ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ଓ ଘୃଣାର ତାଣ୍ଡବ ଭିତରେ ବି ହିନ୍ଦୁ-ମୁସ୍ଲିମ ଏକତାର ଅନେକ ଉଦାହରଣ ଲୋକଙ୍କୁ ଆଶ୍ବସ୍ତ କରିଛି। ୪ ଦିନ ଧରି ଉତ୍ତର ପୂର୍ବ ଦିଲ୍ଲୀରେ ଯେଉଁ ହିଂସା ଲାଗି ରହିଥିଲା ସେଥିଯୋଗୁଁ ଅନେକ ଲୋକଙ୍କ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ଦଙ୍ଗାକାରୀମାନେ ଘରଦ୍ବାର ଏବଂ ଦୋକାନ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିଯୋଗୁଁ ଶହ ଶହ ପରିବାର ବାସହରା ହୋଇଯାଇଛନ୍ତି। ଉତ୍ତରପୂର୍ବ ଦିଲ୍ଲୀର ଅଶୋକ ନଗର ବାସିନ୍ଦା ଏଥିଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ପ୍ରାୟ ୪୦ଟି ମୁସଲିମ୍ ପରିବାରକୁ ସେମାନଙ୍କ ଘର ଜଳିଯିବା ପରେ ହିନ୍ଦୁ ପଡ଼ୋଶୀମାନେ ଆଶ୍ରୟ ଦେଇଛନ୍ତି। ଅସହାୟ ଅବସ୍ଥାରେ ଥିବା ମୁସ୍ଲିମଙ୍କୁ ହିନ୍ଦୁମାନେ ଏକ୍ଜୁଟ ହୋଇ ସହାୟତାର ହାତ ବଢ଼ାଇଛନ୍ତି। ସେହିଭଳି ଜାଫରାବାଦର କେତେକ ମୁସ୍ଲିମ ବହୁଳ ଅଂଚଳରେ ମଧ୍ୟ ହିନ୍ଦୁଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ମୁସ୍ଲିମ ପଡ଼ୋଶୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
ଅନେକ ସ୍ଥାନରେ ଅସହାୟକ ଅବସ୍ଥାରେ ରହିଥିବା ମୁସ୍ଲିମଙ୍କୁ ହିନ୍ଦୁମାନେ ସୁରକ୍ଷିତ ସ୍ଥାନକୁ ନେଇଥିବା ଦେଖିବାକୁ ମିଳିଛି। ଦଙ୍ଗା ପୀଡ଼ିତ ମହମ୍ମଦ ରଶିଦ କହିଛନ୍ତି, ଦଙ୍ଗାକାରୀମାନେ କିଛି ବି ଛାଡ଼ିନାହାନ୍ତି, ସବୁକିଛି ସେମାନେ ଲୁଟି ନେଇଛନ୍ତି। ସବୁକିଛି ପୋଡ଼ି ପାଉଁଶ କରିଦେଇଛନ୍ତି। ଏଭଳି ସ୍ଥିତିରେ ହିନ୍ଦୁ ବନ୍ଧୁମାନେ ଆମକୁ ସହଯୋଗ କରିଛନ୍ତି ଏବଂ ସେମାନଙ୍କ ଘରେ ଆମକୁ ଆଶ୍ରୟ ଦେଇଛନ୍ତି। ସେ କହିଛନ୍ତି, ଦୀର୍ଘ ୨୫ ବର୍ଷ ଧରି ସେ ଏହି ସ୍ଥାନରେ ରହିଛନ୍ତି, କିନ୍ତୁ କେବେ ବି ପଡ଼ୋଶୀ ହିନ୍ଦୁଙ୍କ ସହ ବିବାଦ ହୋଇନାହିଁ। ଏଠାରେ ଆମେ ଗୋଟିଏ ପରିବାର ଭଳି ବସବାସ କରିଛୁ ବୋଲି ରଶିଦ କହିଛନ୍ତି। ସେହିପରି ଅନ୍ୟ ଜଣେ ବାସିନ୍ଦା ନିରଜ କୁମାର କହିଛନ୍ତି, ହିଂସା ପରେ ସମ୍ପୃକ୍ତ ଅଞ୍ଚଳରେ ସବୁ ଲୋକ ପରସ୍ପରକୁ ସହଯୋଗର ହାତ ବଢ଼ାଇଛନ୍ତି।
Follow Us