କଂଗ୍ରେସ ବୈଠକରେ ହଙ୍ଗାମା; ଅନୁଗତ-ଅସନ୍ତୁଷ୍ଟ ଯୁକ୍ତିତର୍କ

ଶେଷ‌ରେ ଅନୁଗତଙ୍କ କଥା ରହିଲା, ଜୁନ୍‌ରେ ହେବ ସଭାପତି ନିର୍ବାଚନ

କଂଗ୍ରେସର ଦୁଇଟି ଗୋଡ଼

Kashmir Reader

ନୂଆଦିଲ୍ଲୀ : କିଛିଦିନର ନିରବତା ପରେ କଂଗ୍ରେସ ଭିତରେ ନେତୃତ୍ବକୁ ନେଇ ପୁଣି ଆରମ୍ଭ ହୋଇଛି ଟଣାଓଟରା। ସାଂଗଠନିକ ନିର୍ବାଚନ କାହିଁକି ହେଉନାହିଁ? ସଭାପତି ନିର୍ବାଚନ କେବେ ହେବ? ଶୁକ୍ରବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକରେ ଅସନ୍ତୁଷ୍ଟ ନେତାମାନେ ଏଭଳି ପ୍ରଶ୍ନ ଉଠାଇବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗାନ୍ଧୀ ପରିବାରର ଅନୁଗତ ନେତାମାନଙ୍କ ସହିତ ସେମାନଙ୍କର ଭୀଷଣ ଯୁକ୍ତିତର୍କ ହୋଇଥିଲା। ଶେଷରେ ଅନୁଗତଙ୍କ କଥା ରହିଲା। ନିଷ୍ପତ୍ତି ହେଲା ଯେ ଆସନ୍ତା ଜୁନ ମାସରେ ଦଳର ସଭାପତି ନିର୍ବାଚନ ହେବ। ତେବେ ତାରିଖ ସଂପର୍କରେ ନିଷ୍ପତ୍ତି ନେବେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

ଶୁକ୍ରବାର କଂ‌ଗ୍ରେସର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା ‘ସିଡବ୍ଲ୍ୟୁସି’ର ବୈଠକ ଆରମ୍ଭରୁ ସରଗରମ ହୋଇଉଠିଥିଲା। ଅସନ୍ତୁଷ୍ଟ ନେତାମାନେ ସାଂଗଠନିକ ନିର୍ବାଚନ ପ୍ରସଙ୍ଗ ଉଠାଇବା ସହିତ ତୁରନ୍ତ ନିର୍ବାଚନ କରାଇବାକୁ ଦାବି କରିଥିଲେ। ଏହି ନେତାମାନଙ୍କ ମଧ୍ୟରେ ଥିଲେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମୁକୁଲ ୱାସନିକ୍ ଏବଂ ପି. ଚିଦମ୍ବରମ। ସେମାନଙ୍କୁ ତତକ୍ଷଣାତ ବିରୋଧ କରିଥିଲେ ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା ଅମରିନ୍ଦର ସିଂହ, ଅଶୋକ ଗେହଲଟ, ଏକେ ଆଣ୍ଟୋନୀ, ତାରିକ ଅନୱର ଏବଂ ଓମେନ ଚାଣ୍ଡି। ସେମାନେ ପ୍ରଶ୍ନ କରିଥିଲେ, ‘କାହା ପ୍ରରୋଚନାରେ ଏଭଳି ପ୍ରସଙ୍ଗ ଉଠୁଛି? ଆମ ଦଳରେ ସାଂଗଠନିକ ନିର୍ବାଚନ ନେଇ ଯେମତି ତମ୍ବିତୋଫାନ କରାଯାଉଛି, କାହିଁ ବିଜେପିରେ ତ ସେମିତି ହେଉନି? ବର୍ତମାନର ପ୍ରାଥମକିତା ହେଉଛି ଆଗାମୀ ଦିନରେ ହେବାକୁ ଯାଉଥିବା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲଢ଼ିବା। ଏହାପରେ ଯାଇ ସାଂଗଠନିକ ନିର୍ବାଚନ କଥା ଚିନ୍ତା କରିବା।’ ଏହାପରେ ଦୁଇ ଗୋଷ୍ଠୀ ମଧ୍ୟ‌ରେ ପ୍ରବଳ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ରାହୁଲ କହିଥିଲେ, ‘ବହୁତ ହୋଇଗଲା। ସବୁଦିନ ପାଇଁ ଏହି ପ୍ରସଙ୍ଗର ଅନ୍ତ ଘଟୁ। ଆମକୁ ଆଗକୁ ବଢ଼ିବାକୁ ପଡ଼ିବ।’ ତେବେ ଶେଷରେ ଅନୁଗତଙ୍କ କଥା ରହିଲା। ୫ଟି ବିଧାନସଭା ନିର୍ବାଚନ ପରେ ଦଳର ସଭାପତି ନିର୍ବାଚନ ‌ହେବ। ଏସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ‌ନେବେ ସୋନିଆ ଗାନ୍ଧୀ। ସେ ହିଁ ତ‌ାରିଖ ଘୋଷଣା କରିବେ।

ବୈଠକ ପରେ ସିଡବ୍ଲ୍ୟୁସି ସଭ୍ୟ କେସି ବେଣୁଗୋପାଳ ଘୋଷଣା କରିଥିଲେ ଯେ ଆସନ୍ତା ଜୁନ ମାସରେ ସଭାପତି ନିର୍ବାଚନ ହେବ। ଏବେ ପଶ୍ଚିମ ବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଏବଂ ପୁଡୁଚେରିରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଜୁନ ପୂର୍ବରୁ ସାଂଗଠନିକ ନିର୍ବାଚନ ସମ୍ଭବ ନୁହେଁ। ସାଂଗଠନିକ ନିର୍ବାଚନ ତାରିଖ ଘୋଷଣା ଦାୟିତ୍ବ ସୋନିଆଙ୍କୁ ଦିଆଯାଇଛି। ସୂଚନାଯୋଗ୍ୟ ‌ଯେ ସିଡବ୍ଲ୍ୟୁସି ନିର୍ବାଚନ ଶେଷ ଥର ଲାଗି ୧୯୯୭ରେ ହୋଇଥିଲା।

୨୦୧୯ ସାଧାରଣ ନିର୍ବାଚନ ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେହିଦିନ ଠାରୁ ସୋନିଆ ଅସ୍ଥାୟୀ ଭାବେ ଏହି ଦାୟିତ୍ବରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଇସ୍ତଫା ସମୟରେ ଘୋଷଣା କରିଥିଲେ ଯେ ସେ କିମ୍ବା ତାଙ୍କ ପରିବାରର ଅନ୍ୟ କେହି ସଭାପତି ହେବେ ନାହିଁ। ଏହାସତ୍ତ୍ବେ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ଗାନ୍ଧୀ ପରିବାର ଏବଂ ‌ତାଙ୍କ ଅନୁଗତଙ୍କ କଥା ରହୁଥିବାରୁ ଦଳ ଭିତ‌ରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରି ଦଳର ୨୩ ଜଣ ବରିଷ୍ଠ ନେତା ୨୦୧୯ରେ ‌ସୋନିଆଙ୍କୁ ଚିଠି ଲେଖି ମିଳିତ ନେତୃତ୍ବ ଏବଂ ସାଂଗଠନିକ ନିର୍ବାଚନ କଥା ଉଠାଇଥିଲେ। ସେହିଦିନ ଠାରୁ ଦଳ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe