ହିମାଚଳରେ ଅତିଥି ଭବନ ଭୁଶୁଡ଼ିଲା, ୨ ମୃତ, ଧ୍ବଂସସ୍ତୂପ ତଳେ ଫସିଛନ୍ତି ୨୫ ଯବାନ

Advertisment
ହିମାଚଳରେ ଅତିଥି ଭବନ ଭୁଶୁଡ଼ିଲା, ୨ ମୃତ, ଧ୍ବଂସସ୍ତୂପ ତଳେ ଫସିଛନ୍ତି ୨୫ ଯବାନ

ସୋଲନ: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର କୁମାରହଟ୍ଟି-ନାହନ ରାଜପଥ ପାର୍ଶ୍ବରେ ଥିବା ଏକ ୩ ମହଲା ବିଶିଷ୍ଟ ଅତିଥି ଭବନ ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଧ୍ବଂସ୍ତସ୍ତୂପ ତଳେ ୨୫ ଯବାନଙ୍କ ସମେତ ପ୍ରାୟ ୩୫ ଜଣ ଫସି ରହିଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ ସେଠାରେ ପ୍ରାୟ ୫୦ ରୁ ୫୫ ଜଣ ଥିଲେ ବୋଲି କୁହାଯାଉଛି। ଭଗ୍ନାବଶେଷ ଭିତରୁ ୧୦ ଜଣ ଯବାନଙ୍କ ସମେତ ୧୭ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୨୫ ଜଣ ଯବାନଙ୍କ ସମେତ ଅନ୍ୟମାନେ ଫସି ରହିଛନ୍ତି। ଅତିଥି ଭବନର ସମସ୍ତ କର୍ମଚାରୀ ଭଗ୍ନାବଶେଷ ତଳେ ଦବି ରହିଛନ୍ତି। ଆହତଙ୍କ ଯବାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଦ୍ବାରା ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ତେବେ ଲଗାଣ ବର୍ଷା ଯୋଗୁଁ ଏଥିରେ ବାଧା ଉପୁଜିଛି। ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି। ଅତିଥି ଭବନ ଭୁଶୁଡ଼ିବାର କାରଣ ଜଣାପଡ଼ିନାହିଁ। ହିମାଚଳ ପ୍ରଦେଶରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଛି।

ଏହି ଅତିଥି ଭବନରେ ସେନାର ଯବାନ ‌ମଧ୍ୟାହ୍ନ ଭୋଜନ ପାଇଁ ଅଟକି ଥିଲେ। ଏହି ସମୟରେ ଅଚାନକ ସମଗ୍ର କୋଠା ଭୁଶୁଡ଼ି ପଡ଼ିଥିଲା। ସେନା ଯବାନଙ୍କ ସମେତ ଅତିଥି ଭବନର ସମସ୍ତ କର୍ମଚାରୀ ଏବଂ ସେଠାରେ ଉପସ୍ଥିତ ଅନ୍ୟମାନେ ଧ୍ବଂସ୍ତସ୍ତୂପ ତଳେ ଦବି ଯାଇଥିଲେ । ସେନାର ତୁରନ୍ତ କାର୍ଯ୍ୟାନୁଷ୍ଠାନରେ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ସୋଲନରେ ପ୍ରବଳ ବର୍ଷା ହୋଇଥିଲା ଏବଂ ଏହି ଲଗାଣ ବର୍ଷା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଥିଲା। ବର୍ଷା ଯୋଗୁଁ ନିକଟସ୍ଥା ନାଳରେ ବନ୍ୟା ଜଳ ଆସି କୁମାରହଟ୍ଟି ରାଜପଥକୁ ବୁଡ଼ାଇବା ସହ ଏବଂ ଭୁଶୁଡ଼ି ପଡ଼ିଥିବା ଅତିଥି ଭବନ ଭିତରେ ପଶିଥିଲା। ପର୍ଯ୍ୟଟକମାନେ ମଧ୍ୟ ଏଭଳି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଘୋର ହଟହଟାର ସମ୍ମୁଖୀନ ହୋଇଥିଲେ। ଆଜି ସକାଳେ ପରିସ୍ଥିତିରେ ସୁଧାର ହେବାପରେ ରାଜପଥରେ ଯାନ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe