ନୂଆଦିଲ୍ଲୀ: ରହସ୍ୟ ଘେରରେ ରହିଥିବା ପୂର୍ବତନ ଟିକ୍ଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ସନ୍ଧ୍ୟାରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆଧିକାରୀକ ସୂତ୍ରରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୨ ତାରିଖ ରାତିରେ ଗୋଆରେ ୪୩ ବର୍ଷ ବୟସ୍କ ଫୋଗାଟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ମାମଲାର ତଦନ୍ତ କରାଇବା ପାଇଁ ଅନୁରୋଧ କରିବା ପରେ ଗୃହ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି।
ଗୃହ ମନ୍ତ୍ରାଳୟ ସିବିଆଇ ଦ୍ୱାରା ମାମଲାର ତଦନ୍ତ କରିବାକୁ କହିଛି ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି। ମନ୍ତ୍ରାଳୟର ପ୍ରଶାସନିକ ନିୟନ୍ତ୍ରଣରେ ସିବିଆଇ କାର୍ଯ୍ୟ କରେ। ହରିୟାଣାର ହିସାରର ବିଜେପି ନେତ୍ରୀ ଫୋଗାଟ ଅଗଷ୍ଟ ୨୨ ମଧ୍ୟରାତ୍ରିରେ ଗୋଆରେ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କ ମୃତ୍ୟୁକୁ ହତ୍ୟା ମାମଲା ଭାବରେ ବିବେଚନା କରାଯାଉଛି। ପୂର୍ବରୁ ଗୋଆ ପୁଲିସ ଏହି ମାମଲାର ତଦନ୍ତ କରି ଅନେକ ଗୁରୁତ୍ବପୂର୍ଣ୍ଣ ସୂତ୍ର ପାଇଥିଲା। କିନ୍ତୁ, ସୋନାଲୀ ଫୋଗାଟ୍ଙ୍କ ଝିଅ ଓ ପରିବାର ଲୋକେ ଏହି ମାମଲାର ‘ସିବିଆଇ’ ତଦନ୍ତ ଦାବି କରିଥିଲେ।
Follow Us