ହିମାଚଳ‌ରେ କନ୍ଦାଉଛି ମୌସୁମୀ ବର୍ଷା: ୧୩ଦିନରେ ୬୩ଜଣକ ମୃତ୍ୟୁ, ନଷ୍ଟ ହୋଇଛି ୪୦୦କୋଟିର ସମ୍ପତ୍ତି

DABJH

ଶିମଲା:  ହିମାଚଳରେ ତାଣ୍ଡବ ରଚୁଛି ମୌସୁମୀ। ପ୍ରବଳ ବର୍ଷାରେ ବେହାଲ ହେଲେଣି ହିମାଚଳବାସୀ। ଅନେକ ଲୋକ ନିଜ ପ୍ରିୟଜନକୁ ହରାଇଥିବା ବେଳେ କିଛି ଲୋକଙ୍କ ମୁଣ୍ଡ ଉପରୁ ଛାତ ଉଡ଼ିଯାଇଛି। ବର୍ଷା ଧୋଇ ନେଇଛି ଖୁସି। ମୌସୁମୀ ଆସୁ ଆସୁ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଜୁନ୍ ୨୦ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରଠାରୁ, ମାତ୍ର ୧୩ ଦିନ ମଧ୍ୟରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଘଟଣାରେ ୬୩ ଜଣ ପ୍ରାଣ ହରାଇଛନ୍ତି। ଏହା ସହ ୪୦ ଜଣ ଏବେ ବି ନିଖୋଜ ଅଛନ୍ତି। ରାଜସ୍ୱ ବିଭାଗର ବିପର୍ଯ୍ୟୟ ପରିଚାଳନା ତଥ୍ୟ ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ପ୍ରାୟ ୪୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ ଜନ ଜୀବନ ଏବଂ ସମ୍ପତ୍ତିର କ୍ଷତି ହୋଇଛି। ମଣ୍ଡିରେ ସର୍ବାଧିକ କ୍ଷତି ହୋଇଥିବା ଜଣାଯାଇଛି। ମଣ୍ଡି ଜିଲ୍ଲାର ଥୁନାଗ, ବାଗସାୟେଡ (ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଜୟରାମ ଠାକୁରଙ୍କ ବିଧାନସଭା କ୍ଷେତ୍ରରେ ଆସିଥାଏ)ରେ ପ୍ରବଳ କ୍ଷୟକ୍ଷତି ହୋଇଛି। ଏହା ବ୍ୟତୀତ ମଣ୍ଡିର କରସୋଗ ଏବଂ ଧର୍ମପୁରରେ ମଧ୍ୟ ଅଧିକ କ୍ଷତି ହୋଇଛି।

ଏହି ଦୁଃଖଦ ଘଟଣା ଦ୍ୱାରା ମଣ୍ଡି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଠାରେ ଏପର୍ଯ୍ୟନ୍ତ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୩୦ ଜଣ ନିଖୋଜ ଅଛନ୍ତି। ଅନ୍ୟାନ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ, ବିଳାସପୁରରେ ୬, ଚମ୍ବାରେ ୬, ହମିରପୁରରେ ୨, କାଙ୍ଗଡ଼ାରେ ୧୩, କିନ୍ନୌରରେ ୨, କୁଲୁରେ ୪, ଲାହୌଲ ସ୍ପିତିରେ ୧, ଶିମଲାରେ ୫, ସିରମୌରରେ ୧, ସୋଲାନରେ ୨ ଏବଂ ଉନା ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଛି।

ଏପର୍ଯ୍ୟନ୍ତ ୧୦୯ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କର ଚିକିତ୍ସା ଚାଲିଛି। ଏହା ସହ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ନିରନ୍ତର ଜାରି ରହିଛି। କିନ୍ତୁ ଖରାପ ପାଗ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ପ୍ରବଳ ବର୍ଷା ଯୋଗୁଁ ୨୮୭ ପ୍ରାଣୀଙ୍କ ମଧ୍ୟ ମୃତ୍ୟୁ ହୋଇଛି, ଯାହା ଗ୍ରାମୀଣ ଅର୍ଥନୀତିକୁ ଏକ ବଡ଼ ଆଘାତ ଦେଇଛି। ରାସ୍ତା, ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହେବାରୁ ଲୋକଙ୍କ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe