ହିନ୍ଦୁମାନେ ଜନ୍ମମାଟି ଛାଡିବାକୁ ନାରାଜ: ବାଂଲାଦେଶ ଆମର, ଜୀବନ ଥିବା ଯାଏଁ ଲଢ଼ିବୁ, ମିଳିଲା ମୁସଲମାନଙ୍କ ସମର୍ଥନ

ହିନ୍ଦୁମାନେ ଜନ୍ମମାଟି ଛାଡିବାକୁ ନାରାଜ: ବାଂଲାଦେଶ ଆମର, ଜୀବନ ଥିବା ଯାଏଁ ଲଢ଼ିବୁ, ମିଳିଲା ମୁସଲମାନଙ୍କ ସମର୍ଥନ

ଢାକା: ବାଂଲାଦେଶ ରାଜନୈତିକ ସଙ୍କଟ ଜାରି ରହିଛି। କ୍ଷମତା ଦଖଲ ପରେ ଦେଶରେ ହୋଇଥିବା ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ନେଇ ବିଶ୍ବସ୍ତରରେ ପ୍ରତିବାଦ ହେବାରେ ଲାଗିଛି। ବିଶେଷ କରି ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି। ପ୍ରକାଶିତ ପରିସଂଖ୍ୟାନ ଅନୁସାରେ ୫ ଅଗଷ୍ଟ ୨୦୨୫ ପରେ ବାଂଲାଦେଶରେ ୨୩୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଦେଶର ୫୨ଟି ଜିଲ୍ଲାରେ ୨୦୫ ଟି ହିଂସା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାଗୁଡ଼ିକ ମଧ୍ୟରୁ ଅଧିକାଂଶ ହିନ୍ଦୁଙ୍କ ବିରୋଧରେ ଦେଖାଯାଉଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ହଜାର ହଜାର ହିନ୍ଦୁ ରାଜରାସ୍ତାରେ ଏହାକୁ ବିରୋଧ କରୁଛନ୍ତି। ବାଂଲାଦେଶ ବ୍ୟତୀତ ଭାରତ ଏବଂ ଆମେରିକାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ ତୀବ୍ର ବିରୋଧ କରାଯାଉଛି।

ବାଂଲାଦେଶର ହିନ୍ଦୁମାନେ ନିଜର ଜନ୍ମମାଟି ଛାଡିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ହେଉଥିବା ଅତ୍ୟାଚାର ବିରୋଧରେ ପ୍ରଦର୍ଶନ କରି ସ୍ଲୋଗାନ୍ ଦେଉଛନ୍ତି ବାଂଲାଦେଶ ଆମର, ଜୀବନ ଥିବା ଯାଏଁ ଆମେ ଲଢ଼ିବୁ। ହିନ୍ଦୁମାନଙ୍କ ସହ ଏବେ ବହୁ ମୁସଲମାନ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଛାତ୍ରମାନେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ କରିବା ଆରମ୍ଭ କରିଛନ୍ତି।

ଏହା ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ ସମସ୍ତ ଛାତ୍ରଙ୍କୁ ଶାନ୍ତି ପାଇଁ ଅପିଲ୍ କରିଥିଲେ। ମହମ୍ମଦ ୟୁନୁସ ବାଂଲାଦେଶୀ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ପଚାରିଥିଲେ ଯେ ସଂଖ୍ୟାଲଘୁ ଏବଂ ହିନ୍ଦୁ ଆମ ଦେଶର ବାସିନ୍ଦା ନୁହଁନ୍ତି କି? ଆପଣ ଏହି ଦେଶକୁ ସୁରକ୍ଷା ଦେଇଛନ୍ତି ତେଣୁ ଆପଣ ସେହି ପରିବାରଗୁଡିକର ସୁରକ୍ଷା କାହିଁକି କରିପାରିବେ ନାହିଁ? ହିନ୍ଦୁମାନେ ଆମର ଭାଇ। ସେମାନେ ବାଂଲାଦେଶର ନାଗରିକ। ଆମେ ଏକାଠି ଲଢ଼ିଛେ ଏବଂ ଏକାଠି ରହିବା।

ହିନ୍ଦୁମାନଙ୍କ ସମେତ ବହୁ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ବାଂଲାଦେଶରେ ଚାଲିଥିବା ହିଂସାତ୍ମକ କାର୍ଯ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ହିନ୍ଦୁମାନେ ଏକାଠି ବିଭିନ୍ନ ରାଲିର ଆୟୋଜନ କରିଛନ୍ତି। ସେମାନେ କହିଛନ୍ତି ବାଂଲାଦେଶ ଆମର ଜନ୍ମମାଟି। ବାଂଲାଦେଶ ଆମର ମାତୃଭୂମି ଏବଂ ଆମେ ଏହାକୁ କେବେ ବି ଛାଡିବୁ ନାହିଁ ।

ଏହି ରାଲିରେ ବାଂଲାଦେଶୀ ହିନ୍ଦୁ ସମାଜକୁ ସୁରକ୍ଷା ଦେବା ଭଳି ସ୍ଲୋଗାନ ମଧ୍ୟ ଶୁଣିବାକୁ ମିଳୁଛି। ଅନେକ ଲୋକ ଜୟ ଶ୍ରୀରାମ ସ୍ଲୋଗାନ ମଧ୍ୟ ଦେଉଥିବାର ନଜର ଆସିଛନ୍ତି। ମନ୍ଦିର ଭାଙ୍ଗିବା ଏବଂ ଝିଅମାନଙ୍କୁ ଟାର୍ଗେଟ କରାଯାଉଥିବାରୁ ବାଂଲାଦେଶୀ ହିନ୍ଦୁମାନେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି।

ବାଂଲାଦେଶରେ ୧୦୦ରୁ ଅଧିକ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏ ସମ୍ପର୍କରେ ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ କରାଯାଉଛି। ଆମେରିକାରରେ ମଧ୍ୟ ଏନେଇ ପ୍ରଦର୍ଶନ କରାଯାଉଛି।

ରବିବାର ସକାଳେ ହ୍ୟୁଷ୍ଟନର ସୁଗାର ଲ୍ୟାଣ୍ଡ ସିଟି ହଲରେ ପ୍ରାୟ ୩୦୦ଲୋକ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ଭାରତୀୟ ମୂଳ ଆମେରିକୀୟ ଏବଂ ବାଂଲାଦେଶୀ ନାଗରିକମାନେ ସାମିଲ ହୋଇଥିଲେ। ସମସ୍ତେ ଆମେରିକା ସରକାରଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ବାଂଲାଦେଶୀ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଆମେରିକା ସରକାର ଠୋସ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe