ଋତୁରେ ଦିଲ୍ଲୀ ଏଯାବତ ୧,୧୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ଏହା ୪୬ ବର୍ଷରେ ସର୍ବାଧିକ ଏବଂ ଗତବର୍ଷର ମୌସୁମୀ ବର୍ଷା ତୁଳନାରେ ପ୍ରାୟ ୨ ଗୁଣ। ୧୯୭୫ରେ ବର୍ଷା ଋତୁରେ ଦିଲ୍ଲୀ‌ରେ ୧୧୫୦ ମିମି ବର୍ଷା ରେକର୍ଡ କରାଯାଇଥିଲା। ୨୦୦୩ରେ ଦିଲ୍ଲୀରେ ୧୦୫୦ ମିମି ରେକର୍ଡ ବର୍ଷା ହୋଇଥିଲା। ତେବେ ଚଳିତବର୍ଷ ମୌସୁମୀ ଶେଷ ହୋଇନଥିବା ବେଳେ ଏଯାବତ୍‌ ୧୧୦୦ ମିମି ବର୍ଷାଜଳ ଗ୍ରହଣ ହୋଇଛି। ଜୁନ୍‌ ୧ରୁ ସେପ୍ଟେମ୍ବର ୧୧ ମଧ୍ୟରେ ଦିଲ୍ଲୀ ସ୍ବାଭାବିକ ଭାବେ ୫୯୦.୨ ମିମି ବର୍ଷାଜଳ ଗ୍ରହଣ କରିଥାଏ। ସେପ୍ଟେମ୍ବର ୨୫ ସୁଦ୍ଧା ଦିଲ୍ଲୀରେ ମୌସୁମୀ ଶେଷ ହୋଇଯାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଶେଷ ହୋଇନଥିବା ବେଳେ ଦିଲ୍ଲୀ ୧୧୦୦ ମିମି ବର୍ଷାଜଳ ଗ୍ରହଣ କରିଛି। କେବଳ ସେପ୍ଟେମ୍ବରରେ ଦିଲ୍ଲୀ ୩୮୦.୨ ମିମି ବର୍ଷାଜଳ ଗ୍ରହଣ କରିଛି। ୭୭ ବର୍ଷରେ ଏହା ସର୍ବାଧିକ। ପୂର୍ବରୁ ୧୯୪୪ ସେପ୍ଟେମ୍ବରରେ ଦିଲ୍ଲୀରେ ୪୧୭.୩ ମିମି ବର୍ଷା ରେକର୍ଡ ହୋଇଥିଲା।

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। କେତେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବାରୁ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି। ସେମାନଙ୍କ ପାଇଁ ତୁରନ୍ତ ଜରୁରୀ ସହାୟତା ବ୍ୟବସ୍ଥା କରାଯାଇଛି । ତେବେ ପ୍ରବଳ ବର୍ଷା ସତ୍ତ୍ବେ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe