ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟର୍‌: ହିଜ୍‌ବୁଲ୍‌ କମାଣ୍ଡର ନିହତ, ୩ ଯବାନ ଆହତ

Advertisment
ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟର୍‌: ହିଜ୍‌ବୁଲ୍‌ କମାଣ୍ଡର ନିହତ, ୩ ଯବାନ ଆହତ

Image Courtesy of NDTV

ଶ୍ରୀନଗର: ଗତରାତିରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସଂଗଠିତ ଏନ୍‌କାଉଣ୍ଟର୍‌ରେ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ସଙ୍ଗଠନର ‌ଜଣେ ତଥାକଥିତ କମାଣ୍ଡର୍‌ ନିହତ ହୋଇଥିବା ବେଳେ ୩ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।

କଶ୍ମୀରର ପୁଲିସ ଇନ୍‌ସ୍ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର ଟୁଇଟ୍‌ କରି କହିଛନ୍ତି, ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୁଲ୍‌ ମୁଜାହିଦୀନ୍‌ର ଆତଙ୍କବାଦୀ କମାଣ୍ଡର୍‌ ନିସାର୍‌ ଖଣ୍ଡେ ନିହତ ହୋଇଛନ୍ତି। ୧ଟି ଏକେ ୪୭ ରାଇଫଲ୍‌ ସମେତ ଅପରାଧିକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଅଭିଯାନ ଚାଲିଛି।

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ କାପ୍ରାନ୍‌ ଅଞ୍ଚଳ ଋଷିପୋରା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା ବୋଲି ଜଣେ ପୁଲିସ ମୁଖପାତ୍ର କହିଛନ୍ତି।

publive-image Image Courtesy of Zee New

ମୁଖପାତ୍ରଜଣକ ଆହୁରି ମଧ୍ୟ କହିଛନ୍ତି, ଏନ୍‌କାଉଣ୍ଟର୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆତଙ୍କବାଦୀମାନଙ୍କ ସହିତ ହୋଇଥିବା ଗୁଳିବିନିମୟ ସମୟରେ ୩ଜଣ ଯବାନ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସମସ୍ତ ଆହତଙ୍କୁ ତୁରନ୍ତ ବିମାନ ଯୋଗେ ଶ୍ରୀନଗରସ୍ଥିତ ୯୨ ବେସ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ସେମା‌ନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଉକ୍ତ ଗ୍ରାମରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ, ସେନା ଓ ‘ସିଆର୍‌ପିଏଫ୍‌’ର ମିଳିତ ବାହିନୀ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏହା ହେଉଛି ନିରାପତ୍ତା ବଳର ୫୬ତମ ଏନ୍‌କାଉଣ୍ଟର୍‌। ପୂର୍ବରୁ ୨୬ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ନିରାପତ୍ତା ବଳ ଏଯାବତ୍‌ ସମୁଦାୟ ୮୯ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର୍‌ରେ ନିପାତ କରିସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe