ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ଏକ ବିବୃତିରେ କହିଛି ଯେ, କର୍ଣ୍ଣାଟକରେ ହ୍ୟୁମାନ ମେଟାପ୍ନ୍ୟୁମୋଭାଇରସ୍ (ଏଚଏମପି)ର ଦୁଇଟି ମାମଲା ରିପୋର୍ଟ ହୋଇଛି। ଏହା ସହିତ ଗୁଜରାଟର ଅହମଦାବାଦରେ ମଧ୍ୟ ଗୋଟିଏ ମାମଲା ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକରେ ଏହି ସଂକ୍ରମଣ ଦୁଇ ମାସର ଶିଶୁକନ୍ୟା ଏବଂ ୮ ମାସର ବାଳକଠାରେ ଦେଖିବାକୁ ମିଳିଛି।
ସେହିପରି ଗୁଜରାଟର ଅହମଦାବାଦରେ ୨ମାସର ଶିଶୁକନ୍ୟାଠାରେ ଏହାର ସଂକ୍ରମଣ ହୋଇଛି। କର୍ଣ୍ଣାଟକ ଆକ୍ରାନ୍ତଙ୍କର ଉଭୟଙ୍କର ବ୍ରୋଙ୍କୋପ୍ନୁମୋନିଆର ପାରିବାରିକ ଇତିହାସ ଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସମସ୍ତ ଆକ୍ରାନ୍ତ ଏବଂ ସେମାନଙ୍କ ପରିବାରର କୌଣସି ଆନ୍ତର୍ଜାତୀୟ ଭ୍ରମଣ ଇତିହାସ (ଟ୍ରାଭେଲ୍ ହିଷ୍ଟ୍ରି) ନାହିଁ।
କର୍ଣ୍ଣାଟକ ମାମଲାରେ ଶିଶୁକନ୍ୟାଙ୍କୁ ଡିସଚାର୍ଜ କରାଯାଇଛି। ଶିଶୁପୁତ୍ରଟି ଏବେ ବେଙ୍ଗାଲୁରୁ ବାପିଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବ୍ରୁହତ ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ (ବିବିଏମ୍ପି) ର ସୂତ୍ରରୁ ପ୍ରକାଶ ଯେ ଖୁବ୍ ଶୀଘ୍ର ଦ୍ୱିତୀୟ ଶିଶୁକୁ ମଧ୍ୟ ଡିସଚାର୍ଜ କରାଯାଇପାରେ। ଅପରପକ୍ଷରେ ଗୁଜରାଟର ଅହମଦାବାଦ ମାମଲାରେ ଶିଶୁ ଜଣକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
କର୍ଣ୍ଣାଟକ ମାମଲାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଉଭୟଙ୍କର ପୂର୍ବରୁ ଶ୍ୱାସକ୍ରିୟାରେ ସମସ୍ୟା ରହିଥିଲା। ତେଣୁ ସେମାନଙ୍କ ଉପରେ ଏବେ ନଜର ରଖାଯାଇଛି । ଏନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସାରା ଦେଶରେ ଶ୍ୱାସ ରୋଗରେ ପୀଡିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।
ସମସ୍ତ ଉପଲବ୍ଧ ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ଏହି ରୋଗ ବିଷୟରେ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହା ହେଉଛି ଏକ ଭାଇରାଲ୍ ଶ୍ବାସକ୍ରିୟା ରୋଗ ଯାହା ସାଧାରଣ ଥଣ୍ଡା ପରି ଲକ୍ଷଣ ସୃଷ୍ଟି କରେ। ଏହା ବାୟୁରେ ଥିବା କଣିକା ମାଧ୍ୟମରେ ବ୍ୟାପିଥାଏ। ଏହାର ଲକ୍ଷଣଗୁଡ଼ିକ ସାଧାରଣଠାରୁ ଗମ୍ଭୀର ପର୍ଯ୍ୟନ୍ତ ହୋଇପାରେ। ଯେଉଁଥିରେ ଶ୍ୱାସ ନେବାରେ ଅସୁବିଧା ଏବଂ ଛାତିରେ ଯନ୍ତ୍ରଣା ହୋଇଥାଏ।
ଏଚଏମପିଭି ଭୂତାଣୁ ପୂର୍ବରୁ ଭାରତରେ ଅଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଆଇସିଏମଆର ଆଣ୍ଡ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ (ଅଇଡିଏସପି) ନେଟୱାର୍କର ବିଦ୍ୟମାନ ତଥ୍ୟ ଅନସାରେ ଦେଶରେ ସ୍ୱାଇନ୍ ଫ୍ଲୁ ଭଳି ରୋଗ (ଆଇଏଲ୍ଆଇ) କିମ୍ବା ଭୟଙ୍କର ଶ୍ବାସକ୍ରିୟା ରୋଗ (ଏସଏଆରଆଇ)ର ଅନେକ ମାମଲା ରହିଛି। ଚୀନ୍ରେ ଶ୍ୱାସ ରୋଗର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି କେନ୍ଦ୍ର ସରକାର ଗତ ସପ୍ତାହରେ ଘୋଷଣା କରିଥିଲେ।
ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ଏହି ଭୂତାଣୁ ଭାରତ ପାଇଁ ନୂଆ ନୁହେଁ। ଏହା ଦେଶରେ ପୂର୍ବରୁ ରହିଛି ତେଣୁ ଟ୍ରାଭେଲ୍ ହିଷ୍ଟ୍ରିର କିଛି ଆବଶ୍ୟକତା ନାହିଁ। ଏହା ଚୀନ୍ରୁ ଆସିବା ଜରୁରୀ ନୁହେଁ। ଏହା ଆମ ଦେଶରେ ରହିଛି। ଏହାକୁ ୨୦୦୧ରେ ଚିହ୍ନଟ କରାଯାଇଥିଲା। ଏହାର ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ପ୍ରତିରୋଧକ ଶକ୍ତି ମଧ୍ୟ ସୃଷ୍ଟି ହୋଇ ସାରିଛି।
ଅଧିକ ପଢ଼ନ୍ତୁ: ଏଚଏମପିଭି ଭୂତାଣୁ ଆତଙ୍କ: ମହାରାଷ୍ଟ୍ର ସରକାର ଜାରି କଲେ ସତର୍କ ସୂଚନା
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଜୀବାଣୁ ଭାରତରେ ବହୁ ବର୍ଷ ଧରି ରହିଆସିଛି ଏବଂ ବିଶେଷ କରି ୬ ରୁ ୧୨ ମାସ ବୟସର ପିଲାମାନଙ୍କୁ ଏହା ପ୍ରଭାବିତ କରିଥାଏ। ତେବେ ଏହା ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କଠାରେ ମଧ୍ୟ ଦେଖାଯାଇପାରେ ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ (ଡିଜିଏଚ୍ଏସ୍) ଅତୁଲ ଗୋଏଲ ପୂର୍ବରୁ କହିଥିଲେ। ସେ କହିଥିଲେ ଏଚଏମପିଭି ଅନ୍ୟାନ୍ୟ ଶ୍ବାସକ୍ରିୟା ରୋଗ ଭୂତାଣୁ ସହ ସମାନ। ଯାହା ଅତି ଛୋଟ ପିଲାମାନଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ସୃଷ୍ଟି କରିଥାଏ।
ଅଧିକ ପଢ଼ନ୍ତୁ: ଭାରତ ଉପରେ ପ୍ରଭାବ ପଡ଼ିବନି : ନୂଆ ନଦୀବନ୍ଧକୁ ନେଇ ଚୀନର ସଫେଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)