ନୂଆଦିଲ୍ଲୀ: ଗୁରମିତ ରାମରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସା ଓରଫ ପ୍ରିୟଙ୍କା ତନେଜାଙ୍କୁ ଧରିବା ପାଇଁ ଭାରତ ଓ ନେପାଳ ପୁଲିସ ଅନୁସନ୍ଧାନ ଚଳାଇଛନ୍ତି। ହନିପ୍ରୀତ ପଞ୍ଜାବର ଅବୋହରର ହନୁମାନଗଡ଼ ଅଞ୍ଚଳରେ ତାଙ୍କ ଭାଉଜଙ୍କ ବାପା ମଦନ ବାଗଲାଙ୍କ ଘରେ ରହିଥିଲେ ବୋଲି ଖବର ମିଳିଛି। ଏହି ସୂଚନା ନିଜେ ମଦନ ବାଗଲା ଦେଇ କହିଛନ୍ତି, ହନିପ୍ରୀତ ଆମ ଘରେ ଦୁଇଦିନ ରହିଥିଲା। ସେ ନା କିଛି ଖାଉଥିଲେ ନା ପିଉଥିଲେ, ଚୁପ୍ଚାପ୍ ଗୋଟିଏ ଘରେ ବସି କାନ୍ଦିବାକୁ ଲାଗିଥିଲେ।
ଏଥିସହିତ ଆଉ ଏକ ଖବର ମିଳିଛି ଯେ, ହନିପ୍ରୀତ ରାମରହିମ ଓ ଡେରାକୁ ନଷ୍ଟ କରିଦେବ ବୋଲି ଶପଥ ନେଇଥିଲେ। ସେଥିପାଇଁ ସେ ଏସମସ୍ତ ଜାଲ ବିଛାଇଥିଲେ। ରାମ ରହିମଙ୍କ ଡ୍ରାଇବର ଖଟ୍ଟା ସିଂହଙ୍କ ପୁତ୍ର ଗୁରଦାସ ସିଂହଙ୍କ କହିବାନୁସାରେ, ହନିପ୍ରୀତ ପ୍ରଥମେ ଡେରାରେ ରାମ ରହିମଙ୍କ ଜଣେ ସାଧାରଣ ଦାସି ଭାବେ ରହୁଥିଲେ। ଧୀରେଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଏତେ ଘନିଷ୍ଠ ହୋଇଗଲା ଯେ, ରାମରହିମ ହନିପ୍ରୀତଙ୍କୁ ପୋଷ୍ୟକନ୍ୟା ବୋଲି ଘୋଷଣା କରିଥିଲେ। ତା’ପରେ ହନିପ୍ରୀତଙ୍କ ବିବାହ କରାଇଥିଲେ। ଗୋଟିଏ ଦିନ ହନିପ୍ରୀତଙ୍କୁ ଡେରା ଗୁମ୍ଫା ଭିତରକୁ ଡାକିଥିଲେ, ହନିପ୍ରୀତ କିନ୍ତୁ ଗୁମ୍ଫା ଭିତରୁ କାନ୍ଦି କାନ୍ଦି ବାହାରକୁ ଆସିଥିଲେ। ମୁଁ ବୁଝି ସାରିଥିଲି ତାଙ୍କ ସହିତ ରାମ ରହିମ କିଛି ଭୁଲ କାମ କରିଛନ୍ତି। ଏହି ଘଟଣା ପରେ ହନିପ୍ରୀତ ତାଙ୍କ ଘର ଫତେହାବାଦକୁ ଯିବା ପାଇଁ ବହାରିଥିଲେ। ଏହି ସମୟରେ ରାମ ରହିମଙ୍କ କେତେଜଣ ସମର୍ଥକ ତାଙ୍କୁ ପୁଣି ଥରେ ଡେରାକୁ ଉଠାଇ ଆଣିଥିଲେ। ସେବେଠାରୁ ହନିପ୍ରୀତ ରାମ ରହିମଙ୍କ ପ୍ରତିଶୋଧ ନେବା ପାଇଁ ଶପଥ ଖାଇଥିଲେ ବୋଲି କହନ୍ତି ଗୁରଦାସ ସିଂହ।
Follow Us