ଚତୁର୍ଥ ଥର ପାଇଁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ହଂକଂ

Advertisment
ଚତୁର୍ଥ ଥର ପାଇଁ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲା ହଂକଂ

The Statesman

ମୁମ୍ବାଇ: ମୁମ୍ବାଇରୁ ହଂକଂକୁ ଉଡିବ ନାହିଁ ଏୟାର ଇଣ୍ଡିଆ ବିମାନ | ନଭେମ୍ବର ୧୦ପର୍ଯ୍ୟନ୍ତ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ହଂକଂ ସରକାର | ଚତୁର୍ଥ ଥର ପାଇଁ ହଂକଂ ସରକାର ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ପିଟିଆଇରେ ଖବର ପ୍ରକାଶ ପାଇଛି। ବିମାନରେ ଥିବା କିଛି ଯାତ୍ରୀ କରୋନା ଆକ୍ରାନ୍ତ ଥିବା ଜଣା ପଡିବା ପରେ ହଂକଂ ସରକାର ଏହି ନିଷ୍ପତି ନେଇଛନ୍ତି |

ଏହାପୂର୍ବରୁ, ଦିଲ୍ଲୀ-ହଂକଂକୁ  ଅଗଷ୍ଟ ୧୮-ଅଗଷ୍ଟ ୩୧, ସେପ୍ଟେମ୍ବର ୨୦-ଅକ୍ଟୋବର ୩ ଏବଂ ଅକ୍ଟୋବର ୧୭-ଅକ୍ଟୋବର ୩୦ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ ହଂକଂ ସରକାର |

ହଂକଂ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ ଯଦି ଯାତ୍ରୀମାନେ ଯାତ୍ରାର ୭୨ ଘଣ୍ଟା ମଧ୍ୟରେ କରାଇଥିବା କୋଭିଡ୍ -୧୯ ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାନ୍ତି ତେବେ ହଂକଂରେ ପହଞ୍ଚି ପାରିବେ। ଏହା ସହ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ହଂକଂ ବିମାନ ବନ୍ଦରରେ ପହଞ୍ଚିବା ପରେ କୋଭିଡ୍ -୧୯ ପରୀକ୍ଷା ଦେବାକୁ ପଡିବ |

 indiatoday

ହଂକଂ ସରକାରଙ୍କ ନିୟମ ଅନୁଯାୟୀ, ଭାରତ ବ୍ୟତୀତ ବାଂଲାଦେଶ, ଇଥିଓପିଆ, ଫ୍ରାନ୍ସ, ଇଣ୍ଡୋନେସିଆ, କାଜାଖସ୍ତାନ, ନେପାଳ, ପାକିସ୍ଥାନ, ଫିଲିପାଇନ୍ସ, ଋଷ, ଦକ୍ଷିଣ ଆଫ୍ରିକା, ବ୍ରିଟେନ ଏବଂ ଆମେରିକାର ସମସ୍ତ ଯାତ୍ରୀଙ୍କ ପାଇଁ ଉଡ଼ାଣ ପୂର୍ବରୁ କୋଭିଡ -୧୯ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ଅଟେ। ଏହି ଦେଶଗୁଡିକରୁ ହଂକଂକୁ ବିମାନ ଚଳାଚଳ କରୁଥିବା ବିମାନ କମ୍ପାନୀକୁ ଉଡ଼ାଣ ଭରିବା ପୂର୍ବରୁ ଏକ ଫର୍ମ ଦାଖଲ କରିବାକୁ ପଡିଥାଏ, ଯେଉଁଥିରେ ଦର୍ଶାଯାଇଥାଏ ଯେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ କୋଭିଡ -୧୯ ରିପୋର୍ଟ ନେଗେଟିଭ ଆସିଛି।

ତେବେ ଏହି ସପ୍ତାହ ପୂର୍ବରୁ ଏୟାର ଇଣ୍ଡିଆର ମୁମ୍ବାଇ-ହଂକଂ ବିମାନରେ ଯାତ୍ରା କରିଥିବା କିଛି ଯାତ୍ରୀ ହଂକଂରେ ପହଞ୍ଚିବା ପରେ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା, ଯାହା ପାଇଁ ହଂକଂ ସରକାର ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe