ୟୁକ୍ରେନ୍‌ର ବୀର: ରକ୍ତାକ୍ତ ମୁହଁର ସେଲ୍‌ଫି ଉଠାଇଥିବା ଲଢୁଆ ବିମାନ ପାଇଲଟ୍‌ଙ୍କୁ ସମ୍ମାନିତ କଲେ ଜେଲେନ୍‌ସ୍କି

Advertisment
ୟୁକ୍ରେନ୍‌ର ବୀର: ରକ୍ତାକ୍ତ ମୁହଁର ସେଲ୍‌ଫି ଉଠାଇଥିବା ଲଢୁଆ ବିମାନ ପାଇଲଟ୍‌ଙ୍କୁ ସମ୍ମାନିତ କଲେ ଜେଲେନ୍‌ସ୍କି

Image Courtesy of India Today

ନୂଆଦିଲ୍ଲୀ: ବିମାନରୁ ବାହାରିବା ପରେ ନିଜ ରକ୍ତାକ୍ତ ମୁହଁର ସେଲ୍‌ଫି ଉଠାଇଥିବା ଜଣେ ଲଢୁଆ ବିମାନ ପାଇଲଟଙ୍କୁ ଶୁକ୍ରବାର ଦିନ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ‘ୟୁକ୍ରେନ୍‌ର ବୀର’ ଭାବେ ସମ୍ମାନିତ କରିଥିବା କଥା ‘ନ୍ୟୁଜ୍‌ଉଇକ୍‌’ ରିପୋର୍ଟ କରିଛି।

ୟୁକ୍ରେନ୍‌ ସଶସ୍ତ୍ର ବାହିନୀରେ ମେଜର୍‌ ପାହ୍ୟାରେ ଥିବା ସେନା ପାଇଲଟ୍‌ ଭାଦିମି ଭୋରୋଶିଲୋଭ୍‌ ଅକ୍ଟୋବର ୧୨ ତାରିଖ ଦିନ ୟୁକ୍ରେନୀୟ ନଗରୀ ଭିନ୍ନିତ୍‌ସିଆ ଉପରେ ଇରାନ୍‌ରେ ଉତ୍ପାଦିତ ‘ଶାହେଦ୍‌-୧୩୬’ ଡ୍ରୋନ୍‌କୁ ଗୁଳି ମାରି ଖସାଇବା ପରେ ଦୁର୍ଘଟଣାଗ୍ରସ୍ତ ହେବାକୁ ଯାଉଥିବା ଲଢୁଆ ବିମାନରୁ ବାହାରି ନିଜ ରକ୍ତରଞ୍ଜିତ ମୁହଁର ସେଲ୍‌ଫି ଉତ୍ତୋଳନ କରିଥିଲେ।

ଉକ୍ତ ଡ୍ରୋନ୍‌ର ଭଗ୍ନ ଧାତବ ଖଣ୍ଡ ଆଘାତରେ ସେ ଚଳାଉଥିବା ‘ମିଗ୍‌-୨୯’ ବିମାନଟି କ୍ଷତିଗ୍ରସ୍ତ ହୋଇଥିଲା। ଡ୍ରୋନ୍‌ର ଭଗ୍ନାଂଶ ତାଙ୍କ ବେକ ଓ ଗାଲରେ ବି ପଶିଯାଇଥିଲା।

publive-image Image Courtesy of Business Today

ମେଜର୍‌ ଭାଦିମ ଓଲେକ୍ସା‌ନ୍ଦ୍ରୋଭିଚ୍‌ ଭୋରୋଶିଲୋଭ୍‌ଙ୍କୁ ‘ୟୁକ୍ରେନ୍‌ର ବୀର’ ଉପାଧି ଦିଆଯିବା ସହିତ ‘ଅର୍ଡର୍‌ ଅଫ୍‌ ଦି ଗୋଲ୍‌ଡ୍‌ ଷ୍ଟାର୍‌’ ପ୍ରଦାନ କରାଯିବ ବୋଲି ଜେଲେନ୍‌ସ୍କି ଘୋଷଣା କରିଥିଲେ।

ରାଷ୍ଟ୍ରର ସାର୍ବଭୌମତ୍ବ ଏବଂ ୟୁକ୍ରେନ୍‌ର ଆଞ୍ଚଳିକ ଅଖଣ୍ଡତା ସୁରକ୍ଷା କ୍ଷେତ୍ରରେ ବ୍ୟକ୍ତିଗତ ସାହସ ଓ ବୀରତ୍ବ ପ୍ରଦର୍ଶନ ତଥା ୟୁକ୍ରେନ୍‌ବାସୀଙ୍କ ପ୍ରତି ନିଃସ୍ବାର୍ଥ ସେବା ନିମନ୍ତେ ଏହି ଉପାଧି ପ୍ରଦାନ କରାଯାଉଛି ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମେଜର ଭୋରୋସିଲୋଭ୍‌ ‘ଗୋପ୍ରୋ’ କ୍ୟାମେରାରେ ଉତ୍ତୋଳିତ ଫଟୋ ଓ ଫୁଟେଜ୍‌ ନିୟମିତ ତାଙ୍କ ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରନ୍ତି। ସେଥିରୁ ୟୁକ୍ରେନ୍‌ ଲଢୁଆ ପାଇଲଟ୍‌ ଏବଂ ରୁଷୀୟ ଏରୋସ୍ପେସ୍‌ ଫୋର୍ସଙ୍କ ମଧ୍ୟରେ ଚାଲିଥିବା ଆକାଶୀ ଯୁଦ୍ଧର ଦୃଶ୍ୟାବଳି ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe