ndtv
ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ହିଂସା ମାମଲାର ଶୁଣାଣି କରି ଆଜି ଦିଲ୍ଲୀର ରୋହିଣୀ କୋର୍ଟ ୮ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଜାମିନ ଆବେଦନକୁ ଖାରଜ କରି ରୋହିଣୀ କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତମାନଙ୍କୁ ଜାମିନରେ ମୁକ୍ତ କରିବା ଦ୍ବାରା ସାକ୍ଷୀ ପ୍ରଭାବିତ ହୋଇପାରନ୍ତି। ଅଭିଯୁକ୍ତମାନେ ଏହି ଅଞ୍ଚଳର ଜଣାଶୁଣା ଅପରାଧୀ। ଏମାନଙ୍କୁ ମୁୁକ୍ତ କରାଗଲେ କେହି ସାକ୍ଷୀ ଦେବାକୁ ଆଗକୁ ଆସିବେ ନାହିଁ। ଜାମିନ ଆବେଦନକୁ ଖାରଜ କରିବା ସହିତ ବେଆଇନ ଶୋଭାଯାତ୍ରା ବନ୍ଦ ନକରିବାରୁ କୋର୍ଟ ଦିଲ୍ଲୀ ପୁଲିସକୁ ତାଗିଦ କରିଛନ୍ତି। ଶୁଣାଣି ସମୟରେ ଅଦାଲତ ଦିଲ୍ଲୀ ପୁଲିସକୁ ପଚାରିଛନ୍ତି ଯେ ଅନୁମତି ନ ମିଳିବା ପରେ ଶୋଭାଯାତ୍ରା କିପରି ଚାଲିଥିଲା?
ଅଦାଲତ କହିଛନ୍ତି ଯେ, ଅନୁମତି ନପାଇ ମଧ୍ୟ ଶୋଭାଯାତ୍ରା କରାଯାଇଥିବାରୁ ଏବଂ ହିଂସା ହେବା ପରେ ଏହାକୁ ଅଟକାଇପାରିନଥିବାରୁ ଏହା ଦିଲ୍ଲୀ ପୁଲିସର ବିଫଳତାକୁ ଦର୍ଶାଉଛି। ଏଥିରୁ ଜଣାପଡୁଛି ଯେ ବରିଷ୍ଠ ଅଧିକାରୀମାନେ ଏହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି। ଭବିଷ୍ୟତରେ ଯେମିତି ଏପରି ଘଟଣା ଘଟିବ ନାହିଁ ଏବଂ ପୁଲିସ ଯେମିତି ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାରେ ବିଫଳ ହେବ ନାହିଁ, ସେ ଦିଗରେ ବରିଷ୍ଠ ଅଧିକାରୀମାନେ ଦୃଷ୍ଟି ଦେବା ଜରୁରୀ।
ଉଲ୍ଲେଖଯୋଗ୍ୟ, ଗତ ୧୬ ତାରିଖରେ ହନୁମାନ ଜନ୍ମ ଅବସରରେ ଦିଲ୍ଲୀର ଜାହାଙ୍ଗିରପୁରୀ ଦେଇ ଯାଇଥିବା ଧାର୍ମିକ ଶୋଭାଯାତ୍ରା ଉପରକୁ ପଥରମାଡ଼ ପରେ ହିଂସା ସୃଷ୍ଟି ହୋଇଥିଲା । ଏହି ଘଟଣାରେ ୮ ଜଣ ପୁଲିସ କର୍ମଚାରୀ ଓ ଜଣେ ସ୍ଥାନୀୟ ଲୋକ ଆହତ ହୋଇଥିଲେ ।
Follow Us