Image Courtesy of Time
ମସ୍କୋ: ଆଡଲଫ୍ ହିଟ୍ଲର୍ଙ୍କର ପାଳିତ ବୋଲି ଅନେକେ ବିଶ୍ବାସ କରୁଥିବା ଗୋଟାଏ କୁମ୍ଭୀର ମସ୍କୋ ଚିଡ଼ିଆଖାନାରେ ମରିଯାଇଛି। ‘ସାଟର୍ଣ୍ଣ’ ନାମକ ଏହି ୮୪ ବର୍ଷିୟ କୁମ୍ଭୀରଟି ଗତ ଶୁକ୍ରବାର ଦିନ ମରିଥିବା କଥା ଚିଡ଼ିଆଖାନା ତରଫରୁ କୁହାଯାଇଛି।
ଚିଡ଼ିଆଖାନା କହିବା ଅନୁସାରେ, ‘ସାଟର୍ଣ୍ଣ’ର ଜନ୍ମ ଯୁକ୍ତରାଷ୍ଟ୍ର ଆମେରିକାରେ। ପରେ ତାକୁ ବର୍ଲିନ୍ ଚିଡ଼ିଆଖାନାକୁ ଅଣାଯାଇଥିଲା। ୧୯୪୩ ମସିହାରେ ଚିଡ଼ିଆଖାନା ଉପରେ ବୋମା ପଡ଼ିବାରୁ ‘ସାଟର୍ଣ୍ଣ’ ଖସି ପଳାଇଥିଲା। ୧୯୪୬ ମସିହା ପର୍ଯ୍ୟନ୍ତ କେହି ତା’ର ପତ୍ତା ପାଇ ନ ଥିଲେ। ୧୯୪୬ରେ ହିଁ ବ୍ରିଟିସ୍ ସୈନିକମାନେ ତାକୁ ପାଇ ସୋଭିଏତ୍ ଦେଶକୁ ଦେଇଥିଲେ।
Image Source: Russia Beyondସେହି ସମୟରେ ଗୁଜବ ଉଠିଲା ଯେ ଏହି କୁମ୍ଭୀର ବର୍ଲିନ୍ ଚିଡ଼ିଆଖାନାର ନୁହେଁ, ହିଟ୍ଲର୍ ପାଳିଥିବା କୁମ୍ଭୀର। କିନ୍ତୁ, ଏ ଭଳି ଗୁଜବ କେମିତି ଉଠିଲା ତାହା ସ୍ପଷ୍ଟ ହୋଇ ପାରି ନ ଥିଲା।
ବାର୍ଦ୍ଧ୍ୟକ୍ୟ ଯୋଗୁଁ ଶୁକ୍ରବାର ସକାଳେ ମୃତ୍ୟୁବରଣ କରିଥିବା ଏହି ମିସିସିପି କୁମ୍ଭୀର ଅତି ପରିଣତ ବୟସରେ ଉପଗତ ହୋଇଥିଲା। ମସ୍କୋ ଚିଡ଼ିଆଖାନରେ ସେ ୭୪ ବର୍ଷ ଧରି ରହିଥିଲା।
କିନ୍ତୁ, ମସ୍କୋ ଚିଡ଼ିଆଖାନା କହିଛି ଯେ ପ୍ରାଣୀମାନେ ଯୁଦ୍ଧ କିଂବା ରାଜନୀତିରେ ସମ୍ପୃକ୍ତ ନ ଥାଆନ୍ତି। ମନୁଷ୍ୟ ପାପ ପାଇଁ ସେମାନଙ୍କୁ ଦାୟୀ କରିବା ଅବାନ୍ତର।
Follow Us