ହାଇଦ୍ରାବାଦ୍: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ହାଇଦ୍ରାବାଦ୍ର ୪ ଅଭିଯୁକ୍ତ ଏପରି ଜଘନ୍ୟ କାଣ୍ଡ ରଚିବାର ୪୮ ଘଣ୍ଟା ମଧ୍ୟରେ ପୁଲିସ୍ ହାତରେ ଧରାପଡ଼ିଥିଲେ। ପୁଲିସ୍ ହାତରେ ଧରିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଥିଲା। ତେବେ, ପ୍ରଶ୍ନ ଉଠୁଛି ହେପାଜତରେ ଥିବା ଏହି ଅଭିଯୁକ୍ତମାନଙ୍କୁ କାହିଁକି ଓ କେଉଁଁ ପରିସ୍ଥିତିରେ ଏନ୍କାଉଣ୍ଟର୍ କରିବାକୁ ପଡ଼ିଲା ?
ଶୁକ୍ରବାର ସକାଳୁ ଦେଶରେ ଚାଞ୍ଚଲ୍ୟ ଲାଗି ରହିଛି। ତେଲେଙ୍ଗାନା ପୁଲିସ୍ ଏନ୍କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ଅଭିଯୁକ୍ତ । ତେବେ, କାହିଁକି ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତମାନଙ୍କୁ ଗୁଳିରେ ଉଡ଼ାଇ ଦିଆଯାଇଛି ତାହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ସାଇବରାବାଦ୍ ପୁଲିସ୍ କମିସନର।
କମିସନରଙ୍କ ସୂଚନାନୁସାରେ, ‘ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ପରେ ଜାଳି ଦେଇଥିବାର ଆମ ନିକଟରେ ଆବଶ୍ୟକୀୟ ପ୍ରମାଣ ଅଛି। ଆମେ ଅଭିଯୁକ୍ତମାନଙ୍କୁ ଧରିବା ପରେ ପୁଲିସ୍ ହେପାଜତ୍ରେ ନେଇ ପଚରାଉଚରା କରିଥିଲୁ। ଆଜି ଭୋର୍ ସମୟରେ ପୁଲିସ୍ ତଦନ୍ତ କରିବା ସମୟରେ ସେମାନଙ୍କୁ ଅପରାଧ ଘଟିଥିବା ସ୍ଥଳକୁ ନେଇ ଯାଇଥିଲା। ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ପୁଲିସ୍ ଉପରେ ଆକ୍ରମଣ କରିଥିଲେ। ସେମାନେ ପୁଲିସ୍ ହାତରୁ ହତିଆର ଛଡ଼ାଇ ଆକ୍ରମଣ କରିବାରୁ ପୁଲିସ୍ ସେମାନଙ୍କୁ ଆତ୍ମସର୍ପଣ କରିବାକୁ ଚେତାବନୀ ଦେଇଥିଲା। ମାତ୍ର ସେମାନେ ନ ଶୁଣିବାରୁ ପୁଲିସ୍ ଗୁଳି ମାରିବାକୁ ବାଧ୍ୟ ହୋଇଥିଲା।
ପୁଲିସ୍ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ହୋଇଥିବା ଏହି ଲଢ଼େଇରେ ଦୁଇ ପୁଲିସ୍ କର୍ମୀ ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସେହିପରି ମୃତ ଅଭିଯୁକ୍ତମାନଙ୍କ ଶରୀରକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲ୍କୁ ପଠାଯାଇଛି। ଶେଷରେ ଆଇନ ତା’ର କର୍ତ୍ତବ୍ୟ ପୂରା କରିଛି ବୋଲି ମତ ରଖିଛନ୍ତି ସାଇବରାବାଦ କମିସନର। ତେବେ, ରାତି ୩ଟାରୁ ସକାଳ ୬ଟା ମଧ୍ୟରେ ଏହି ଏନ୍କାଉଣ୍ଟର୍ ହୋଇଥିଲା।
Follow Us