ତିନି ତଲାକ ବିଲ୍‌ ନେଇ ରାଜ୍ୟସଭାରେ ହଙ୍ଗାମା

Advertisment

ବିଲ୍‌ ସିଲେକ୍ଟ କମିଟିକୁ ପଠାଇବା ଦାବିରେ ବିରୋଧୀ ଅଟଳ

ବିଲ୍‌ ସିଲେକ୍ଟ କମିଟିକୁ ପଠାଇବା ଦାବିରେ ବିରୋଧୀ ଅଟଳ

ତିନି ତଲାକ ବିଲ୍‌ ନେଇ ରାଜ୍ୟସଭାରେ ହଙ୍ଗାମା

ନୂଆଦିଲ୍ଲୀ: ତିନି ତଲାକ ବିଲ୍‌ ଆଜି ରାଜ୍ୟସଭାରେ ଆଗତ ହୋଇଥିବା ବେଳେ ଜୋର୍‌ଦାର ହଙ୍ଗାମା ଯୋଗୁଁ ଏହା ଉପରେ କୌଣସି ବିତର୍କ ହୋଇପାରିନାହିଁ। ମୁସ୍‌୍‌ଲିମ ମହିଳାଙ୍କ ବିବାହ ସୁରକ୍ଷା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାର ନୂତନ ଆଇନ ପ୍ରଣୟନ କରିବା ନିମନ୍ତେ ଆଣିଥିବା ଏହି ବିଲ୍‌ ଲୋକସଭାରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ଆଜି ଆଗତ ହୋଇଥିଲେ ମଧ୍ୟ ଏହାକୁ ବିରୋଧୀ ଦଳ ଗ୍ରହଣ କରିନାହିଁ। ବିଲ୍‌କୁ ସଂସଦର ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରି କଂଗ୍ରେସ ନେତୃତ୍ୱରେ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇଥିବାରୁ ଏବେ ସରକାରଙ୍କ ଅଡ଼ୁଆ ବଢ଼ିଛି। ତେବେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ କୌଣସି କାରଣ ନାହିଁ ବୋଲି ଦର୍ଶାଇ ସରକାର ଏହି ଦାବିକୁ ଗ୍ରହଣ କରିନାହାନ୍ତି। ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇାବା କୌଣସି ଆବଶ୍ୟକତା ନାହିଁ ଏବଂ ଏଭଳି ବିଲ୍‌କୁ ସିଲେକ୍ଟ କମିଟି ପଠାଯିବା ପୂର୍ବରୁ କୌଣସି ପୂର୍ବ ନଜିର ନାହିଁ ବୋଲି ରାଜ୍ୟସଭାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲି କହିଛନ୍ତି। ଶାସକ ଓ ବିରୋଧୀ ଦଳ ନିଜ ନିଜ ଜିଦ୍‌ରେ କାଏମ ରହି ହଙ୍ଗାମା ଜାରି ରଖିବାରୁୁ ଗୃହକୁ ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଆଜି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ତିନି ତଲାକ ବିଲ୍‌ ଆଗତ କରି ଏହା ଉପରେ ଚର୍ଚ୍ଚା ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ଏହାର ପ୍ରବଳ ବିରୋଧ କରିଥିଲେ ଏବଂ ଚର୍ଚ୍ଚା ଆଗକୁ ବଢ଼ିପାରିନଥିଲା। ଲୋକସଭାରେ ବିଲ୍‌ ଗୃହୀତ ହେବା ସତ୍ତ୍ୱେ ତିନି ତଲାକ ମାମଲା ପୂର୍ବଭଳି ଜାରି ରହିଥିବାରୁ ଏହି ଆଇନର ଗୁରୁତ୍ୱ ଉପରେ ରବିଶଙ୍କର ଜୋର୍‌ ଦେଇଥିଲେ। ତେବେ ବିରୋଧୀ ଦଳ ଏହାକୁ ଗ୍ରହଣ ନକରି ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯିବାକୁ ଦାବି କରି ଗୃହକୁ ଅଚଳ କରିଦେଇଥିଲେ। କଂଗ୍ରେସ ନେତା ଆନନ୍ଦ ଶର୍ମା ବିଲ୍‌କୁ ସିଲେକ୍ଟ କମିଟି ନିକଟକୁ ପଠାଇବାକୁ ନୋଟିସ୍‌ ଆଗତ କରିଥିଲେ। କଂଗ୍ରେସ ବ୍ୟତୀତ ସମାଜବାଦୀ ପାର୍ଟି, ସିପିଆଇ, ଡିଏମ୍‌କେ, ଏନ୍‌୍‌ସିପି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ଉଠାଇଥିଲେ। ତେବେ ଏଭଳି ପ୍ରସ୍ତାବ ବିଲ୍‌ ଆଗତ ହେବାର ୨୪ ଘଣ୍ଟା ପୂର୍ବରୁ ଦିଆଯିବାକୁ ଥିବା ବେଳେ ବିଲ୍‌ ଆଗତ ପରେ ପ୍ରସ୍ତାବ ଦିଆଯାଇଥିବାରୁ ସରକାର ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଅର୍ଥମନ୍ତ୍ରୀ ଜେଟ୍‌୍‌ଲି ସ୍ପଷ୍ଟ କରିଦେଇଥିଲେ। କଂଗ୍ରେସ ରାଜ୍ୟ ସଭାରେ ବିଲ୍‌ ଗୃହୀତ କରାଇ ନଦେବାକୁ ଯୋଜନାବଦ୍ଧ ଭାବେ ପ୍ରୟାସ କରୁଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ। ସୁପ୍ରିମ୍‌ କୋର୍ଟ ତିନି ତଲାକକୁ ଅସାମ୍ବିଧାନିକ ଘେଷଣା କରି ୬ ମାସ ମଧ୍ୟରେ ଏ ବାବଦରେ ଆଇନ ଲାଗୁ କରିବାକୁ କହିଥିଲେ। ଏହାର ଅବଧି ୨୨ ଫେବ୍ରୁଆରିରେ ଶେଷ ହେଉଛି । କଂଗ୍ରେସର ଦୋମୁହାଁ ନୀତି ସଂସଦରେ ଧରାପଡ଼ିଯାଇଛି ଏବଂ ଦେଶବାସୀ ଏହାର ବିଚାର କରିବେ ବୋଲି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe