ନୂଆଦିଲ୍ଲୀ: ଅଗଷ୍ଟ ୨୩ରେ ଭାରତର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଛନ୍ତି। ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା ‘ଚନ୍ଦ୍ରଯାନ-୩’। ଏହା ପରେ ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନକୁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଶିବଶକ୍ତି ସ୍ଥଳ’ ଭାବେ ନାମିତ କରିଥିଲେ। ଏନେଇ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିବା ବେଳେ ଚନ୍ଦ୍ରକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ଦାବି କରିଛନ୍ତି ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି।
ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ସ୍ବାମୀ ଚକ୍ରପାଣି ରବିବାର କହିଛନ୍ତି ଯେ "ଜିହାଦି ମାନସିକତାର ଲୋକମାନେ ଚନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଚନ୍ଦ୍ରକୁ ହିନ୍ଦୁ ରାଷ୍ଟ୍ର ଘୋଷିତ କରାଯିବା ଉଚିତ ଏବଂ ‘ଶିବଶକ୍ତି ସ୍ଥଳ’କୁ ହିନ୍ଦୁ ରାଷ୍ଟ୍ରର ରାଜଧାନୀ କରାଯିବା ଉଚିତ୍। ଆମେ ‘ଶିବଶକ୍ତି ସ୍ଥଳ’କୁ ଶିବଶକ୍ତି ଧାମ ଭାବରେ ଦେଖୁଛୁ। ମୁଁ ହିନ୍ଦୁ ମହାସଭା, ସନ୍ଥ ମହାସଭାର ନାମରେ ସରକାରଙ୍କୁ ଏକ ଚିଠି ପଠାଉଛି ଯେ ଚନ୍ଦ୍ରଙ୍କୁ ହିନ୍ଦୁ ରାଷ୍ଟ୍ର ଘୋଷିତ କରାଯିବା ଉଚିତ ଏବଂ ‘ଶିବଶକ୍ତି ସ୍ଥଳ’ ଏହାର ରାଜଧାନୀ ହେବା ଉଚିତ। ଆମେ ଏହା ମଧ୍ୟ ପ୍ରସ୍ତାବ ଦେଇଛୁ ଯେ, ଯିବା ଆସିବା ସମ୍ଭବ ହେବା ପରେ ଆମେ ‘ଶିବଶକ୍ତି ସ୍ଥଳ’ରେ ଭଗବାନ ଶିବ, ମାତା ପାର୍ବତୀ ଏବଂ ଭଗବାନ ଗଣେଶଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରିବୁ।
Follow Us