Business Standard
ନୂଆଦିଲ୍ଲୀ: ଯୁଦ୍ଧରତ ୟୁକ୍ରେନ୍ର ସୁମି ସହରରୁ ପ୍ରାୟ ୭୦୦ ଭାରତୀୟ ଛାତ୍ର ଏକ ମାନବୀୟ କରିଡର ଜରିଆରେ ନିରାପଦରେ ଫେରିବା ପରେ ମଙ୍ଗଳବାର ଭାରତ ସ୍ବସ୍ତିର ନିଃଶ୍ବାସ ଛାଡ଼ିଛି। ସେହି ଛାତ୍ରମାନଙ୍କୁ ସୁମିଠାରୁ ୧୭୫ କିମି ଦକ୍ଷିଣସ୍ଥ ପୋଲଟାଭା ନିଆଯାଇଥିଲା, ଯେଉଁଠୁ ସେମାନେ ଭାରତ ଫେରିବେ। କିନ୍ତୁ ଯେଉଁ ସୁମି ସହରରେ ଘଡ଼ିକି ଘଡ଼ି ବୋମା ଫୁଟୁଛି ଓ ରକେଟ୍ ମାଡ଼ ହେଉଛି, ସେଠୁ ପିଲାମାନଙ୍କୁ ସ୍ଥାନାନ୍ତର କରିବା କିଛି ସହଜ କାମ ନ ଥିଲା। ପିଲାମାନେ ବୋମା ଆଶ୍ରୟସ୍ଥଳ ଓ ହଷ୍ଟେଲର ଭୂତଳ ମହଲାରେ ରହୁଥିଲେ, ଯେଉଁଠି ସୀମିତ ପରିମାଣର ଖାଦ୍ୟ ସହ ପାଣିର ବି ଅଭାବ ରହିଥିଲା। ପାଗ ଥିଲା ଅତ୍ୟନ୍ତ ଥଣ୍ଡା।
ଭାରତର ଲକ୍ଷ୍ୟ ହେଲା ପିଲାମାନଙ୍କୁ ସେଠୁ ନିରାପଦ ଜାଗାକୁ ନେଇଯିବା ଯେଉଁଠୁ ସେମାନେ ଭାରତର ଉଦ୍ଧାରକାରୀ ବିମାନରେ ନିଜ ଦେଶକୁ ଫେରିପାରିବେ। ରୁଷ୍ ଓ ୟୁକ୍ରେନ୍ ସରକାରଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇନଥାନ୍ତା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ ଘନଘନ କଥାବାର୍ତ୍ତା କରି ସେମାନଙ୍କୁ ଯୁଦ୍ଧବିରତି ପାଇଁ ମନାଇଲେ। ଅସ୍ତ୍ରବିରତି ଓ ଯୋଜନା ସତ୍ତ୍ବେ ମାର୍ଚ୍ଚ ୭ ତାରିଖରେ ପିଲାମାନଙ୍କ ପ୍ରଥମ ସ୍ଥାନାନ୍ତର ଉଦ୍ୟମ ବିଫଳ ହେଲା। କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଲା। ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକ୍ରେନୀୟ ପ୍ରତିପକ୍ଷ ଡିମିଟ୍ରୋ କୁଲେବାଙ୍କ ସହ କଥା ହେଲେ ଏବଂ ଭାରତର ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଳା ରୁଷୀୟ ଓ ୟୁକ୍ରେନୀୟ ରାଷ୍ଟ୍ରଦୂତ ଡେନିସ ଆଲିପୋଭ ଓ ଇଗର ପୋଲିଖାଙ୍କୁ ପିଲାମାନଙ୍କ ପ୍ରତ୍ୟାବର୍ତ୍ତନ ଲାଗି ନିରାପଦ ମାର୍ଗ ଦେବା ନିମନ୍ତେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବାକୁ କହିଲେ। କେବଳ ବିଦେଶ ମନ୍ତ୍ରଣାଳୟ ନୁହେଁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଉଭୟ ଦେଶର ଅଧିକାରୀମାନଙ୍କ ସହ ଯୋଗାଯୋଗରେ ରହିଲେ। ପ୍ରତ୍ୟାବର୍ତ୍ତନରେ ସାହାଯ୍ୟ କରିବା ପାଇଁ ଭାରତରୁ ବରିଷ୍ଠ ଅଫିସରମାନଙ୍କ ଏକ ଦଳକୁ ମଧ୍ୟ ୟୁକ୍ରେନ୍ ପଠାଯାଇଥିଲା। ଭାରତ ଜେନେଭା ଓ ୟୁକ୍ରେନର ରେଡ୍ କ୍ରସ୍କୁ ବି ସାହାଯ୍ୟ ମାଗିଥିଲା।
ଯୁଦ୍ଧରତ ୟୁକ୍ରେନ୍ରେ ବସ୍ ଭଡ଼ାରେ ଆଣିବା ଏକ ଚ୍ୟାଲେଞ୍ଜପ ଥିଲା। ବସ୍ ମିଳିଲେ ଡ୍ରାଇଭର ଓ ଇନ୍ଧନ ମିଳିବା ବି କଷ୍ଟକର ଥିଲା। ୟୁକ୍ରେନୀୟ ଡ୍ରାଇଭରମାନେ ରୁଷ୍ ସୀମାକୁ ଯିବା ପାଇଁ ରାଜି ନ ଥିଲେ। ତଥାପି ଡ୍ରାଇଭର ଯୋଗାଡ଼ ହୋଇଗଲା। ୟୁକ୍ରେନୀୟ କର୍ମକର୍ତ୍ତା ବିଳମ୍ବରେ ବସ୍ଗୁଡ଼ିକୁ ଏସ୍କର୍ଟ କରି ନେବା ପାଇଁ ରାଜି ହେଲେ। ରେଡ୍ କ୍ରସ୍ ବି ସାହାଯ୍ୟ କଲା ଏବଂ ମାନବୀୟ କରିଡର ଦେଇ ବସ୍ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ନିରାପଦରେ ପୋଲଟାଭାରେ ପହଞ୍ଚାଯାଇ ପାରିଲା।
Follow Us