ଜଳପାଇଗୁଡ଼ି ଟ୍ରେନ୍‌ ଦୁର୍ଘଟଣା: ୪ ମୃତ , ୨୦ ଆହତ; ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ, ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷିତ

Advertisment
ଜଳପାଇଗୁଡ଼ି ଟ୍ରେନ୍‌ ଦୁର୍ଘଟଣା: ୪ ମୃତ , ୨୦ ଆହତ; ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଦେଶ, ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷିତ

Image Courtesy of India Today

କୋଲ୍‌କାତା: ‘କମିସନ୍‌ ଅଫ୍‌ ରେଲ୍‌ୱେ ସେଫ୍ଟି’ ପଶ୍ଚିମବଙ୍ଗର ଜଳପାଇଗୁଡ଼ି‌ରେ ଘଟିଥିବା ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବ ବୋଲି ଆଦେଶ ଜାରି ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନସ୍ଥ ‘କମିସନ୍‌ ଅଫ୍‌ ରେଲ୍‌ୱେ ସେଫ୍ଟି’ ହେଉଛି ସାଙ୍ଘାତିକ ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ଭାରତୀୟ ରେଳ ସୁରକ୍ଷା କର୍ତ୍ତୃପକ୍ଷ।

ରାଜସ୍ଥାନର ବି‌କାନେର୍‌ରୁ ଯାତ୍ରା ଆରମ୍ଭ କରିଥିବା ବିକାନେର୍‌ ଏକ୍ସପ୍ରେସ୍‌ (୧୫୬୩୩) ପାଟଣା ଦେଇ ଆସାମର ଗୌହାଟୀକୁ ଯାଉଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ୫.୧୫ରେ ଜଳପାଇଗୁଡ଼ି ଅନ୍ତର୍ଗତ ମୈନାଗୁଡ଼ି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟେନ୍‌ଟି ଧାରଣାଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ବିକାନେର୍‌ରୁ ୧୭୭ ଏବଂ ପାଟଣା ଜଙ୍କ୍‌ସନ୍‌ରୁ ୯୮ ଜଣ ଯାତ୍ରୀଙ୍କ ସମେତ ୧୨୦୦ ଯାତ୍ରୀ ଥିବା ଉକ୍ତ ଟ୍ରେନ୍‌ର ପ୍ରାୟ ୧୨ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

publive-image Image Courtesy of Zee News

ମୃତ ଯାତ୍ରୀମାନଙ୍କ ପରିବାରବର୍ଗଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ, ସାଙ୍ଘାତିକ ଆହତ ଯାତ୍ରୀମାନଙ୍କ ପାଇଁ ୧ ଲକ୍ଷ ଟଙ୍କା ଲେଖାଏଁ ଏବଂ ସାମାନ୍ୟ ଆହତ ଯାତ୍ରୀମାନଙ୍କ ନିମନ୍ତେ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷିତ ହୋଇଛି।

ଘଟଣାରେ ମର୍ମାହତ ହୋଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍‌ କରିଛନ୍ତି, ମୈନାଗୁଡ଼ିରେ ବିକାନେର୍‌-ଗୌହାଟୀ ଏକ୍ସପ୍ରେସ୍‌ର ଦୁଃଖଦ ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ମର୍ମାହତ। ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ, ଉତ୍ତରବଙ୍ଗର ଡି.ଏମ୍‌./ଏସ୍‌ପି/ଆଇଜିମାନେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତଦାରଖ କରୁଛନ୍ତି। ଯଥା ଶୀଘ୍ର ସମ୍ଭବ ଆହତମାନଙ୍କୁ ଡାକ୍ତରୀ ଚିକିତ୍ସା ମିଳିବ।

ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼େ ମଧ୍ୟ ବିକାନେର୍‌-ଗୌହାଟୀ ଏକ୍ସପ୍ରେସ୍‌ ଦୁର୍ଘଟଣା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି।

ଧାରଣାଚ୍ୟୁତି ଯୋଗୁଁ ଭାରତୀୟ ରେଳବାଇ ୯ଟି ଟ୍ରେନ୍‌ର ଯାତ୍ରା ପଥ ପରିବର୍ତ୍ତନ କରିଛନ୍ତି। ଇଷ୍ଟର୍ଣ୍ଣ ରେଲ୍‌ୱେ ରାଜସ୍ଥାନ ଲାଗି ୦୧୫୧୨୭୨୫୯୪୨, ଆସାମ ଲାଗି ୦୩୬୧-୨୭୩୧୬୨୧, ୨୭୩୧୬୨୨, ୨୭୩୧୬୨୩ ଏବଂ ପଶ୍ଚିମବଙ୍ଗ ପାଇଁ ୮୧୩୪୦୫୪୯୯୯ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି। ଘଟଣାସ୍ଥଳରେ ପ୍ରାୟ ୫୧ଟି ଆମ୍ବୁଲାନ୍ସ୍‌ ରହିଛି। ରେଲ୍‌ୱେ ଡିଭିଜ୍‌ନାଲ୍‌ ମ୍ୟାନେଜର୍‌ ଦିଲୀପ କୁମାର ସିଂହଙ୍କ ସମେତ କେତେକ ଶୀର୍ଷସ୍ତରୀୟ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe