ଡେରା ସଚ୍ଚା ସୌଦାର ବେଆଇନ ସମ୍ପତ୍ତି ନେଇ ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ

Advertisment
ଡେରା ସଚ୍ଚା ସୌଦାର ବେଆଇନ ସମ୍ପତ୍ତି ନେଇ ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ

ଚଣ୍ଡୀଗଡ : ସିର୍ସା ସ୍ଥିତ ଡେରା ସଚ୍ଚା ସୌଦାର ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଆଜି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟାୟ କ୍ରମେ ଡେରା ମୁଖ୍ୟ ଗୁରୁମିତ ରାମ ରହିମ ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବରିଷ୍ଠ ଆଇନଜୀବୀ ଅନୁପମ ଗୁପ୍ତା ଡେରା ସଚ୍ଚା ସୌଦାର ଆର୍ଥିକ କାରବାର ନେଇ ଗଭୀର ତଦନ୍ତ ଦାବି କରିବାପରେ ଜଷ୍ଟିସ ସୁର୍ଯ୍ୟ କାନ୍ତ, ଅଗଷ୍ଟିନ୍‌ ଜର୍ଜ ମଶିହ ଏବଂ ଅବନିଶ ଝିଙ୍ଗନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରେଭିନ୍ୟୁ ରେକର୍ଡରେ ଡେରା ସଚ୍ଚା ସୌଦାର ସମୁଦାୟ ପରିସରକୁ ଏକ ଭିନ୍ନ ଗ୍ରାମ ଭାବେ ଘୋଷଣା କରି ହରିୟାଣା ସରକାର ବିଭିନ୍ନ ବେଆଇନ ନିର୍ମାଣ କାର୍ଯ୍ୟଗୁଡ଼ିକ ପାଇଁ ଆର୍ଥିକ ରିହାତି ଯୋଗାଇଦେଇଥିବା ନେଇ ମଧ୍ୟ ତଦନ୍ତ କାର୍ଯ୍ୟ ଜାରି ରହିବ।

ଡେରାରେ ବିଭିନ୍ନ ବେଆଇନ ନିର୍ମାଣ କାର୍ଯ୍ୟ ଗୁଡ଼କି ପାଇଁ ପୂର୍ବର ଭୁପିନ୍ଦର ସିଂ ହୁଦାଙ୍କ ସମୟର କଂଗ୍ରେସ ସରକାର ଏବଂ ବର୍ତ୍ତମାନର ମନୋହର ଲାଲ୍‌ ଖଟ୍ଟର ସରକାର ରାମ ରହିମଙ୍କୁ ଅନୁକମ୍ପା ଦେଖାଇଥିବା ଖବର ପହଞ୍ଚିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ସାଧ୍ୱୀ ଦୁଷ୍କର୍ମ ମାମଲାରେ ବାବା ରାମ ରହିମ ଦୋଷୀ ସାବ୍ୟସ୍ତ ହେବାପରେ ହରିୟାଣାର ପଞ୍ଚକୁଲା, ସିର୍ସା ଏବଂ ଅନ୍ୟ ଜିଲ୍ଲାରେ ହୋଇଥିବା ହିଂସାକାଣ୍ଡ ଜନିତ କ୍ଷୟକ୍ଷତି ଆକଳନ ପାଇଁ ଏକ କ୍ଷତିପୂରଣ ଟ୍ରିବ୍ୟୁନାଲ ଗଠନ ପାଇଁ ପଞ୍ଜାବ ଏବଂ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଡେରା ହେଡକ୍ୱାର୍ଟର ବାବଦରେ ସମସ୍ତ ତଥ୍ୟ କୋର୍ଟ କମିସନର ଦାଖଲ କରିବାପରେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୯ ତାରିଖରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe