ରାତି ସାଢ଼େ ୧୨ଟାରେ କିପରି ବାହାରକୁ ଯାଇଥିଲେ ଛାତ୍ରୀ: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନେଇ ମମତାଙ୍କ ବିବାଦୀୟ ମନ୍ତବ୍ୟ

ପୀଡ଼ିତା ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ। ଏହା କାହାର ଦାୟିତ୍ୱ? ସେ ରାତି ସାଢ଼େ ୧୨ରେ କିପରି ବାହାରକୁ ଯାଉଥିଲେ? ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି...

How did the victim go out at 12:30 am: Mamata's controversial comment on gangrape victim

How did the student go out at 12:30 am: Mamata's controversial comment on gang rape victim

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଏମବିବିଏସ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇ ଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଘରୋଇ କଲେଜଗୁଡ଼ିକ ମୁଣ୍ଡରେ ଲଦିଛନ୍ତି।  ୨୩ ବର୍ଷୀୟ ଛାତ୍ରୀ ବିଳମ୍ବିତ ରାତିରେ କ୍ୟାମ୍ପସ୍ କିପରି ଛାଡ଼ିଥିଲେ ସେ ନେଇ ମମତା ପ୍ରଶ୍ନ କରିଛନ୍ତି। ମମତାଙ୍କ ଏହି  ମନ୍ତବ୍ୟକୁନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କୁ ପୀଡିତାଙ୍କୁ ଲଜ୍ଜିତ କରୁଥିବାର ଅଭିଯୋଗ ଭିଜେପି ପକ୍ଷରୁ କରାଯାଇଛି। 

 ମମତା କହିଛନ୍ତି, ସେ ଏକ ଘରୋଇ ମେଡିକାଲ କଲେଜରେ ପାଠପଢ଼ୁଥିଲେ। ଏହା କାହାର ଦାୟିତ୍ୱ? ରାତି ସାଢ଼େ ୧୨ରେ ସେ କିପରି ବାହାରକୁ ଆସିଲେ? ଘଟଣା ପରେ ଗଣମାଧ୍ୟମକୁ ତାଙ୍କର ପ୍ରଥମ ମନ୍ତବ୍ୟରେ ମମତା  ଏଭଳି ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ "ଚକିତକାରୀ" ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ପଶ୍ଚିମବଙ୍ଗ ପୁଲିସ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି।

ସେ କହିଛନ୍ତି ଯେ, ଘରୋଇ ମେଡିକାଲ କଲେଜଗୁଡ଼ିକ ସେମାନଙ୍କର ଛାତ୍ରଛାତ୍ରୀ ଏବଂ "ରାତି ସଂସ୍କୃତି" ପ୍ରତି ଦୃଷ୍ଟି ଦେବା ଉଚିତ୍। ସେମାନଙ୍କୁ ବାହାରକୁ ଯିବାକୁ ଦିଆଯିବା ଉଚିତ୍ ନୁହେଁ। ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସୁରକ୍ଷା ଦେବାକୁ ପଡିବ। ଏହା ଏକ ଜଙ୍ଗଲ ଅଞ୍ଚଳ ବୋଲି ମମତା  କହିଛନ୍ତି।

ଓଡ଼ିଶାର ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରି ମମତା ପଡ଼ୋଶୀ ରାଜ୍ୟରେ ହୋଇଥିବା  ଦୁଷ୍କର୍ମ ମାମଲା ଉଠାଇ କହିଥିଲେ, ଓଡିଶାରେ ସମୁଦ୍ର ବେଳାଭୂମିରେ ଝିଅଙ୍କୁ ଦୁଷ୍କର୍ମ କରାଯାଇଥିଲା। ଓଡ଼ିଶା ସରକାର କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି?

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୋଷୀକୁ ଦଣ୍ଡ ଦିଆଯିବ। ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଯେତେବେଳେ ଏହା ଅନ୍ୟ ରାଜ୍ୟରେ ଘଟେ, ଏହା ନିନ୍ଦନୀୟ। ମଣିପୁର, ଉତ୍ତର ପ୍ରଦେଶ, ବିହାର ଏବଂ ଓଡ଼ିଶା ଏପରି ଅନେକ ଘଟଣା ଘଟିଛି। ଆମେ ଭାବୁଛୁ ଯେ, ସେଠାକାର ସରକାରମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

ବିଜେପି କହିଛି ଯେ ,ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୌନ ହିଂସା ମାମଲାରେ ନ୍ୟାୟ ସୁନିଶ୍ଚିତ କରିବା ପରିବର୍ତ୍ତେ ପୀଡିତାଙ୍କୁ ଦୋଷ ଦେଉଛନ୍ତି। ଆରଜି କର ଏବଂ ସନ୍ଦେଶଖାଲି ପରେ, ଏବେ ଏହି  ମାମଲାରେ ନ୍ୟାୟ ବଦଳରେ, ମମତା ପୀଡିତାଙ୍କୁ ଦୋଷ ଦେଉଛନ୍ତି ବୋଲି ବିଜେପି ମୁଖପାତ୍ର ଗୌରବ ଭାଟିଆ ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି।

ଯେଉଁ ମୁଖ୍ୟମନ୍ତ୍ରୀ ଝିଅମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ପରିବର୍ତ୍ତେ ରାତିରେ ବାହାରକୁ ନ ଯିବାକୁ କହୁଛନ୍ତି, ତାଙ୍କର ପଦବୀରେ ରହିବାର କୌଣସି ନୈତିକ ଅଧିକାର ନାହିଁ। ଲୋକମାନେ ଏବେ ଅନୁଭବ କରୁଛନ୍ତି ଯେ, ସେମାନେ ଜଣେ ଅରାଜକତାବାଦୀ, ହୃଦୟହୀନା ମମତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ତାଙ୍କୁ ଇସ୍ତଫା ଦେବାକୁ ପଡିବ ଏବଂ ଆଇନ ଅନୁଯାୟୀ ଦାୟୀ ହେବାକୁ ପଡିବ।

ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଛାତ୍ରୀଙ୍କୁ ଦୋଷ ଦେଉଛନ୍ତି ଏବଂ ଦୁଷ୍କର୍ମକାରୀଙ୍କ ସୁରକ୍ଷା କରୁଛନ୍ତି।  ଆରଜି କର, ସନ୍ଦେଶଖାଲି, ପାର୍କ ଷ୍ଟ୍ରିଟ୍‌ରେ ଏଭଳି ଘଟିଛି। ସୁପ୍ରିୟା ଶ୍ରୀନେତ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାହୁଲ ଗାନ୍ଧୀ ଏବେ ମୁହଁ ଖୋଲିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। 

ସୂଚନାଯୋଗ୍ୟ, ଓଡ଼ିଶାର ଜଳେଶ୍ୱରର  ଦ୍ୱିତୀୟ ବର୍ଷର ଛାତ୍ରୀ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମ ପଢୁଛନ୍ତି। ଶୁକ୍ରବାର ରାତିରେ ସେ ଜଣେ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ବେଳେ କିଛି ଲୋକ ସେମାନଙ୍କ ପାଖକୁ ଆସିଥିଲେ। ସେମାନେ ତାଙ୍କୁ ବଳପୂର୍ବକ ଏକ ନିର୍ଜନ ସ୍ଥାନକୁ ନେଇଯାଇ ଗଣଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ଛାତ୍ରୀଙ୍କ ବାପା ମର୍ମାହତ ହୋଇ କହିଛନ୍ତି ଯେ, ସେ ତାଙ୍କୁ ଓଡ଼ିଶା ଫେରାଇ ଆଣିବେ ଏବଂ ପଶ୍ଚିମବଙ୍ଗରେ ତାଙ୍କ ସୁରକ୍ଷା ବିଷୟରେ ସେ ଚିନ୍ତିତ।

ମୋ ଝିଅ ଯନ୍ତ୍ରଣାରେ ଛଟପଟ ହେଉଛି। ସେ ଏବେ ଚାଲିପାରୁନାହିଁ। ସେ ଶଯ୍ୟାଶାୟୀ। ମୁଁ ଏଠାରେ ତା'ର ସୁରକ୍ଷା ବିଷୟରେ ଚିନ୍ତିତ। ସେମାନେ ତାକୁ ଯେକୌଣସି ମୁହୂର୍ତ୍ତରେ ମାରିପାରନ୍ତି। ସେଥିପାଇଁ ଆମେ ତାକୁ ଓଡ଼ିଶା ଫେରାଇ ନେବାକୁ ଚାହୁଁଛୁ। ମୁଁ ବିଶ୍ୱାସ ହରାଇଛି। ଆମେ ଚାହୁଁନାହୁଁ ଯେ, ସେ ପଶ୍ଚିମବଙ୍ଗରେ ରହୁ। ସେ ଓଡ଼ିଶାରେ ତା'ର ଶିକ୍ଷା ଗ୍ରହଣ କରିବ। ମୋ ହୃଦୟ ଭାଙ୍ଗିଯାଇଥିବା ତାଙ୍କ ବାପା କହିଛନ୍ତି।

ସେ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋ ସହିତ କଥା ହୋଇଛନ୍ତି। ପ୍ରଶାସନ ଆମକୁ ସାହାଯ୍ୟ କରୁଛି। ମୋ ଝିଅକୁ ଓଡ଼ିଶା ମେଡିକାଲ କଲେଜରେ ପ୍ରବେଶ କରାଇବାକୁ ମୁଁ ଅନୁରୋଧ କରିଛି।

ଏହି ଅପରାଧରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି ଏବଂ ଜଣଙ୍କୁ ଅଟକ ରଖାଯାଇଛି। ଗିରଫ ତିନି ଜଣଙ୍କୁ ଆପୁ ବାଉରୀ (୨୧), ଫିରଦୋସ ସେଖ (୨୩) ଏବଂ ସେଖ ରିଆଜୁଦ୍ଦିନ (୩୧) ବୋଲି ଚିହ୍ନଟ କରାଯାଇଛି। ପୁରୁଷ ବନ୍ଧୁ ମଧ୍ୟ ତଦନ୍ତ ଅଧୀନରେ ଅଛନ୍ତି ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

ପଶ୍ଚିମବଙ୍ଗ ପୁଲିସ ଏହି ଘଟଣା ପାଇଁ "ଗମ୍ଭୀର ଭାବରେ ଦୁଃଖିତ" ବୋଲି କହିଛି ଏବଂ ଦୋଷୀମାନେ ଦଣ୍ଡରୁ ମୁକ୍ତ ହେବେ ନାହିଁ ବୋଲି ଆଶ୍ୱାସନା ଦେଇଛି। ପୀଡ଼ିତାଙ୍କର ଯନ୍ତ୍ରଣା ଓଡ଼ିଶାର ପରି ଆମର ମଧ୍ୟ, ଏବଂ ଆମେ ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବୁ ବୋଲି ପଶ୍ଚିମବଙ୍ଗ ପୁଲିସ ପକ୍ଷରୁ ଏକ୍ସରେ କୁହାଯାଇଛି।

ଓଡ଼ିଶା ମୁଖ୍ୟମନ୍ତ୍ରୀ  ଏହି ଘଟଣାକୁ "ଅତ୍ୟନ୍ତ ନିନ୍ଦନୀୟ ଏବଂ ଯନ୍ତ୍ରଣାଦାୟକ" ବୋଲି କହିଛନ୍ତି। ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ଅନୁରୋଧ କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପରିବାରକୁ ଓଡ଼ିଶା ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସୂଚନାଯୋଗ୍ୟ,ଦୁର୍ଗାପୁରର ଏହି ଘଟଣା କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ନିର୍ମମ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଗୋଟିଏ ବର୍ଷ ପରେ ଏବଂ କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବାର ମାସକ ପରେ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe