ହାଇଦ୍ରାବାଦ ନିଜାମଙ୍କ ସମ୍ପତ୍ତି: ୭ ଦଶନ୍ଧିର କୋର୍ଟ ଲଢ଼େଇ, କେତେକ ରୋଚକ ତଥ୍ୟ

ହାଇଦ୍ରାବାଦ ନିଜାମଙ୍କ ସମ୍ପତ୍ତି: ୭ ଦଶନ୍ଧିର କୋର୍ଟ ଲଢ଼େଇ, କେତେକ ରୋଚକ ତଥ୍ୟ

ନୂଆଦିଲ୍ଲୀ : ହାଇଦ୍ରାବାଦର ଶେଷ ନିଜାମ ଓସମାନ ଅଲି ଖାନ୍‌ଙ୍କ ସମ୍ପତ୍ତି ପାଇଁ ଚାଲିଥିବା କୋର୍ଟ ଲଢ଼େଇ ୭୦ ବର୍ଷ ପରେ ଶେଷ ହୋଇଛି। ଇଂଲଣ୍ଡର ବ୍ୟାଙ୍କଠାରୁ ଆରମ୍ଭ କରି ଭାରତ ଓ ପାକିସ୍ତାନ ପର୍ଯ୍ୟନ୍ତ ଏହି ଲଢ଼େଇ ୧୯୪୮ରୁ ୨୦୨୦ ପର୍ଯ୍ୟନ୍ତ ଚାଲିଥିଲା। ଇଂଲଣ୍ଡ କୋର୍ଟରେ ଉକ୍ତ ‘ହାଇଦ୍ରାବାଦ ଫଣ୍ଡ୍ କେସ୍‌’ର କିପରି ସମାଧାନ ହେଲା ତା’ର କିଛି ରୋଚକ ତଥ୍ୟ ଏଠାରେ ଦିଆଗଲା।

ହାଇଦ୍ରାବାଦର ସପ୍ତମ ନିଜାମ ମିର ଓସମାନ ଅଲି ଖାନ୍ ଏକଦା ବିଶ୍ବର ଶ୍ରେଷ୍ଠ ଧନୀ ଭାବେ ଗଣା ହେଉଥିଲେ, ଟାଇମ୍ ମାଗାଜିନ୍‌ରେ ଯାହା ଉପରେ କଭର ଷ୍ଟୋରି ପ୍ରକାଶ ପାଇଥିଲା। ନିଜାମ ହାଇଦ୍ରାବାଦରେ ୧୮୮୬ରୁ ୧୯୬୭ ଯାଏ ଶାସନ କରିଥିଲେ ଏବଂ ୧୯୬୭ରେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ୨୩୬ ବିଲିୟନ ଡଲାର ସହ ସେ ବିଶ୍ବର ‌ଷଷ୍ଠ ବୃହତ୍ତମ ଧନୀ ଭାବେ ଗଣା ହେଉଥିଲେ। କୁହାଯାଏ ଓସମାନ ଅଲି ହୀରାମୁଣ୍ଡାକୁ ପେପରୱେଟ୍‌ ଭାବେ ବ୍ୟବହାର କରୁଥିଲେ। ତାଙ୍କର ଏକ ସିଲ୍‌ଭର ଘୋଷ୍ଟ ଥ୍ରୋନ୍ କାର ସହ ଅନେକ ରୋଲ୍‌ସ ରଏସ୍ କାର୍ ଥିଲା। ୧୯୪୮ରେ ହାଇଦ୍ରାବାଦର ଭାରତ ସହ ମିଶ୍ରଣ ହେବାର ଅବ୍ୟବହିତ ପୂର୍ବରୁ ନିଜାମଙ୍କ ଅର୍ଥମନ୍ତ୍ରୀ ଭାରତୀୟ ସେନା ହାତରୁ ନିଜର ସୁରକ୍ଷା ପାଇଁ ଅସ୍ତ୍ର କିଣିବା ଲାଗି ଲଣ୍ଡନରେ ଥିବା ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ଆକାଉଣ୍ଟକୁ ଏକ ନିୟୁତ ପାଉଣ୍ଡ ଟ୍ରାନ୍ସଫର କରିଦେଲେ। କିନ୍ତୁ ଟଙ୍କା ହସ୍ତାନ୍ତର ହୋଇ ନ ଥିଲା କାରଣ ନିଜାମ ବ୍ୟାଙ୍କକୁ ଜଣାଇଲେ ଯେ ତାଙ୍କ ବିନା ଅନୁମତିରେ ତାଙ୍କ ଅର୍ଥମନ୍ତ୍ରୀ ଏହା କରିଥିବାରୁ ଟଙ୍କା ହସ୍ତାନ୍ତର ନ କରି ତାକୁ ଫ୍ରିଜ୍ କରିଦିଆଯାଉ।

୧୯୫୪ ମସିହାରେ ନିଜାମ ପାକିସ୍ତାନ ଓ ନ୍ୟାଟ୍‌ୱେଷ୍ଟ ବ୍ୟାଙ୍କ ବିରୋଧରେ ଲ’ସୁଟ୍ ଫାଇଲ୍ କଲେ, ଯେତେବେଳେ ତାଙ୍କର ଏକ ନିୟୁତ ପାଉଣ୍ଡ ୩୫ ନିୟୁତ ପାଉଣ୍ଡକୁ ବୃଦ୍ଧି ପାଇସାରିଥିଲା। ପରେ ୧୯୬୫ ମସିହାରେ ଭାରତ ସରକାର ଏହି ମାମଲାରେ ହସ୍ତକ୍ଷେପ କଲେ ଏବଂ କହିଲେ ହାଇଦ୍ରାବାଦ ଫଣ୍ଡ ହେଉଛି ନ୍ୟାୟତଃ ତାଙ୍କର କାରଣ ନିଜାମ ଭାରତର ରାଷ୍ଟ୍ରପତିଙ୍କ ପାଖରେ ଏହି ଫଣ୍ଡ ପାଇଁ ଦାବି କରିଥିଲେ।

୨୦୧୩ ମସିହାରେ ପାକିସ୍ତାନ ଦାବି କଲା ଯେ ଉକ୍ତ ଫଣ୍ଡ ସେ ପାଇବା ଉଚିତ କାରଣ ଅସ୍ତ୍ର କିଣିବା ପାଇଁ ଏହି ଟଙ୍କା ଦିଆଯାଇଥିଲା ଏବଂ ତାହା କିଣାଯାଇଛି। କୋର୍ଟ ଏ ମିଥ୍ୟା ଦାବିକୁ ଅଗ୍ରାହ୍ୟ କରିଦେଲେ। ଶେଷକୁ ମାମଲାର ରାୟ ୨୦୧୯ ଅକ୍ଟୋବର ୨ ତାରିଖରେ ଭାରତ ଓ ନିଜାମଙ୍କ ଉତ୍ତରାଧିକାରୀ - ମୁକାରାମ ଜାହ ଓ ତାଙ୍କ ସାନଭାଇ ମୁଖାଖାମଙ୍କ ସପକ୍ଷରେ ଗଲା। ନିଜାମଙ୍କ ଇଷ୍ଟେଟ୍‌ର ପ୍ରଶାସକ ପାଇଲେ ୪୦୦,୦୦୦ ପାଉଣ୍ଡ, ଯାହାକୁ ନିଜାମଙ୍କ ୧୨୦ ବଂଶଧରଙ୍କ ଭିତରେ ବଣ୍ଟାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe