ହିମାଳୟ ଅଞ୍ଚଳ ଗମ୍ଭୀର ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ: ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନକଲେ ସୁପ୍ରିମ୍‌କୋର୍ଟ

ହିମାଳୟ ଅଞ୍ଚଳର ରାଜ୍ୟଗୁଡ଼ିକରେ ପରିବେଶ ଅସନ୍ତୁଳନକୁ ନେଇ ଚିନ୍ତା ପ୍ରକଟ କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଏହି ଅଞ୍ଚଳ ଏକ ଗୁରୁତର ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି। ଏହି ପରିସ୍ଥିତିରେ ହିମାଚଳ ପ୍ରଦେଶ ସରକାରଙ୍କ ପଦକ୍ଷେପକୁ....

supreme court

ନୂଆଦିଲ୍ଲୀ: ହିମାଳୟ ଅଞ୍ଚଳର ରାଜ୍ୟଗୁଡ଼ିକରେ ପରିବେଶ ଅସନ୍ତୁଳନକୁ ନେଇ ଚିନ୍ତା ପ୍ରକଟ କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଏହି ଅଞ୍ଚଳ ଏକ ଗୁରୁତର ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି। ଏହି ପରିସ୍ଥିତିରେ ହିମାଚଳ ପ୍ରଦେଶ ସରକାରଙ୍କ ପଦକ୍ଷେପକୁ ନେଇ କୋର୍ଟ ଅନେକ ପ୍ରଶ୍ନ ପଚାରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବନ୍ୟା ଓ ଭୂସ୍ଖଳନରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

ଏହି ମୌସୁମୀ ଋତୁରେ ଅଭୂତପୂର୍ବ ବର୍ଷା ହୋଇଛି, ଯାହା ହିମାଚଳ ପ୍ରଦେଶର ଭଙ୍ଗୁର ଇକୋସିଷ୍ଟମ୍‌ରେ କ୍ଷତି ଘଟାଇଛି। ବିଭିନ୍ନ ଅଞ୍ଚଳରେ ହୋଇଥିବା ବନ୍ୟା ଜୀବନ ଓ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ହୋଇଥିବା ବିନାଶକାରୀ ଭୂସ୍ଖଳନ ଯୋଗୁଁ ବହୁ ସଂଖ୍ୟକ ଘର, ସ୍ଥାୟୀ ସଂରଚନା, ଅସ୍ଥାୟୀ କୋଠା ଧୋଇ ଯାଇଛି ବୋଲି ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି। ଏଥିରେ ଆହୁରି କୁହାଯାଇଛି ଯେ, ହିମାଚଳ ପ୍ରଦେଶ ଏବଂ ହିମାଳୟ ଅଞ୍ଚଳର ସମସ୍ତ ରାଜ୍ୟ ଏକ ଗୁରୁତର ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଧ୍ବଂସ, ରାଜପଥ ଓ ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ, ଜଳବିଦ୍ୟୁତ୍ ପ୍ରକଳ୍ପ, ଖଣି, ବିପର୍ଯ୍ୟୟ ପରିଚାଳନା ଯୋଜନା, ପର୍ଯ୍ୟଟନ ନୀତି ଓ କଟାଯାଇଥିବା ଗଛ ସଂଖ୍ୟା ସମେତ ହିମାଚଳ ପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟ ସବିଶେଷ ତଥ୍ୟ ମାଗିଛନ୍ତି। ଅକ୍ଟୋବର ୨୮ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ରାଜ୍ୟ ଜଙ୍ଗଲ ବିଭାଗର ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ହିମାଚଳର ବିପର୍ଯ୍ୟୟ ପାଇଁ ପ୍ରକୃତି ନୁହେଁ, ମଣିଷ ଦାୟୀ।  

ସର୍ବୋଚ୍ଚ ନ୍ୟାୟାଳୟ ଏହା ପୂର୍ବରୁ ରାଜ୍ୟରେ ପରିବେଶ ଅସନ୍ତୁଳନକୁ ସ୍ବତଃ ସଂଜ୍ଞାନକୁ ନେଇଥିଲେ। ଏହି ମାମଲାରେ ସୁପ୍ରିମ୍‌କୋର୍ଟଙ୍କୁ ସହାୟତା କରୁଥିବା ବରିଷ୍ଠ ଆଇନଜୀବୀ କେ ପରମେଶ୍ୱରଙ୍କ ଦ୍ୱାରା ପ୍ରସ୍ତୁତ ଅନେକ ପ୍ରଶ୍ନ ସୁପ୍ରିମ୍‌କୋର୍ଟ ରେକର୍ଡ କରିଛନ୍ତି। ସୁପ୍ରିମ୍‌କୋର୍ଟ ରାଜ୍ୟର ସମୁଦାୟ ଜଙ୍ଗଲ ଅଞ୍ଚଳ ଏବଂ ଗତ ଦୁଇ ଦଶନ୍ଧି ମଧ୍ୟରେ ଅଣ-ଜଙ୍ଗଲ ବ୍ୟବହାର ପାଇଁ ଜଙ୍ଗଲ ଅଞ୍ଚଳକୁ କେତେ ପରିମାଣରେ କିସମ ପରିବର୍ତ୍ତନ କରାଯାଇଛି ସେ ବିଷୟରେ ପଚାରିଥିଲେ। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ କେତେ ପ୍ରତିଶତ ବୃକ୍ଷ ଆବରଣ ଓ ଜଙ୍ଗଲ ଆବରଣରେ ପରିବର୍ତ୍ତନ ହୋଇଛି ଜାଣିବାକୁ ଚାହିଥିଲେ। ଏହା ବ୍ୟତୀତ ଗତ ୧୦ ବର୍ଷ ମଧ୍ୟରେ ବେସରକାରୀ ସଂସ୍ଥା, ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ୫୦୦ କିମ୍ବା ଅଧିକ ଗଛ କାଟିବା ପାଇଁ ଦିଆଯାଇଥିବା ଅନୁମତି ସଂଖ୍ୟା, ରାଜ୍ୟରେ ବେଆଇନ ଗଛ କାଟିବା ପାଇଁ ବିଚାରାଧୀନ ମାମଲାର ବିବରଣୀ ଏବଂ ବର୍ତ୍ତମାନର ସ୍ଥିତି ରିପୋର୍ଟକୁ ରେକର୍ଡରେ ରଖିବାକୁ କୁହାଯାଇଛି।  କୋର୍ଟ ଆହୁରି ପଚାରିଥିଲେ ଯେ, ରାଜ୍ୟର ଜଳବାୟୁ ପରିବର୍ତ୍ତନ ନୀତି ଅଛି କି ନାହିଁ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହେଉଥିବା କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ରାଜ୍ୟ ଦ୍ୱାରା କ’ଣ ପଦକ୍ଷେପ ନିଆଯାଇଛି। ସୁପ୍ରିମ୍‌କୋର୍ଟ ଗତ ୨୦ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଣ୍ଟିତ ପାଣ୍ଠିର ବିବରଣୀ, ଏହାର କାର୍ଯ୍ୟକାରିତା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ କାର୍ଯ୍ୟକାରିତାର ବିବରଣୀ ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe