ଇସ୍ରାଏଲ-ପାଲେଷ୍ଟାଇନ ଶତ୍ରୁତାର ରକ୍ତରଂଜିତ ଇତିହାସ : କେବେ ହେବ ଆତଙ୍କର ଅବସାନ ?

Advertisment
ଇସ୍ରାଏଲ-ପାଲେଷ୍ଟାଇନ ଶତ୍ରୁତାର ରକ୍ତରଂଜିତ ଇତିହାସ : କେବେ ହେବ ଆତଙ୍କର ଅବସାନ ?

ନୂଆଦିଲ୍ଲୀ: ଶନିବାର ଗାଜାରୁ ଇସ୍ରାଏଲ ଉପରକୁ ହଜାର ହଜାର ରକେଟ ମାଡ଼ ଏବଂ ପାଲେଷ୍ଟାଇନ ଆତଙ୍କବାଦୀମାନେ ଇସ୍ରାଏଲରେ ଅନୁପ୍ରବେଶ କରି ବୀଭତ୍ସ ସଂହାର ଲୀଳା ଘଟାଇବା ଘଟଣା ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଏକ ବଡ଼ ଯୁଦ୍ଧ ପାଇଁ ବାଟ ଖୋଲିଦେଇଛି। ଇସ୍ରାଏଲ-ପାଲେଷ୍ଟାଇନ ବିବାଦରେ ମାସ ମାସ ଧରି ହିଂସା ଲାଗି ରହିବା ପରେ ଗାଜାରୁ ଇସ୍ରାଏଲ ଉପରେ ରକେଟ୍ ବର୍ଷା ହୋଇଥିଲା। ୧୯୬୭ ଆରବ-ଇସ୍ରାଏଲ୍ ବିବାଦ ପରେ ଇସ୍ରାଏଲ ନିଜ ଦଖଲକୁ ନେଇଥିବା ଅଂଚଳରେ ସର୍ବାଧିକ ମୃତ୍ୟୁ ଘଟିଛି। ଇସ୍ରାଏଲ ଉପରେ ହୋଇଥିବା ରକେଟ ଆକ୍ରମଣ ପାଇଁ ପାଲେଷ୍ଟାଇନର ହମାସ ଗୋଷ୍ଠୀ ନିଜକୁ ଦାୟୀ କରିବା ସହ ଏହାର ଉଗ୍ରବାଦୀମାନେ ଦୀର୍ଘ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ତେବେ ହମାସକୁ ଏହି ଆକ୍ରମଣର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇସ୍ରାଏଲ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଐତିହାସିକ ପୃଷ୍ଠଭୂମି
ପ୍ରଥମ ବିଶ୍ୱଯୁଦ୍ଧରେ ଅଟୋମ୍ୟାନ ସାମ୍ରାଜ୍ୟ ପରାସ୍ତ ହେବା ପରେ ବ୍ରିଟେନ ପାଲେଷ୍ଟାଇନ ଉପରେ ନିୟନ୍ତ୍ରଣ ହାସଲ କଲା, ଯେଉଁଠାରେ ଇହୁଦୀ ସଂଖ୍ୟାଲଘୁ ଓ ଆରବ ସଂଖ୍ୟାଗରିଷ୍ଠ ଲୋକ ବାସ କରୁଥିଲେ। ପାଲେଷ୍ଟାଇନରେ ଏକ ଇହୁଦୀ ହୋମ୍‌ଲାଣ୍ଡ ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ବ୍ରିଟେନକୁ ଦାୟିତ୍ବ ଦେଇଥିଲା, ଯାହା ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତାକୁ ବଢ଼ାଇ ଦେଇଥିଲା। ୧୯୨୦ ଏବଂ ୧୯୪୦ ଦଶକରେ ପାଲେଷ୍ଟାଇନରେ ଇହୁଦୀ ପ୍ରବାସୀମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଲା, କାରଣ ଅନେକ ଇହୁଦୀ ୟୁରୋପରୁ ନିର୍ଯାତନାରୁ ବର୍ତ୍ତିବା ପାଇଁ ପଳାୟନ କରିଥିଲେ ଏବଂ ହଲୋକଷ୍ଟ (ଗଣହତ୍ୟା) ପରେ ଏକ ନିରାପଦ ହୋମ୍‌ଲାଣ୍ଡ ସନ୍ଧାନରେ ଥିଲେ। ଇହୁଦୀ ଏବଂ ଆରବ ମଧ୍ୟରେ କଳହ ଏବଂ ବ୍ରିଟିସ ଶାସନକୁ ବିରୋଧ ମଧ୍ୟ ତୀବ୍ର ହେଲା। ୧୯୪୭ ମସିହାରେ ମିଳିତ ଜାତିସଂଘ ପାଲେଷ୍ଟାଇନକୁ ଅଲଗା ଇହୁଦୀ ଏବଂ ଆରବ ରାଷ୍ଟ୍ରରେ ବିଭକ୍ତ କରିବାକୁ ଭୋଟ୍ ଗ୍ରହଣ କରିଥିଲା। ସେତେବେଳେ ଜେରୁଜେଲମ ଅନ୍ତର୍ଜାତୀୟ ଶାସନ ଅଧୀନରେ ଥିଲା। ଇହୁଦୀ ନେତୃତ୍ୱ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ, କିନ୍ତୁ ଆରବ ପକ୍ଷ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏହା କେବେହେଲେ କାର୍ଯ୍ୟକାରୀ ହୋଇନଥିଲା। ୧୯୪୮ ମସିହାରେ, ବିବାଦର ଅନ୍ତ ଘଟାଇବାରେ ଅସମର୍ଥ ହୋଇ ବ୍ରିଟିସ କର୍ତ୍ତୃପକ୍ଷ ନିଜକୁ ପ୍ରତ୍ୟାହାର କରିନେଲେ ଏବଂ ଇହୁଦୀ ନେତାମାନେ ଇସ୍ରାଏଲର ପ୍ରତିଷ୍ଠା ଘୋଷଣା କଲେ। ଅନେକ ପାଲେଷ୍ଟିନୀୟ ଏହାକୁ ବିରୋଧ କରିଥିଲେ ଏବଂ ଯୁଦ୍ଧ ଆରମ୍ଭ ହୋଇଥିଲା। ପଡୋଶୀ ଆରବ ଦେଶଗୁଡ଼ିକ ସାମରିକ ବାହିନୀ ସହ ହସ୍ତକ୍ଷେପ କରିଥିଲେ। ଲକ୍ଷାଧିକ ପାଲେସ୍ତିନୀୟ ପଳାୟନ କରିଥିଲେ କିମ୍ବା ନିଜ ଘରୁ ବିତାଡ଼ିତ ହୋଇଥିଲେ ଯାହାକୁ ସେମାନେ ଅଲ ନାକବା କିମ୍ବା ‘ବିପର୍ଯ୍ୟୟ’ ବୋଲି କହିଥିଲେ।

ଯୁଦ୍ଧ ଓ ଶାନ୍ତି
ବର୍ଷ ବର୍ଷ ଧରି, ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ଅନେକ ସଂଘର୍ଷରେ ଜଡିତ ହୋଇଥିଲେ, ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୮୭ରେ ପାଲେଷ୍ଟାଇନ ଧର୍ମଗୁରୁ ଶେଖ ଅହମଦ ୟାସିନଙ୍କ ଦ୍ୱାରା ଏକ ବହୁଦେଶୀୟ ସୁନ୍ନି ଇସଲାମିକ୍ ସଂଗଠନ ମୁସଲିମ ବ୍ରଦରହୁଡ୍‌ର ରାଜନୈତିକ ଶାଖା ଭାବରେ ସାମରିକ ସାମର୍ଥ୍ୟ ଥିବା ଏକ ରାଜନୈତିକ ଗୋଷ୍ଠୀ ହମାସ ବା ହରକତ ଅଲ-ମୁକାୱାମା ଅଲ-ଇସଲାମିଆ (ଇସଲାମୀ ପ୍ରତିରୋଧ ଆନ୍ଦୋଳନ)ର ଆରମ୍ଭ କରାଯାଇଥିଲା। ଦୁଇଟି ପାଲେଷ୍ଟାଇନ ବିଦ୍ରୋହ ବା ‘ଇଣ୍ଟିଫାଡାସ୍’ ଇସ୍ରାଏଲ୍-ପାଲେଷ୍ଟାଇନ ସମ୍ପର୍କକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଏହା ୧୯୯୦ ଦଶକର ଶାନ୍ତି ପ୍ରକ୍ରିୟାକୁ ସମାପ୍ତ କରିଥିଲା ​​ଏବଂ ସଂଘର୍ଷର ଏକ ନୂତନ ଯୁଗ ଆରମ୍ଭ କରିଥିଲା। ଉଭୟ ବିଦ୍ରୋହରେ ହମାସର ସମ୍ପୃକ୍ତି ଥିଲା। ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ୧୧ ଜୁଲାଇ ୨୦୦୦ରେ କ୍ୟାମ୍ପ ଡେଭିଡ ସମ୍ମିଳନୀ ଡକାଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏହୁଦ ବାରାକ ଏବଂ ପାଲେଷ୍ଟାଇନ କର୍ତ୍ତୃପକ୍ଷ ଚେୟାରମ୍ୟାନ୍ ୟାସିର ଆରାଫତଙ୍କୁ ଏକାଠି କରିଥିଲେ। କିନ୍ତୁ ଏହି ସମ୍ମିଳନୀରୁ ବିଶେଷ କିଛି ସୁଫଳ ମିଳିପାରିଲା ନାହିଁ। ବରଂ ଦୁଇ ଦେଶ ଭିତରେ ସମ୍ପର୍କ ଆହୁରି ଖରାପ ହେଲା।

ଶେଷ ପରିଣତି
ହମାସ ‌ୱେଷ୍ଟବ୍ୟାଙ୍କରେ ଥିବା ଏହାର ଯୋଦ୍ଧା ଏବଂ ଆରବ ଓ ଇସଲାମିକ ଜଗତରେ ଥିବା ଯୋଦ୍ଧାମାନଙ୍କୁ ଇସ୍ରାଏଲ ବିରୋଧରେ ଯୁଦ୍ଧରେ ଯୋଗଦେବାକୁ ଆହ୍ବାନ କଲା। ପୂର୍ବ ଜେରୁଜେଲମ୍, ଗାଜା ଏବଂ ୱେଷ୍ଟବ୍ୟାଙ୍କରେ ସଦ୍ୟତମ ବିବାଦ ଦୃଷ୍ଟିରୁ ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ହମାସ ଯେପରି ଅସ୍ତ୍ରଶସ୍ତ୍ର ପାଇ ନ ପାରେ ସେଥିପାଇଁ ଇସ୍ରାଏଲ ଓ ଇଜିପ୍ଟ ଗାଜାର ସୀମା ଉପରେ କଠୋର ନିୟନ୍ତ୍ରଣ ରଖିଛନ୍ତି। ଏହାଦ୍ୱାରା ଗାଜାରେ ମାନବିକ ସଙ୍କଟ ଦେଖାଦେଇଛି, ଅନେକ ଲୋକ ଖାଦ୍ୟ ଓ ଜଳ ଭଳି ମୌଳିକ ଆବଶ୍ୟକତା ପାଇଁ ସଂଘର୍ଷ କରୁଛନ୍ତି। ଏଭଳି ସ୍ଥିତିର ଆଜିର ଆକ୍ରମଣ ଅତି ବିପଜ୍ଜନକ ସ୍ଥିତିକୁ ଜନ୍ମ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe