ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ରିମାଣ୍ଡ ଅବଧିକୁ ଆଉ ୩ ଦିନ ବୃଦ୍ଧି କରିଛନ୍ତି ସ୍ୱତନ୍ତ୍ର ପିଏମ୍ଏଲ୍ଏ ଅଦାଲତ। ଜେଏମଏମ ନେତାଙ୍କୁ ଆଉ ୪ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିଲା। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର କାର୍ଯ୍ୟକାରୀ ସଭାପତି ସୋରେନଙ୍କୁ ଫେବ୍ରୁଆରି ୭ ତାରିଖରେ ସ୍ୱତନ୍ତ୍ର ପିଏମ୍ଏଲ୍ଏ (ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) କୋର୍ଟ ୫ଦିନିଆ ଇଡି ହେପାଜତକୁ ପଠାଇ ଦେଇଥିଲେ। ଫେବ୍ରୁଆରି ୨ ତାରିଖରେ କୋର୍ଟ ସୋରେନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ କରିଛି ଯେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍ ବେଆଇନ ଭାବେ ଥିବା ଜମିକୁ ବ୍ୟାଙ୍କେ୍ଵଟ୍ ହଲ୍ ନିର୍ମାଣରେ ବ୍ୟବହାର କରିବାକୁ ଚାହୁଁଥିଲେ।
କୋର୍ଟରେ ଦାଖଲ ରିମାଣ୍ଡ ଆବେଦନରେ ତଦନ୍ତକାରୀ ସଂସ୍ଥା ହେମନ୍ତ ସୋରେନ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ବିନୋଦ ସିଂହଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ହ୍ଵାଟ୍ସଆପ୍ ଚାଟ୍ ପ୍ରକାଶ କରିଛି, ଯାହା ଅତ୍ୟନ୍ତ ଆପତ୍ତିଜନକ ଏବଂ ଏଥିରେ ଏଭଳି ଅନେକ ବେଆଇନ ସମ୍ପତ୍ତିର ବିବରଣୀ ରହିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁଯାୟୀ, ହ୍ଵାଟ୍ସଆପ୍ ଚାଟ୍ ଗୁଡ଼ିକର ବିସ୍ତୃତ ଅନୁଧ୍ୟାନରୁ ୨୦୨୩ ଏପ୍ରିଲ ୬ ତାରିଖରେ ହେମନ୍ତ ସୋରେନଙ୍କ ସହ ବିନୋଦ ସିଂହ ସେୟାର କରିଥିବା ପ୍ରସ୍ତାବିତ ବ୍ୟାଙ୍କେ୍ଵଟ୍ ହଲ୍ର ଏକ ମାନଚିତ୍ର ସାମ୍ନାକୁ ଆସିଥିଲା।
ସୂଚନାଯୋଗ୍ୟ, ଏହି ଯୋଜନାରେ ନିର୍ଦ୍ଦିଷ୍ଟ ସ୍ଥାନ ସୋରେନଙ୍କ କବ୍ଜାରେ ଥିବା ବେଆଇନ ଅଧିଗ୍ରହଣ ପାଇଁ ବର୍ତ୍ତମାନ ତଦନ୍ତାଧୀନ ୮.୫ ଏକର ଜମି ସହ ଜଡ଼ିତ।
Follow Us