Image Courtesy of Quartz
ନୂଆଦିଲ୍ଲୀ: ସମ୍ପତ୍ତିର ସୁରକ୍ଷା ନିମନ୍ତେ ୟୁରୋପୀୟ ସଂଘ କଟକଣା ଜାରି କରିବାର ଦିନକ ଆଗରୁ କୋଟିପତି ରୁଷୀୟ ବ୍ୟବସାୟୀ ଆନ୍ଦ୍ରେ ମେଲ୍ନିଚେଙ୍କୋ ତାଙ୍କ ମାଲିକାନାରେ ଥିବା ବିଶ୍ବର ଅନ୍ୟତମ ବୃହତ୍ କୋଇଲା ଏବଂ ସାର କମ୍ପାନିକୁ ତାଙ୍କ ପତ୍ନୀଙ୍କ ନାମରେ ଲେଖି ଦେଇଛନ୍ତି ବୋଲି ୩ଜଣ ବ୍ୟକ୍ତି କହିଛନ୍ତି।
୧୯୯୧ରେ ସୋଭିଏତ୍ ଦେଶର ପତନ ପରେ ବିପୁଳ ଅର୍ଥ ଉପାର୍ଜନ କରିଥିବା ମେଲ୍ନିଚେଙ୍କୋ ମାର୍ଚ ୮ ତାରିଖ ଦିନ କୋଇଲା ଉତ୍ପାଦନକାରୀ କମ୍ପାନି ‘ସୁଏକ୍ ଆଓ’ ଏବଂ ସାର ଉତ୍ପାଦନକାରୀ କମ୍ପାନି ‘ୟୁରୋକେମ୍ ଗ୍ରୁପ୍ ଏ.ଜି.’ରୁ ତାଙ୍କର ସତ୍ବ ପ୍ରତ୍ୟାହାର କରି ନେଇଥିଲେ। ସେ ଦିନ ତାଙ୍କ ବୟସ ୫୦ ପୂରି ଥିଲା ଏବଂ ସେ ଉପରୋକ୍ତ ଦୁଇଟି କମ୍ପାନିର ମାଲିକାନା ତାଙ୍କ ପତ୍ନୀ ଅଲେକ୍ଜାଣ୍ଡ୍ରା ମେଲ୍ନିଚେଙ୍କୋଙ୍କୁ ଅର୍ପଣ କରିଥିଲେ ବୋଲି ସେମାନେ କହିଛନ୍ତି।
ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ମେଲ୍ନିଚେଙ୍କୋ କେତେଗୁଡ଼ିଏ ଟ୍ରଷ୍ଟ୍ ଏବଂ କର୍ପୋରେସନ୍ ଜରିଆରେ ମସ୍କୋରୁ ସୁଇଜର୍ଲାଣ୍ଡ୍ ନଗରୀ ଜଗ୍ ପର୍ଯ୍ୟନ୍ତ ଓ ସାଇପ୍ରସ୍ରୁ ବର୍ମୁଡ଼ା ପର୍ଯ୍ୟନ୍ତ ପରିବ୍ୟାପ୍ତ ଉପରୋକ୍ତ ଦୁଇ ବୃହତ୍ କମ୍ପାନିର ମାଲିକ ଥିଲେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।
ଫେବ୍ରୁଆରି ମାସରେ ଯୁଦ୍ଧ ଆରମ୍ଭ ହେବା ସମୟରେ ୟୁରୋପୀୟ ସଂଘ କଟକଣାରେ ପଡ଼ି ପାରନ୍ତି ବୋଲି ମେଲ୍ନିଚେଙ୍କୋଙ୍କର ଆଶଙ୍କା ହୋଇଥିଲା। ତେଣୁ, କମ୍ପାନିରୁ ଅବସର ଗ୍ରହଣ କରିବେ ବୋଲି ସେ ଟ୍ରଷ୍ଟିମାନଙ୍କୁ ନୋଟିସ ଜାରି କରିଥିଲେ। କିନ୍ତୁ, ଏ ସଂକ୍ରାନ୍ତରେ ମେଲ୍ନିଚେଙ୍କୋ ଏବଂ ତାଙ୍କ ପତ୍ନୀ କୌଣସି ବିବୃତି ମଳିପାରି ନ ଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।
Follow Us