କେମିତି ବିଫଳ ହେଲା ଇସ୍ରାଏଲୀ ଗୁଇନ୍ଦା‌? ଶତାଧିକ ଇସ୍ରାଏଲୀଙ୍କୁ ବନ୍ଦୀ କରିନେଇଛି ହମାସ୍‌

Advertisment
କେମିତି ବିଫଳ ହେଲା ଇସ୍ରାଏଲୀ ଗୁଇନ୍ଦା‌? ଶତାଧିକ ଇସ୍ରାଏଲୀଙ୍କୁ ବନ୍ଦୀ କରିନେଇଛି ହମାସ୍‌

ତେଲ୍‌ ଅଭିଭ୍‌: ଇସ୍ରାଏଲରେ ଆଜି ଅତି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପୂରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ହମାସ୍‌ ଆତଙ୍କବାଦୀ ଆକ୍ରମଣରେ ଇସ୍ରାଏଲ‌ରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ଶତାଧିକ ନାଗରିକଙ୍କୁ ହମାସ ଆତଙ୍କବାଦୀ ପଣବନ୍ଦୀ କରି ରଖିବା ଘଟଣା ପୂରା ବିଶ୍ବ ପାଇଁ ବିପଦର କାରଣ ହେବ ବୋଲି କୁହାଯାଉଛି। ଇସ୍ରାଏଲ ହମାସକୁ ମୂଳପୋଛ କରିବା ପାଇଁ ଗାଜା ଷ୍ଟ୍ରିପ୍‌କୁ ଧ୍ବଂସ କରିଦେଇପାରେ ବୋଲି ଅନେକ ଆଶଙ୍କା ବ୍ୟକ୍ତି କରୁଛନ୍ତି। ୨୦ ମିନିଟ୍‌ ମଧ୍ୟରେ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲରେ ୫ ହଜାରରୁ ଅଧିକ ରକେଟ୍‌ ମାଡ଼ ଏବେ ପାଲେଷ୍ଟାଇନର ଭବିଷ୍ୟତକୁ ମଧ୍ୟ ଅନ୍ଧକାର ଆଡ଼କୁ ନେଇଯିବ ବୋଲି କୂଟନୀତି ବିଶେଷଜ୍ଞମାନେ କହିଛନ୍ତି। ତେବେ ସଭିଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ। ଇସ୍ରାଏଲର ଗୁଇନ୍ଦା କିଭଳି ବିଫଳ ହେଲା? ଇସ୍ରାଏଲ ଏବଂ ଗାଜା ଷ୍ଟ୍ରିପ୍‌ ମଧ୍ୟରେ ଥିବା ଅତି ସୁରକ୍ଷାସମ୍ପନ୍ନ ସୀମାକୁ ପାଲେଷ୍ଟାଇନ୍‌ର ହମାସ ଆତଙ୍କବାଦୀମାନେ ଭାଙ୍ଗି ଇସ୍ରାଏଲରେ ପ୍ରବେଶ କରିବାରେ ସଫଳ ହେବା ମଧ୍ୟ ବହୁତ ବଡ଼ ଝଟ୍‌କା ହୋଇଛି।

ଇସ୍ରାଏଲର ଘରୋଇ ଗୁଇନ୍ଦା ସଂସ୍ଥା ସିନ ବେଟ୍‌, ଏହାର ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥା ମୋସାଦ ଏବଂ ଇସ୍ରାଏଲ ପ୍ରତିରକ୍ଷା ବିଭାଗର ସମସ୍ତ ଗୁଇନ୍ଦା ସମ୍ବଳର ଉପଯୋଗ ସତ୍ତ୍ବେ ଆସୁଥିବା ବିପଦକୁ ‌ରୋକି ହୋଇନଥିଲା କି କେହି କିଛି ଜାଣି ପାରିନଥିଲେ। ମଧ୍ୟ ପ୍ରାଚ୍ୟରେ ଇସ୍ରାଏଲର ଗୁଇନ୍ଦା ସେବା ସବୁଠାରୁ ସକ୍ରିୟ। ପାଲେଷ୍ଟାଇନ, ଲେବାନନ୍‌, ସିରିୟା ଏବଂ ଅନ୍ୟ ସ୍ଥାନରେ ମୋସାଦ୍‌ ଏଜେଣ୍ଟ ସକ୍ରିୟ ଅଛନ୍ତି। ଗାଜା ଏବଂ ଇସ୍ରାଏଲ ମଧ୍ୟରେ ଥିବା ସୀମା ବାଡ଼ରେ ବି କ୍ୟାମେରା ଏବଂ ସେନ୍‌ସର ଲାଗିଛି। ଏଠାରେ ନିୟମିତ ଆର୍ମି ପାଟ୍ରୋଲ୍‌ ମଧ୍ୟ ହେଉଛି। ‌ତେବେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଆତଙ୍କବାଦୀମାନେ ଏହି ସୀମା ବାଡ଼କୁ ଭାଙ୍ଗି ଇସ୍ରାଏଲରେ ପ୍ରବେଶ କରିଛନ୍ତି। ସେମାନେ ସମୁଦ୍ର ପଥ ଏବଂ ପାରାଗ୍ଲାଇଡର ଦ୍ବାରା ବି ଇସ୍ରାଏଲରେ ପ୍ରବେଶ କରିଛନ୍ତି। ଇସ୍ରାଏଲରେ ଏଭଳି ଭୟଙ୍କର ଆକ୍ରମଣ ପାଇଁ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ସ୍ବତନ୍ତ୍ର ତାଲିମ ନେଇଥିବା କୁହାଯାଉଛି। ଇସ୍ରାଏଲ ଗୁଇନ୍ଦା ଅଧିକାରୀମାନେ କହିଛନ୍ତି, ଏହା କେମିତି ହୋଇଗଲା ଆମେ କିଛି ବି ଜାଣିନୁ। ଉକ୍ତ ଘଟଣାରେ ତଦନ୍ତ ଚାଲିଛି ଏବଂ ଏବେ ଯେଉଁ ପ୍ରଶ୍ନ ଉଠିଛି ସେହି ପ୍ରଶ୍ନର ଉତ୍ତର ଦେବାପାଇଁ ଅନେକ ଦିନ ଲାଗିଯିବ ବୋଲି ଇସ୍ରାଏଲର ବରିଷ୍ଠ ଅଧିକାରୀ କହିଛନ୍ତି।

ଶତାଧିକ ଇସ୍ରାଏଲୀଙ୍କୁ ବନ୍ଦୀ କରିନେଇଛି ହମାସ୍‌

publive-image

ଗାଜା ସିଟି : ଗାଜା ଷ୍ଟ୍ରିପ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିବା ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଆଜି ଇସ୍ରାଏଲ୍‌ରେ ଭୟଙ୍କର ଆକ୍ରମଣ କରିଛି। ସମଗ୍ର ବିଶ୍ବରେ ଏଭଳି ଆତଙ୍କବାଦୀ ଆକ୍ରମଣ ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ। ହମାସ ଆତଙ୍କବାଦୀ ଶତାଧିକ ଇସ୍ରାଏଲୀ ନାଗରିକଙ୍କୁ ବନ୍ଦୀ କରିନେଇଛନ୍ତି। ହମାସ ପକ୍ଷରୁ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି ହୋଇଛି। ଗାଜା ସୀମା ନିକଟସ୍ଥ ଅଂଚଳରୁ ଶତାଧିକ ଇସ୍ରାଏଲୀ ନାଗରିକଙ୍କୁ ହମାସ ଆତଙ୍କବାଦୀ କାବୁ କରିନେଇଥିବାରୁ ବିସ୍ଫୋରକ ସ୍ଥିତି ଉପୁଜିଛି। ୩୦୦ରୁ ଅଧିକ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ନାଗରିକଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ ହୋଇଛି। ଦକ୍ଷିଣ ଇସ୍ରାଏଲର ବିଭିନ୍ନ ସ୍ଥାନରେ ଲଢ଼େଇ ଲାଗି ରହିଛି। କେନ୍ଦ୍ରୀୟ ଏବଂ ଦକ୍ଷିଣ ଇସ୍ରାଏଲରେ ବିମାନବନ୍ଦରରେ ବାଣିଜ୍ୟିକ ଅପରେସନ୍‌ ବନ୍ଦ ରହିଛି। ସବୁଠି ହାଇ ଆଲର୍ଟ ଜାରି ହୋଇଛି। ଗାଜା ସୀମାରେ ହମାନ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ୫ ହଜାରରୁ ଅଧିକ ଇସ୍ରାଏଲ ସେନା ଅପରେସନ ଆରମ୍ଭ କରିଛନ୍ତି। ଇସ୍ରାଏଲ ବାୟୁସେନାର ଅନେକ ଯୁଦ୍ଧ ବିମାନ ମଧ୍ୟ ଗାଜା ଷ୍ଟ୍ରିପ୍‌‌‌ରେ ଆତଙ୍କବାଦୀ ଅନୁଷ୍ଠାନକୁ ଟ‌ାର୍ଗେଟ୍‌ କରି ଆକ୍ରମଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe