ନାତାଶା ପ୍ରେମଜାଲରେ ଫସି ବନ୍ଧାହେଲା ଅର୍ଜୁନ: ଆଇଏସଆଇ ହନିଟ୍ରାପରେ ହାଇଦ୍ରାବାଦୀ ଇଂଜିନିୟର୍‌

Advertisment
ନାତାଶା ପ୍ରେମଜାଲରେ ଫସି ବନ୍ଧାହେଲା ଅର୍ଜୁନ: ଆଇଏସଆଇ ହନିଟ୍ରାପରେ ହାଇଦ୍ରାବାଦୀ ଇଂଜିନିୟର୍‌

Image Courtesy: India Times

ହାଇଦ୍ରାବଦ: ତେଲେଙ୍ଗାନାର ହାଇଦ୍ରାବାଦରେ ପୁଲିସ ଜଣେ ସନ୍ଦିଗ୍ଧ ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ବେଦନଶୀଳ ଓ ଗୋପନୀୟ ସୂଚନା ବାଣ୍ଟିବା ଅଭିଯୋଗରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପରୀକ୍ଷାଗାର (ଡିଆରଡିଏଲ)ର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଛି।

ଦୁକ୍କା ମଲ୍ଲିକାର୍ଜୁନ ରେଡ୍ଡୀ ଓରଫ ଅର୍ଜୁନ ବିଟୁ ନାମକ ଏହି ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ ସ୍ୱତନ୍ତ୍ର ଅପରେସନ ଟିମ୍‌ ପକ୍ଷରୁ କରାଯାଇଥିବା ଏକ ମିଳିତ ଅପରେସନରେ ଗିରଫ କରାଯାଇଛି। ପୁଲିସ ଗିରଫ ଅଭିଯୁକ୍ତ ଠାରୁ ଦୁଇଟି ମୋବାଇଲ୍‌ ଫୋନ୍‌, ଏକ ସିମ୍‌ କାର୍ଡ ଏବଂ ଏକ ଲାପଟପ୍‌ ମଧ୍ୟ ଜବତ କରିଛି।

ଅଭିଯୁକ୍ତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପରୀକ୍ଷାଗାର (ଡିଆରଡିଏଲ)ର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ। ଯିଏ ସୋସିଆଲ ମିଡିଆ ଜରିଆରେ ଡିଆରଡିଏଲ- ଆରସିଆଇ କମ୍ପ୍ଲେକ୍ସର ଅତ୍ୟନ୍ତ ସୁରକ୍ଷିତ ଏବଂ ଗୋପନୀୟ ସୂଚନା ଏକ ସନ୍ଦିଗ୍ଧ ଆଇଏସଆଇ ମହିଳା ହ୍ୟାଣ୍ଡଲରଙ୍କୁ ସେୟାର କରିଥିଲେ ଯାହା ଦେଶର ଜାତୀୟ ସୁରକ୍ଷା ଓ ଅଖଣ୍ଡତା ପ୍ରତି ବିପଦପୂର୍ଣ୍ଣ ବୋଲି ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ, ରେଡ୍ଡୀ ତାଙ୍କ ଫେସବୁକ ପ୍ରୋଫାଇଲରେ ଉଲ୍ଲେଖ କରିଥିଲେ ଯେ ସେ ଡିଆରଡିଏଲ ସହିତ କାମ କରୁଛନ୍ତି। ପରେ ରେଡ୍ଡୀ ଫେସବୁକରେ ଜଣେ ଅଜ୍ଞାତ ମହିଳାଙ୍କ ସହ ବନ୍ଧୁତା କରଥିଲେ।
ନତାଶା ରାଓ ନାମରେ ଏହି ମହିଳା ଜଣକ ରେଡ୍ଡୀଙ୍କୁ କହିଥିଲେ ଯେ ସେ ବ୍ରିଟେନ ପ୍ରତିରକ୍ଷା ପତ୍ରିକାର ଜଣେ କର୍ମଚାରୀ ଏବଂ ତାଙ୍କ ପିତା ବ୍ରିଟେନ ଯିବା ପୂର୍ବରୁ ଭାରତୀୟ ବାୟୁସେନାରେ କାମ କରିଥିଲେ। ପରେ ଦୁହେଁ ଫେସବୁକରେ ‘ଘନିଷ୍ଠ’ ବନ୍ଧୁ ହୋଇ ଯାଇଥିଲେ ଏବଂ ନତାଶା ରେଡ୍ଡୀଙ୍କୁ ବିବାହ କରିବାକୁ ମଧ୍ୟ ରାଜି ହୋଇଥିଲେ।

ଏହିପରି ଭାବେ ନାତାଶାଙ୍କ ପ୍ରେମ ଜାଲରେ ଫସିଯିବା ପରେ, ରେଡ୍ଡୀ ତାଙ୍କ ସହ ଅତ୍ୟନ୍ତ ସୁରକ୍ଷିତ ଏବଂ ଗୋପନୀୟ ସୂଚନାର ଫଟୋ ଏବଂ ଟେକ୍ସଟ୍‌ ସେୟାର କରିବା ଆରମ୍ଭ କରିଥିଲେ। ଯେଉଁଥିରେ ଡିଆରଡିଏଲର କ୍ଷେପଣାସ୍ତ୍ର ବିକାଶ ସଂପର୍କିତ ତଥ୍ୟ ରହିଥିଲା।

ଏପରିକି ରେଡ୍ଡୀ ନତାଶାଙ୍କ ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ମଧ୍ୟ ସେୟାର କରିଥିଲେ। ତେବେ, ସେମାନଙ୍କ ମଧ୍ୟରେ କୌଣସି ଆର୍ଥିକ କାରବାର ହୋଇଛି କି ନାହିଁ ପୁଲିସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ଅନ୍ୟପକ୍ଷରେ ନାତାଶା ପାକିସ୍ତାନର ଆଇଏସଆଇ ଦ୍ୱାରା ନିଯୁକ୍ତ ଏଜେଣ୍ଟ ଥିବା ଏବଂ ସୋସିଆଲ ମିଡିଆରେ ହନି-ଟ୍ରାପିଂ ଦ୍ୱାରା ଦୁକ୍କା ମଲ୍ଲିକାର୍ଜୁନ ରେଡ୍ଡୀ ଓରଫ ଅର୍ଜୁନ ବିଟୁଙ୍କୁ ଫସାଇ ଥିବା ଜଣାପଡ଼ିବା ପରେ ଏବେ ଏନେଇ ଅଧିକ ଖୋଳତାଡ଼ ଓ ଅନୁସନ୍ଧାନ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe