Humayun Kabir Challenge Mamata Banerjee Photograph: (sambad.in)
କୋଲକାତା: ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ତୃଣମୂଳ କଂଗ୍ରେସ(ଟିଏମସି)ରୁ ନିଲମ୍ବିତ ବିଧାୟକ ହୁମାୟୁନ କବୀର। ୨୦୨୬ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ କିଙ୍ଗମେକର ଭାବରେ ଉଭା ହେବେ ବୋଲି କହିଛନ୍ତି। ନିଜର ଏକ ସ୍ବତନ୍ତ୍ର ଦଳ ତିଆରି କରି ସେ ମମତାଙ୍କ ପାଖରୁ ସବୁ ମୁସଲମାନ ଭୋଟକୁ ଛଡାଇନେବେ ବୋଲି ଚେତାବନୀ ଦେଇଛନ୍ତି।
ଏଭଳି ଚେତାବନୀ ସହ ନିର୍ବାଚନ ପୂର୍ବରୁ ସେ ଦିଦିଙ୍କ ଚିନ୍ତା ବଢାଇ ଦେଇଛନ୍ତି। ହୁମାୟୁନ୍ କବୀର ତୃଣମୂଳ କଂଗ୍ରେସରୁ ଆନୁଷ୍ଠାନିକ ଭାବରେ ଇସ୍ତଫା ଦେଇ ନଥିଲେ। ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ନେଇ ଘୋଷଣା କରିବା ପରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ବିବାଦୀୟ ମନ୍ତବ୍ୟ ପାଇଁ ନିଲମ୍ବନ କରାଯାଇଥିଲା। ଏବେ ସେ ପଞ୍ଚିମବଙ୍ଗରେ ଏକ ନୂତନ ଦଳ ଗଠନ କରି ଟିଏମସିକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। ରାଜ୍ୟରେ ଥିବା ମମତାଙ୍କ ଭୋଟ ବ୍ୟାଙ୍କକୁ ସେ ଭାଙ୍ଗିଦେବେ ବୋଲି କହିବା ସହିତ ମୁସଲିମ ଭୋଟ୍ ଉପରେ ନଜର ରଖିଥିବା କହିଛନ୍ତି। ଏହା ସହ ସେ ୨୦୨୬ ନିର୍ବାଚନରେ କିଙ୍ଗମେକର ହେବେ ବୋଲି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି।
ନିଜକୁ ଓୱେସିଙ୍କ ସହିତ କଲେ ତୁଳନା
ହୁମାୟୁନ୍ କବୀର ନିଜକୁ ଏଆଇଏମଆଇର ଅଧ୍ୟକ୍ଷ ତଥା ହାଇଦ୍ରାବଦର ସାଂସଦ ଅସଦୁଦ୍ଦିନ୍ ଓୱେସିଙ୍କ ସହ ତୁଳନା କରିଛନ୍ତି। ସେ ଅସଦୁଦ୍ଦିନ୍ଙ୍କୁ ହାଇଦ୍ରାବର ଓୱେସି ଏବଂ ନିଜକୁ ପଞ୍ଚିମବଙ୍ଗର ଓୱେସି ବୋଲି ସମ୍ବୋଧନ କରିଛନ୍ତି। ଏହାଛଡ଼ା ଅସଦୁଦ୍ଦିନ୍ ଓୱେସି ତାଙ୍କ ସହିତ ଏକ ମେଣ୍ଟ ଗଠନ କରିବାକୁ ରାଜି ହୋଇଛନ୍ତି ବୋଲି ସେ ଦାବି କରିଛନ୍ତି । ତାଙ୍କ କହିବା ମୁତାବକ, "ମୁଁ ଡିସେମ୍ବର ୧୦ ତାରିଖରେ କୋଲକାତା ଯିବି ଏବଂ ଏକ ଦଳୀୟ କମିଟି ଗଠନ କରିବି। ଡିସେମ୍ବର ୨୨ ତାରିଖରେ ମୋର ଲକ୍ଷ ଲକ୍ଷ ସମର୍ଥକଙ୍କ ସହିତ ନୂତନ ଦଳର ଭିତ୍ତିପ୍ରସ୍ତର ସ୍ଥାପନ କରିବି।"
ଆହୁରି ପଢ଼ନ୍ତୁ: SI Recruitment scam CBI: ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ସିବିଆଇ ପଞ୍ଝାରେ ବିହାରର ନୀତୀଶ କୁମାର
ଟିଏମସି ପାଇଁ ବଢିପାରେ ଅଡୁଆ
୨୦୧୧ର ଜନଗଣନା ଅନୁସାରେ ଏହା ଜଣାପଡିଛି ଯେ, ପଶ୍ଚିମବଙ୍ଗରେ ୨୭ପ୍ରତିଶତରୁ ଅଧିକ ମୁସଲମାନ ସଂପ୍ରଦାୟର ଲୋକ ବସବାସ କରୁଛନ୍ତି, ଯାହାକି ଦେଶର ଦ୍ବିତୀୟ ମୁସଲମାନ ବହୁଳ ରାଜ୍ୟ ଭାବରେ ପରିଚିତ। ସବୁଠାରୁ ବଡ କଥା ହେଲା, ବିଧାନସଭା ନିର୍ବାଚନ ପାଇଁ ଟିଏମସିକୁ ୨୭ ପ୍ରତିଶତ ଭୋଟ ଏହି ମୁସଲମାନ ସଂପ୍ରଦାୟରୁ ହିଁ ମିଳିଥାଏ । ଏମଧ୍ୟରେ ମୁସଲମାନ ଭୋଟ୍ ଛଡ଼ାଇ ନେବି ବୋଲି ହୁମାୟୁନ କବୀର ଦାବି କରିବା ଟିଏମସି ପାଇଁ ଚିନ୍ତାର କାରଣ ପାଲଟିଛି। କବୀରଙ୍କ କହିବା ମୁତାବକ, "ମୁଁ ଏକ ନୂତନ ଦଳ ଗଠନ କରିବି ଏବଂ ବିଧାନସଭାର ୧୩୫ଟି ଆସନ ପାଇଁ ପ୍ରାର୍ଥୀ ଦେବି। ଆମ ଦଳ ମୁସଲମାନମାନଙ୍କ ପାଇଁ କାମ କରିବ।"
ବିଫଳ ହେବା ପରେ ପୁଣି ପ୍ରୟାସ ଜାରି
ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ହୁମାୟୁନ୍ କବୀର କିଙ୍ଗମେକର ହେବେ ବୋଲି କହିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଓୱେସିଙ୍କ ଦଳ ଏଆଇଏମଆଇଏମ ୨୦୨୧ ବିଧାନସଭା ନିର୍ବାଚନରେ ୭ଟି ଆସନରେ ପ୍ରାର୍ଥୀ ଦେଇଥିଲା । କିନ୍ତୁ କୌଣସି ଆସନରେ ବିଜୟୀ ହୋଇପାରିନଥିଲା। ତେଣୁ ଓୱେସି, ହୁମାୟୁନ୍ କବୀରଙ୍କ ସହ ମେଣ୍ଟ ଗଠନ କରି ପଶ୍ଚିମବଙ୍ଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି।
ଆହୁରି ପଢ଼ନ୍ତୁ: Plane Crash Landing: ୨ଟି ଇଞ୍ଜିନ୍ ଅଚଳ ହେବାରୁ ବିଚ୍ ରାସ୍ତାରେ ଅବତରଣ କଲା ବିମାନ, ଭାଇରାଲ ହେଲା କାର୍ ଉପରେ ଚଢ଼ିଯାଉଥିବାର ଭିଡିଓ
Follow Us