India Today
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଓରା ଜିଲ୍ଲାରେ ଜଣେ ନବମ ଶ୍ରେଣୀରେ ପଢୁଥିବା କିଶୋରୀଙ୍କୁ ତାଙ୍କର ଆଧୁନିକ ଜାବନଚର୍ଯ୍ୟା ପାଇଁ ଜୀବନ ଦେବାକୁ ପଡ଼ିଛି। ତାଙ୍କ ଜେଜେବାପା ଓ ଦୁଇ ଜଣ କାକା ମିଶି ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ଏକ ପୋଲ ବାଡ଼ରେ ଶବକୁ ଟାଙ୍ଗି ଦେଇଛନ୍ତି। ମୃତକାଙ୍କ ସାନଭାଇର ବୟାନ ଅନୁସାରେ, ଗତ ସୋମବାର ସନ୍ଧ୍ୟାରେ ଲୁଗାପଟା ସଫା କରିବାକୁ କେନ୍ଦ୍ର କରି ତାଙ୍କର କାକାମାନେ ସଂପୃକ୍ତ କିଶୋରୀଙ୍କୁ ଖୁବ୍ ପିଟିଥିଲେ। ଏଥିରେ ସେ ଚେତା ହରାଇ ବସିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବାଟରେ ସେମାନେ ଶବକୁ ଏକ ପୋଲ ଉପରୁ ତଳକୁ ଫିଙ୍ଗି ଦେଇଥିବା ବେଳେ ତାହା ପୋଲର ଏକ ରେଲିଂରେ ଝୁଲି ରହିଥିଲା। ମଙ୍ଗଳବାର ସକାଳେ କଥା ପ୍ରଘଟ ହୋଇଥିଲା।
ସୂଚନା ଥାଉ କି, ସଂପୃକ୍ତ କିଶୋରୀ ଏବଂ ତାଙ୍କ ମାଆ ଏବେ କିଛି ଦିନ ହେଲା ଆସି ପରିବାର ଲୋକଙ୍କ ସହ ରହୁଥିଲେ। ଅପରପକ୍ଷେ, ତାଙ୍କ ବାପା ପଞ୍ଜାବରେ ଏକ ଘରୋଇ କମ୍ପାନିରେ କାମ କରନ୍ତି। ତେବେ କିଶୋରୀଙ୍କର ଚଳଣିରେ ତାଙ୍କ କାକା ଏବଂ ଅନ୍ୟମାନେ ଅସହିଷ୍ଣୁ ହୋଇ ପଡ଼ିଥିଲେ ବୋଲି ତାଙ୍କ ମାଉସୀ କହିଛନ୍ତି। ସେମାନେ ଝିଅକୁ ପିଟି ପିଟି ଚେତାଶୂନ୍ୟ କରିବା ପରେ ଡାକ୍ତରଖାନା ନେବା ଆଳରେ ବାଟରେ ଶବକୁ ଫିଙ୍ଗି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।
Follow Us