Image Courtesy of India Today
ଚେନ୍ନାଇ: ହିନ୍ଦୀ ଅନୁନ୍ନତ ରାଜ୍ୟର ଭାଷା ବୋଲି କହି ଭାଷା-ସଂଗ୍ରାମ ବିତର୍କରେ ‘ଡିଏମ୍କେ’ ସାଂସଦ ଟିକେଏସ୍ ଏଲଙ୍ଗବନ୍ ସଦ୍ୟ ବିବାଦର ସୂତ୍ରପାତ କରିଛନ୍ତି। ହିନ୍ଦୀ କେବଳ ଶୂଦ୍ରମାନଙ୍କ ପାଇଁ କହି ସେ ଜାତିଆଣା ମନ୍ତବ୍ୟ ମଧ୍ୟ ଦେଇଛନ୍ତି।
ଟିକେଏସ୍ ଏଲଙ୍ଗବନ୍ କହିଛନ୍ତି, ହିନ୍ଦୀ ହେଉଛି କେବଳ ବିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଭଳି ଅନୁନ୍ନତ ରାଜ୍ୟଗୁଡ଼ିକର ଦେଶୀୟ ଭାଷା।
ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଏବଂ ପଞ୍ଜାବ ଆଦି ରାଜ୍ୟକୁ ଦେଖ। ଏସବୁ କ’ଣ ଉନ୍ନତ ରାଜ୍ୟ ନୁହେଁ? ହିନ୍ଦୀ ଏସବୁ ରାଜ୍ୟମାନଙ୍କର ମାତୃଭାଷା ନୁହେଁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି: ହିନ୍ଦୀ ଭାଷା ଆମକୁ ଶୂଦ୍ର କରିପକାଇବ। ହିନ୍ଦୀ ଆମ ପାଇଁ ଶୁଭଙ୍କର ନୁହେଁ।
Image Courtesy of Hindu Tamilନୂଆଦିଲ୍ଲୀରେ ‘ସାଂସଦୀୟ ଆନୁଷ୍ଠାନିକ ଭାଷା କମିଟି’ର ୩୭ଶ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ଆଞ୍ଚଳିକ ଭାଷା ନୁହେଁ, ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାବେ ଗ୍ରହଣ କରାଯିବା ଉଚିତ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ହିନ୍ଦୀ ଭାଷା ପ୍ରଣୟନ ନୀତିକୁ ‘ଡିଏମ୍କେ’ର ନେତାମାନେ ତୀବ୍ର ବିରୋଧ କରି ଆସୁଛନ୍ତି। ହିନ୍ଦୀ ଭାଷା ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ପ୍ରସିଦ୍ଧ ବିବୃତିକୁ ଏବେ ମଧ୍ୟ ତାମିଲୀୟମାନେ ମନେରଖିଥିବା କଥା ସେମାନେ କହୁଛନ୍ତି।
ହିନ୍ଦୀ ଭାଷାକୁ ବିରୋଧ କରି ୧୯୩୦ ଦଶକ ଶେଷ ଭାଗରେ କରୁଣାନିଧି ଲେଖିଥିବା କବିତା ‘ୱାର୍ଣ୍ଣିଙ୍ଗ୍ ଟୁ ଦି ୟୁନିୟନ୍ ଗଭର୍ଣ୍ଣମେଣ୍ଟ୍’କୁ ‘ମୁରାସୋଲି’ ସମ୍ବାଦପତ୍ରରେ ମଧ୍ୟ ପ୍ରକାଶ କରାଯାଇଛି। ଏହି କବିତା ବିଷୟରେ କରୁଣାନିଧି ବହୁବାର କହିଛନ୍ତି। ୧୯୩୮ ମସିହାରେ ୧୪ ବର୍ଷର ଛାତ୍ର ଭାବେ ସେ ଏହି କବିତା ଲେଖିଥିଲେ। ଅନ୍ୟ ଛାତ୍ରମାନଙ୍କ ସହିତ ମିଶି ପୈତୃକ ଗାଁ ତିରୁବରୁର ରାସ୍ତାରେ ହିନ୍ଦୀ ଭାଷା ପ୍ରଣୟନକୁ ବିରୋଧ କରି ସ୍ଲୋଗାନ୍ ଦେଇ ସେ ପଦଯାତ୍ରା କରିଥିଲେ।
Follow Us