ନୂଆଦିଲ୍ଲୀ:୨୦୨୩-୨୪ ବଜେଟ୍ରେ ଭାରତୀୟ ରେଳବାଇ ନିମନ୍ତେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଅଭିଭାଷଣରେ ଘୋଷଣା କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ହରିୟାଣାର ସୋନିପତ, ମହାରାଷ୍ଟ୍ରର ଲାଟୁର ଏବଂ ଉତ୍ତରପ୍ରଦେଶର ରାଏବରେଲିରେ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରାଯିବ। ସେ ସୂଚନା ଦେଇଛନ୍ତି ଯେ ହାଇଡ୍ରୋଜେନ୍ ଟ୍ରେନ୍ ଡିସେମ୍ବର ୨୦୨୩ ସୁଦ୍ଧା ଭାରତରେ ପହଞ୍ଚିବ ଏବଂ ଏହା ଭାରତରେ ଡିଜାଇନ୍ ଓ ଉତ୍ପାଦିତ ହେବ। ପ୍ରଥମେ ଏହା କାଲ୍କା-ଶିମଲା ପରି ହେରିଟେଜ୍ ସର୍କିଟରେ ଚାଲିବ ଏବଂ ପରେ ଏହା ଅନ୍ୟ ସ୍ଥାନକୁ ବିସ୍ତାର ହେବ |
ସୂଚନା ଥାଉ କି ଯେ ଭାରତ ପୂର୍ବରୁ ଚାଇନା ଏବଂ ଜର୍ମାନୀରେ ହାଇଡ୍ରୋଜେନ ଟ୍ରେନର ସେବା ଆରମ୍ଭ ହୋଇଛି। ୨୦୧୮ ମସିହାରୁ ଜର୍ମାନୀରେ ହାଇଡ୍ରୋଜେନ୍ ଟ୍ରେନର ପରୀକ୍ଷା ଚାଲିଥିଲା। ରେଳ ମନ୍ତ୍ରୀ କହିଛନ୍ତି, “ରେଳବାଇରେ ବହୁ ବର୍ଷ ଧରି ପୁଞ୍ଜି ବିନିଯୋଗର ଅଭାବ ଥିଲା | ଏହି ବଜେଟ୍ ମାଧ୍ୟମରେ ରେଳବାଇ ଯାତ୍ରୀମାନଙ୍କୁ ଅଧିକ ସୁବିଧା ଯୋଗାଇଦେବ । ଅମୃତ ଭାରତ ଯୋଜନାରେ ପ୍ରମୁଖ ଷ୍ଟେସନ ସମେତ ମୋଟ ୧୨୭୫ ଷ୍ଟେସନକୁ ପୁନଃନିର୍ମାଣ କରାଯିବ। ସେ କହିଛନ୍ତି ଯେ ରେଳରେ ଯାତାୟାତ କରୁଥିବା ଯାତ୍ରୀଙ୍କ ବଢୁଥିବା ଆଶାକୁ ନଜରରେ ରଖି ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ହମସଫର ଏବଂ ତେଜସ୍ ଭଳି ଟ୍ରେନର ୧୦୦୦ରୁ ଅଧିକ କୋଚର ନବୀକରଣ କରାଯିବ । ସେହିପରି ପୁରୁଣା ରେଳ ଟ୍ରାକ୍ ବଦଳାଇବା ସହ ବନ୍ଦେ ଭାରତ ଏକ୍ସପ୍ରେସକୁ ଅଧିକ ସ୍ଥାନରେ ଚଳାଇବାକୁ ଯୋଜନା କରିଛି।
Follow Us