ଆଣ୍ଟାର୍କଟିକାରୁ ଭୁଶୁଡ଼ିଲା ବିଶାଳ ହିମଶୈଳ

ଆଣ୍ଟାର୍କଟିକାରୁ ଭୁଶୁଡ଼ିଲା ବିଶାଳ ହିମଶୈଳ

ନୂଆଦିଲ୍ଲୀ: ପୃଥିବୀ ଉତ୍ତପ୍ତୀକରଣର ପରିଣାମ ସ୍ବରୂପ ବିଶ୍ବର ବିଭିନ୍ନ ସ୍ଥାନରେ ପାଣିପାଗରେ ଅପ୍ରତ୍ୟାଶିତ ପରିବର୍ତ୍ତନ ସହ ନାନା ଅସ୍ବାଭାବିକ ପ୍ରକ୍ରିୟା ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ପୃଥିବୀର ଦକ୍ଷିଣ ମେରୁ ସ୍ଥିତ ବରଫାଚ୍ଛନ୍ନ ଇଲାକା ପ୍ରତି ବିପଦ ସୃଷ୍ଟି କରିଛି। ଏହାର ସଦ୍ୟ ନମୁନା ସ୍ବରୂପ ବରଫ ମହାଦେଶ ଆଣ୍ଟାର୍କଟିକାରୁ ଏକ ବିଶାଳ ହିମଶୈଳ ମୂଳ ଖଣ୍ଡରୁ ଛିଣ୍ଡି ଆସିଛି। ଆଣ୍ଟାର୍କଟିକାର ପଶ୍ଚିମଭାଗକୁ ଅବସ୍ଥିତ ରୋନ୍‌ ଆଇସ୍‌ ସେଲ୍‌ଫରୁ ଖସି ଆସିଥିବା ୪,୩୨୦ ବର୍ଗ କିମି(୧୭୦ କିମି.X୨୫ କିମି.) ପରିମିତ ଏହି ହିମଶୈଳ ଏବେ ୱେଡ୍ଡେଲ ସାଗରରେ ଭାସମାନ ଅବସ୍ଥାରେ ରହିଛି।

ନୂଆଦିଲ୍ଲୀ ସହର ଆୟତନର ପ୍ରାୟ ୩ ଗୁଣା ବଡ଼ ଏହି ଭାସମାନ ହିମଖଣ୍ଡକୁ ବିଶ୍ବର ବୃହତ୍ତମ ହିମଶୈଳ ଭାବେ ବିଚାର କରାଯାଉଛି। ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥାର କୋପରନିକସ୍‌ ସେଣ୍ଟିନେଲ୍‌ ଅଭିଯାନ-୧ ଦ୍ବାରା ଏହାକୁ ଠାବ କରାଯାଇଛି। ପୂର୍ବରୁ ଆଣ୍ଟାର୍କଟିକାର ମୂଳ ବରଫଖଣ୍ଡରୁ ଖସିଯାଇଥିବା ୩,୮୮୦ ବର୍ଗକିମି. ପରିମିତ ଅନ୍ୟ ଏକ ହିମଶୈଳ ମଧ୍ୟ ଏବେ ୱେଡ୍ଡେଲ ସାଗରରେ ଭାସି ବୁଲୁଛି। ସୂଚନା ଥାଉ କି, ସମୁଦ୍ରର ଜଳସ୍ତରକୁ ସୀମିତ ରଖିବା ସହ ଭୂଭାଗର ଅବସ୍ଥିତିକୁ ପୂର୍ବବତ୍‌ ବଜାୟ ରଖିବା ଦିଗରେ ଏହି ତୁଷାରାଚ୍ଛନ୍ନ ମହାଦେଶର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ ଏଭଳି ଉତ୍ତପ୍ତୀକରଣ ଯୋଗୁଁ ଦିନକୁ ଦିନ କ୍ଷୟପ୍ରାପ୍ତ ହୋଇ ଚାଲିଥିବା ଏହି ସୁରକ୍ଷା ବରଫ ପାହାଡ଼ ଏପରି ଭୁଶୁଡ଼ି ପଡ଼ିବା ଘଟଣା ଭୂବିଜ୍ଞାନୀ ଓ ପରିବେଶବିତ୍‌ମାନଙ୍କୁ ବିବ୍ରତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe