ଦେଶରେ ଓଡ଼ିଶା ପାଇଁ ସର୍ବାଧିକ ସତର୍କତା, ୮ ମାସରେ ଓଡ଼ିଶାକୁ ୫୧,୯୬୮ ବନାଗ୍ନି ସତର୍କତା

ବନାଗ୍ନି: ପୁଣି ଶୀର୍ଷରେ ଓଡ଼ିଶା, ଶିମିଳିପାଳ ସମେତ ୧୦୨ ଜଙ୍ଗଲରେ ବଡ଼ ନିଆଁ

ନୂଆଦିଲ୍ଲୀ : ନଭେମ୍ବର ୨୦୨୦ ରୁ ଜୁନ୍‌ ୨୦୨୧ (ଆଠ ମାସ) ମଧ୍ୟରେ ଫରେଷ୍ଟ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ଦ୍ବାରା ଓଡ଼ିଶା ପାଇଁ ୫୧ ହଜାର ୯୬୮ ବନାଗ୍ନି ସତର୍କତା (ଫରେଷ୍ଟ୍‌ ଫାୟାର୍‌ ଆଲର୍ଟ) ଜାରି କରାଯାଇଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ତୁଳନାରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟାରେ ଏଫ୍‌ଏସ୍‌ଆଇ ପକ୍ଷରୁ ଫରେଷ୍ଟ୍‌ ଫାୟାର୍‌ ଆଲର୍ଟ ଜାରି କରାଯାଇଥିବା ଆଜି ରାଜ୍ୟସଭାରେ କେନ୍ଦ୍ର ଜଙ୍ଗଲ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବିଜେଡି ସାଂସଦ ମମତା ମହନ୍ତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।

ଓଡ଼ିଶାରେ ନଭେମ୍ବର ୨୦୧୯ ରୁ ଜୁନ ୨୦୨୦ ମଧ୍ୟରେ ଫରେଷ୍ଟ୍‌ ଫାୟାର୍‌ ଆଲର୍ଟର ସଂଖ୍ୟା ୧୦ ହଜାର ୬୦୨ ଥିବାବେଳେ ୨୦୨୦-୨୧ରେ ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଥିବା କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନାରୁ ଜଣାପଡ଼ିଛି। ନଭେମ୍ବର ୨୦୨୦ ରୁ ଜୁନ୍‌ ୨୦୨୧ ମଧ୍ୟରେ ଦେଶରେ ସର୍ବମୋଟ ୩ ଲକ୍ଷ ୪୫ ହଜାର ୯୮୯ ଫରେଷ୍ଟ୍‌ ଫାୟାର୍‌ ଆଲର୍ଟ ଜାରି କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି। ଓଡ଼ିଶାରେ ଫରେଷ୍ଟ ଫାୟାର ଜନିତ କ୍ଷୟକ୍ଷତିର ଆକଳନ କରାଯାଇନଥିବା ମନ୍ତ୍ରୀଙ୍କ ଉତ୍ତରରେ ଦର୍ଶାଯାଇଛି। ଓଡ଼ିଶାରେ ଫରେଷ୍ଟ ଫାୟାରକୁ ନିୟନ୍ତ୍ରଣ ତଥା ପରିଚାଳନା ଯୋଜନା ପାଇଁ ୨୦୨୦-୨୧ ପାଇଁ ୪ କୋଟି ୫୫ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଷ୍ଟନ କରାଯାଇଥିବା ଉତ୍ତରରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe