Image Courtesy of NDTV
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଭାରତ ତାଙ୍କ ପ୍ରତି ସକୃତଜ୍ଞ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ନିଜ ପରିକଳ୍ପିତ ସ୍ବାଧୀନ ଭାରତ (ଆଜାଦ୍ ହିନ୍ଦ୍) ଲାଗି ଭୀଷଣ ପ୍ରତିବଦ୍ଧତାକୁ ଚରିତାର୍ଥ କରିବାକୁ ସେ ଗ୍ରହଣ କରିଥିବା ଦୁଃସାହସିକ ପଦକ୍ଷେପ ତାଙ୍କୁ ଜାତୀୟ ବ୍ୟକ୍ତିତ୍ବରେ ପରିଗଣିତ କରିଛି। ତାଙ୍କର ଆଦର୍ଶ ଏବଂ ତ୍ୟାଗ ଚିରକାଳ ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରିବ।
Image Courtesy of Zee Newsମହାନ୍ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଟୁଇଟର୍ ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶ ପ୍ରତି ତାଙ୍କର ବିଶାଳ ଅବଦାନ ପାଇଁ ପ୍ରତ୍ୟେକ ଭାରତୀୟ ଗୌରବାନ୍ବିତ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଗରେ ମୁଁ ନତମସ୍ତକ।
କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହ ମଧ୍ୟ ମାତୃଭୂମୀ ପାଇଁ ଅତୁଳନୀୟ ସଂଗ୍ରାମ କରିଥିବା ନେତାଜୀଙ୍କୁ ସ୍ମରଣ କରିଛନ୍ତି। ସେ କହିଛନ୍ତି, ଅସାମାନ୍ୟ ଦେଶପ୍ରୀତି, ଅଦମ୍ୟ ସାହସ ଏବଂ ମନ୍ତ୍ରମୁଗ୍ଧ ଭାଷଣ ସହ ସେ ଯୁବବର୍ଗଙ୍କୁ ସଙ୍ଗଠିତ କରି ବିଦେଶୀ ଶାସନର ମୂଳଦୁଆ ଦୋହଲାଇ ଦେଇଥିଲେ। ମାତୃଭୂମୀ ପ୍ରତି ତାଙ୍କର ଅତୁଳନୀୟ ତ୍ୟାଗ, ପ୍ରତିବଦ୍ଧତା ଏବଂ ସଂଗ୍ରାମ ସର୍ବଦା ଦେଶକୁ ଦିଗ୍ଦର୍ଶନ ଦେଉଥିବ।
ଉଲ୍ଲେଖଯୋଗ୍ୟ, ଆଜି ଠାରୁ ଦେଶର ସାଧାରଣତନ୍ତ୍ର ଦିବସ ପାଳନ ଆରମ୍ଭ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ‘ଇଣ୍ଡିଆ ଗେଟ୍’ରେ ନେତାଜୀଙ୍କର ଏକ ‘ହଲୋଗ୍ରାମ୍’ ପ୍ରତିମୂର୍ତ୍ତି ଉଦ୍ଘାଟନ କରିବେ। ନେତାଜୀଙ୍କର ଗ୍ରେନାଇଟ୍ ପ୍ରତିମୂର୍ତ୍ତି ନିର୍ମାଣ ଶେଷ ହୋଇ ସ୍ଥାପନା ହେବା ପର୍ଯ୍ୟନ୍ତ ‘ହଲୋଗ୍ରାମ୍’ ପ୍ରତିମୂର୍ତ୍ତିଟି ପ୍ରଦର୍ଶନ ହେଉଥିବ।
Follow Us